ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ସୁରମା ପାଢୀ।

5

ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭକାମନା

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଭାରତୀୟ ଜନତା ଦଳର ବରିଷ୍ଠ ନେତ୍ରୀ ତଥା ରଣପୁର ବିଧାୟିକା ସୁରମା ପାଢୀ। ଏକମାତ୍ର ପ୍ରାର୍ଥୀ ଭାବେ ସୁରମା ନାମାଙ୍କନ ଦାଖଲ କରିଥିଲେ। ତାଙ୍କୁ ସର୍ବସମ୍ମତିକ୍ରମେ ବାଚସ୍ପତି ଭାବେ ନିର୍ବାଚିତ କରିବାକୁ ଗୃହରେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ପ୍ରସ୍ତାବ ଆଗତ କରିଥିଲେ । ପ୍ରସ୍ତାବକୁ ସଂସଦୀୟ ବ୍ଯାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମର୍ଥନ କରିଥିଲେ । ଏହାପରେ ସୁରମା ସର୍ବସମ୍ମତ ଓ ନିର୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏନେଇ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାର ସ୍ବାଇଁ ଘୋଷଣା କରିବା ପରେ ଗୃହର ସଦସ୍ଯଙ୍କ ଉପସ୍ଥିତିରେ ଦାୟିତ୍ବ ଗ୍ରହଣ କରିବା ସହ ଆସନ ଅଳଙ୍କୃତ କରିଥିଲେ ସୁରମା । ଆସନ ଗ୍ରହଣ କରିବା ପରେ ବାଚସ୍ପତି ଗୃହ ପରିଚାଳନା କରିଥିଲେ ।
ଗୃହରେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ଯମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ା, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବାଚସ୍ପତି ସମସ୍ତଙ୍କୁ ଧନ୍ଯବାଦ ଦେବାସହ ନିରପେକ୍ଷତା ଅବଲମ୍ବନ କରି ସମସ୍ତଙ୍କ ସହଯୋଗରେ ଗୃହ ପରିଚାଳନା କରିବାକୁ ପ୍ରତିଶୃତି ଦେଇଛନ୍ତି।
Imageସୁରମା ହୋଇଛନ୍ତି ଓଡ଼ିଶା ବିଧାନସଭାର ଦ୍ବିତୀୟ ମହିଳା ବାଚସ୍ପତି । ପୂର୍ବରୁ ନବୀନ ସରକାରରେ ପ୍ରମିଳା ମଲ୍ଲିକ ପ୍ରଥମ ମହିଳା ବାଚସ୍ପତି ହୋଇଥିଲେ । ଜଣେ ଅଭିଜ୍ଞ ରାଜନେତ୍ରୀ ଭାବେ ଜଣାଶୁଣା ସୁରମା ପାଢୀ ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ସେ ଯୋଗଦେଇଥିଲେ । ୨୦୦୦ ମସିହାରେ ସେ ଜାତୀୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଥିଲେ । ଏହାଛଡ଼ା ଦଳର ବିଭିନ୍ନ ପଦପଦବୀରେ କାମ କରିଛନ୍ତି । ୨୦୦୪ରେ ପ୍ରଥମ କରି ରଣପୁର ଆସନରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେପି- ବିଜେଡି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୨୪ରେ ରଣପୁରରୁ ଲଢି ବିଜେଡି ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି ସୁରମା ।
Imageନବନିର୍ବାଚିତ ବାଚସ୍ପତିଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ” ମାନ୍ୟବର ବାଚସ୍ପତି ମହୋଦୟା, ଆପଣ ଚଳିତ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଆପଣ ଆଜି ଏହି ଦାୟିତ୍ଵ ଗ୍ରହଣ କରିବା ପରେ ମୁଁ ନିଶ୍ଚିତ ଭାବରେ ଆଶା କରୁଛି ଯେ, ଆପଣ ଏ ପବିତ୍ର ଗୃହର ଗର୍ବ, ଗରିମା ଓ ପଦମର୍ଯ୍ୟାଦା ରକ୍ଷାକରିବା ସହିତ ନିରପେକ୍ଷତା ଅବଲମ୍ବନ କରି ଏ ଗୃହକୁ ସଠିକ୍ ଭାବରେ ପରିଚାଳନା କରିପାରିବେ । ଆମ୍ଭେମାନେ ସମସ୍ତେ ଓଡିଶାବାସୀଙ୍କ ପାଇଁ ନିଷ୍ଠାପର ଭାବେ ସେବାକରିବା ନିମନ୍ତେ ଦୃଢ ସଂକଳ୍ପବଦ୍ଧ । ମୋର ଆଶା, ଆମ୍ଭେମାନେ ସମସ୍ତେ ଏ ଗୃହ କାର୍ଯ୍ୟରେ ମାନ୍ୟବର ବାଚସ୍ପତି ମହୋଦୟାଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଏବଂ ଗୃହର ପରମ୍ପରା ଓ ପଦମର୍ଯ୍ୟାଦା ବଜାୟ ରଖିବା । ପରିଶେଷରେ, ମୁଁ ଏ ଗୃହର ମାନ୍ୟବର ସଦସ୍ୟା ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଉଛି ଏବଂ ମୋର ପ୍ରିୟ ଓଡିଶାବାସୀଙ୍କୁ ମଧ୍ୟ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଉଛି ।”

Leave A Reply

Your email address will not be published.