ହଜାର ହଜାର ଭକ୍ତଙ୍କ ସମାଗମରେ ଶାନ୍ତି ଶୃଙ୍ଖଳା ସହ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଘୋଷ ଯାତ୍ରା l
(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ଅଧିନସ୍ଥ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ସମାପନ ହୋଇଛି। ପୂର୍ବ ନିର୍ଦ୍ଧାରଣ ସମୟ ନିର୍ଘଣ୍ଟ ଅନୁସାରେ ଶ୍ରୀବଳଦେବଜୀଉଙ୍କ ରଥ ସନ୍ଧ୍ୟା ୬.୪୫ ସୁଦ୍ଧା ମାଉସୀ ମାଆ ମନ୍ଦିରରେ ପହଞ୍ଚିଥିଲା I ରଥାରୂଢ ଚତୁର୍ଦ୍ଧା ମୁରତୀଙ୍କୁ ହଜାର ହଜାର ଭକ୍ତ ଦର୍ଶନ କରି ଭକ୍ତିରେ ଭାବ ବିହ୍ବଳ ହୋଇଛନ୍ତି । ଚଳିତ ବର୍ଷ ପବିତ୍ର ଶ୍ରୀଗୁଣ୍ଡିଚା, ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ ଗୋଟିଏ ତିଥିରେ ପଡ଼ିଥିବାରୁ ଶ୍ରୀଜୀଉଙ୍କ ପଣ୍ଡାମାନେ ସଠିକ୍ ସମୟରେ ସମସ୍ତ ନୀତିକାନ୍ତି ଶେଷ କରିଥିଲେ । ପୂର୍ବାହ୍ନ ୯ଟାରେ ନେତ ଉତ୍ସବର ଯଥାରିତି ପୂଜାର୍ଚ୍ଚନା କରାଯାଇ ରଥ ଉପରେ ନେତ ସ୍ଥାପନ କରାଯିବା ପରେ ଶ୍ରୀଜୀଉଙ୍କର ନବଯୌବନ ଦର୍ଶନ ହୋଇଥିଲା l ଏହାପରେ ଶ୍ରୀ ମନ୍ଦିରରେ ଚତୁର୍ଦ୍ଧା ମୁରତୀଙ୍କ ବିଭିନ୍ନ ନୀତିକାନ୍ତି ତଥା ବାଲ୍ୟଧୂପ ମଧ୍ୟାହ୍ନ ଧୂପ କ୍ଷୀରୀ ଖେଚୁଡି ନୈବେଦ୍ୟ ଅର୍ପଣ କରାଯାଇ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା I ଶ୍ରୀଜୀଉଙ୍କର ପୂଜକମାନଙ୍କ ଦ୍ବାରା ପାରମ୍ପରିକ ସେନାପଟା ହେବା ପରେ ପହଣ୍ଡିଆ ମାନଙ୍କ ଦ୍ବାରା ଅପରାହ୍ନ ୩.୩୦ରେ ଶ୍ରୀମନ୍ଦିରରୁ ଚତୁର୍ଦ୍ଧା ମୂରତୀଙ୍କୁ ଗୋଟି ପହଣ୍ଡି କରାଯାଇ ରଥାରୂଢ କରାଯାଇଥିଲା । ପ୍ରଥମେ କଳସ ଦେବତା ଓ ତାପରେ ଗରୁଡ ଦେବତା ରଥ ଉପରକୁ ଆସିବା ପରେ ପ୍ରଭୁ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ କ୍ରମାନ୍ବୟରେ ପହଣ୍ଡି କରାଯାଇଥିଲା I ପହଣ୍ଡି ସମୟରେ ଭକ୍ତମାନଙ୍କର ହୁଳହୁଳି ହରିବୋଲ ଧ୍ଵନୀରେ ରଥଦାଣ୍ଡ ପ୍ରକମ୍ପିତ ହୋଇଥିଲା I ଶ୍ରୀଜୀଉଙ୍କର କୂଳପୁରୋହିତ ତଥା ଠାକୁର ରଜା ଭାବେ ବିଦିତ ବନ ବିହାରୀ ମିଶ୍ର ଛେରା ପହଁରା କାର୍ଯ୍ୟ ସମାପନ କରିବା ପରେ ଅଧର ପଣା ଭୋଗ କରାଯାଇ ରଥ ଟଣା ଆରମ୍ଭ ହୋଇଥିଲା । ଏହି ରଥରେ ଲାଗିଥିବା ତିନୋଟି ଦଉଡି ମଧ୍ୟରୁ ମଝି ରଥ ଦଉଡିକୁ ମହିଳା ଭକ୍ତମାନେ ଏବଂ ଦୁଇ ପାର୍ଶ୍ଵରଥ ଦଉଡିକୁ ପୁରୁଷ ଭକ୍ତମାନେ ଟାଣିଥିଲେ। ବ୍ରହ୍ମକ୍ଷେତ୍ରର ବଡ ଦାଣ୍ଡରେ ବହୁ ଭକ୍ତମାନେ ରଥ ଉପରେ ଚତୁର୍ଦ୍ଧା ମୁରତୀଙ୍କୁ ଦର୍ଶନ କରି ଆନନ୍ଦରେ ବିଭୋର ହେବା ସହ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଥିଲା I ରଥ ମାଉସୀମାଆ ମନ୍ଦିରରେ ଲାଗିବା ପରେ ଭକ୍ତମାନେ ଧୂପ ଦୀପ, ନୈବେଦ୍ୟ ଅର୍ପଣ ପୂର୍ବକ ଶ୍ରୀଜୀଉଙ୍କର କୃପାଭିକ୍ଷା କରିଥିଲେ I ମ୍ୟାନେଜିଂ ଟ୍ରଷ୍ଟୀ ଧୀରେନ୍ଦ୍ରନାଥ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନାରେ ସମସ୍ତ କାର୍ଯ୍ୟ ସମାପନ କରାଯାଇଥିଲା ବେଳେ ଟ୍ରଷ୍ଟବୋର୍ଡ ସଭ୍ୟ ଚୌଧୁରୀ ଅଜୟ କୁମାର ନନ୍ଦ, ରାଜେନ୍ଦ୍ର ମେହନ କର, ଜ୍ୟୋତି ରଂଜନ ସାଇଁ ସମେତ ଶ୍ରୀଜୀଉଙ୍କର ପଣ୍ଡା ପଡିହାରୀ, ସେବାୟତ ଓ ନାଜିମନ୍ତମାନେ ଯାତ୍ରାକାର୍ଯ୍ୟ ପରିଚାଳାନା କରିଥିଲେ । ଏହି ଘୋଷଯାତ୍ରାରେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ମାହାଙ୍ଗୀ ବିଜେପି ନେତା ସୁମନ୍ତ ଘଡ଼ାଇ ରଥ ଉପରେ ଶ୍ରୀ ଜୀଉଙ୍କୁ ଦର୍ଶନ କରି ଉପସ୍ଥିତ ଭକ୍ତମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମନୋରଂଜନ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପ୍ରଧାନଙ୍କ ପକ୍ଷରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ସାଲେପୁର ପୋଲିସ ପକ୍ଷରୁ ଭକ୍ତମାନଙ୍କ ମଧ୍ୟରେ ଶାନ୍ତି ଶୃଙ୍ଖଳାରକ୍ଷା କରାଯାଇଥିଲା ବେଳେ ପ୍ରଶାସନିକ ସ୍ତରରେ ହୋଇଥିବା ପ୍ରସ୍ତୁତି ବୈଠକ ଅନୁଯାୟୀ କାର୍ଯ୍ୟକ୍ରମ ସମାପନ ହୋଇଥିଲା l