ନେମାଳ ମାଳିକା ପ୍ରସିଦ୍ଧ ପଦ୍ମବନ ପୀଠରେ ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳିତ

6

 ଭାବବିହ୍ୱଳ ପରିବେଶ ମଧ୍ୟରେ ମହାପୁରୁଷଙ୍କୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ l

 (ନିଶ୍ଚିନ୍ତକୋଇଲି- ଶାସକ ପ୍ରଶାସକ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ନେମାଳ ଠାରେ ଥିବା ମାଳିକା ପ୍ରସିଦ୍ଧ ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ଲକ୍ଷାଧିକ ଭକ୍ତଙ୍କ ସମାଗମ ମଧ୍ୟରେ ପାଳିତ ହୋଇଛି । କିମ୍ବଦନ୍ତୀ ଅନୁସାରେ ଏହି ଦିନରେ ଶ୍ରୀକ୍ଷେତ୍ର ପୁରୀରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନେମାଳ ମହାପୁରୁଷଙ୍କ ପୀଠରେ ବିରାଜମାନ ହେଉଥିବାରୁ ଏଠାରେ ଏହି ପବିତ୍ର ଦିନରେ ରାଜ୍ୟ କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଯୋଗ ଦେଇ ମହାପୁରୁଷଙ୍କ ସାନ୍ନିଧ ଲାଭ କରିଛନ୍ତି । ଶନିବାର ପ୍ରତ୍ୟୁଷରୁ ପାରମ୍ପାରିକ ନୀତିକାନ୍ତି ଅନୁଯାୟୀ ମହାପୁରୁଷଙ୍କ ସେବାୟତମାନେ ନୂଆ ଚନ୍ଦନ, ଅଗୁରୁ, କର୍ପୂର ଆଦି ସୁବାଶିତ ଜଳରେ ପ୍ରଭୁଙ୍କର ମହାସ୍ନାନ କରାଇଥିଲେ । ସ୍ନାନ ପରେ ମହାପୁରୁଷଙ୍କୁ ନୂତନ ବସ୍ତ୍ର ଲାଗି କରି ତାଙ୍କର ଅତ୍ୟନ୍ତ ପ୍ରିୟ ଚନ୍ଦନ ତୁଳସୀ ଓ ଦୟଣା ଲାଗି କରିଥିଲେ । ଏହାପରେ ମହାପୁରୁଷଙ୍କୁ ବିଭିନ୍ନ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ କରାଯାଇ ମୁକୁଟ ଲାଗି କରାଯାଇଥିଲା l ମହାପୁରୁଷଙ୍କ ଏହି ବଡସିଂହାର ବେଶ ପରେ ମଙ୍ଗଳ ଆଳତୀ, ନୀତି ଭୋଗ, ଯଥାରୀତି ପୂଜାର୍ଚ୍ଚନା କରାଯାଇ ଭକ୍ତମାନଙ୍କ ଦର୍ଶନ ଉଦ୍ଦେଶ୍ୟରେ ପହଡ଼ ଖୋଲାଯାଇଥିଲା l ପ୍ରତ୍ୟୁଷରୁ ଭକ୍ତମାନେ ଅତ୍ୟନ୍ତ ପ୍ରିୟ ପେଡ଼ି ଭୋଗ ଓ ନଡ଼ିଆ ନୈବେଦ୍ୟ ଭକ୍ତମାନେ ଅର୍ପଣ କରିଥିଲେ ମଧ୍ୟାହ୍ନରେ ବିଭିନ୍ନ ଫଳମୂଳ ସହିତ ବିଭିନ୍ନ ପିଠାପଣା ଆଦି ଅଂଚଳ ବାସୀମାନଙ୍କ ଦ୍ବାରା ମହାପୁରୁଷଙ୍କୁ ସମର୍ପଣ କରାଯାଇ କୋଠ ଭୋଗ କରାଯାଇଥିଲା । ଏହି ପୀଠ ପରିସରରେ ଥିବା ଇଷ୍ଟଦେବ ଗୋପୀନାଥ ଜୀଉକୁ ସ୍ନାନ ମଣ୍ଡପକୁ ଅଣାଯାଇ ଯଥାରୀତି ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା । ସଂଧ୍ୟାରେ ପ୍ରଭୁଙ୍କ ସଂଧା ଆଳତୀ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତମାନେ ପ୍ରଭୁ ଅଚ୍ୟୁତଙ୍କ ସାନ୍ନିଧ ଲାଭ କରିଥିଲେ। । ଏହି ଅବସରରେ ପୂଣ୍ୟତୋୟା ଚିତ୍ରୋତ୍ପଳାର ଶରଧା ବାଲିରେ ବାଲିମେଳା ମହୋତ୍ସବ ଯଥାରୀତି ଅନୁଷ୍ଠିତ ହେଉଅଛି । ଶ୍ରଦ୍ଧାଳୁମାନେ ଚିତ୍ରୋତ୍ପଳା ବାଲିରେ ବିଭିନ୍ନ ଦେବାଦେବୀଙ୍କର ବାଲୁକା ମୂର୍ତ୍ତୀ ନିର୍ମାଣ କରି ପୂଜାର୍ଚ୍ଚନା କରିବା ସହିତ ଭଜନ କୀର୍ତନ ହୋମଯଜ୍ଞ, ମାଳିକାପାଠ ପ୍ରବଚନ କାର୍ଯ୍ୟକ୍ରମମାନ କରୁଛନ୍ତି । ବିଭିନ୍ନ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ସାଧୁ ସନ୍ଥମାନେ ଏହି ପୀଠରେ ଉପସ୍ଥିତ ହୋଇ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ପୂଜା ପାଠ ମଧ୍ୟ କରୁଛନ୍ତି l ପୀଠ ପରିସର ରଙ୍ଗ ବେରଙ୍ଗର ଆଲୋକ ସଜା ହେବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ଅଳ୍ପ ମାତ୍ରାରେ ବର୍ଷା ହେବା ପରେ ମଧ୍ୟ ପ୍ରବଳ ଗୁଳୁଗୁଳି ଅସହ୍ୟ ଗରମକୁ ଖାତିର ନକରି ଭକ୍ତମାନେ ଭିଡ଼ ଜମେଇଥିବା ଦେଖାଯାଇଛି । ଶ୍ରୀ ଶ୍ରୀ ଗୋପିନାଥଜୀଉ ଓ ମହାପୁରୁଷ ଅଚ୍ୟୁତାନନ୍ଦ ଟ୍ରଷ୍ଟ ବୋର୍ଡ଼ ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ବହୁ ଅନୁଷ୍ଠାନ ପକ୍ଷରୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ମାଗଣାରେ ଖାଦ୍ୟପେୟ, ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ, କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ,କଟକ ଉପଜିଲ୍ଲାପାଳ କମଲଜିତ ଦାସ,ତହସିଲଦାର ଅନୀତା ନାୟକ, ବିଡିଓ ବିରଞ୍ଚି
ନାରାୟଣ ବେହେରା ଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଶୃଙ୍ଖଳା ରକ୍ଷା ପାଇଁ ୫ ପ୍ଲାଟୁନ ପୁଲିସ ଫୋର୍ସ, ଶହ ଶହ ସଂଖ୍ୟାରେ ସେଚ୍ଛାସେବୀ ଓ ଦମକଳ ବାହିନୀର କର୍ମଚାରୀ ମାନେ ଉପସ୍ଥିତ ରହିଛନ୍ତି ।

Leave A Reply

Your email address will not be published.