ଜଗତସିଂହପୁର,ତା-୧୯.୦୬.୨୦୨୪/ସୁମନ୍ତ କୁମାର ଦାସ: ଆସନ୍ତା 21 ତାରିଖ ରେ ସମଗ୍ର ବିଶ୍ୱରେ ପାଳିତ ହେବାକୁ ଯାଉଛି ଆନ୍ତର୍ଜାତୀୟ ଯୋଗ ଦିବସ। ସେଥିନିମନ୍ତେ ଜିଲ୍ଲା ସ୍ତରରେ ବ୍ୟାପକ ପ୍ରସ୍ତୁତି ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ , ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆସନ୍ତା 21 ତାରିଖ ଦିନ ସକାଳ 7 ରୁ 8 ଟା ପର୍ଯ୍ୟନ୍ତ ଜିଲ୍ଲା ର ସମସ୍ତ ସ୍କୁଲ, କଲେଜ, ବ୍ଳକ, ମୁନିସିପାଲିଟି ଏବଂ ଜିଲ୍ଲା ସଦର ମହକୁମାରେ ଏହି ଦିବସ ପାଳନ କରାଯିବ। ଜିଲ୍ଲା ସଦର ମହକୁମାରେ ଏହି ଦିବସ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇ ଥିବା ବେଳେ ପାରାଦ୍ଵୀପ ରେ ଏହା କଳିଙ୍ଗ ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ହେବ। ଏହାସହ ସମସ୍ତ ବ୍ଲକ୍, ବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡିକରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଜିଲ୍ଲା ସ୍ତରରେ 500 , ବ୍ଳକ ସ୍ତରରେ 200 ଓ ଆନୁଷ୍ଠାନିକ ସ୍ତରରେ 100 ଜଣ ବିଭିନ୍ନ ବର୍ଗ ର ବ୍ୟକ୍ତିଙ୍କୁ ନେଇ ଏହି ଦିବସ ପାଳନ କରାଯିବ। ଜିଲ୍ଲା ର ସାଧାରଣ ଜନତା, ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ମହିଳା, ବିଭିନ୍ନ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଏଥିରେ ଭାଗ ନେଇ ପାରିବେ। ମାଷ୍ଟର ଯୋଗ ପ୍ରଶିକ୍ଷକ ମାନଙ୍କ ଦ୍ଵାରା ଯୋଗଶିକ୍ଷା ପ୍ରଦାନ କରାଯିବ।ଆଜି ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଶତୃଘ୍ନ ଦାଶ,ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵ ବିଜୟିନୀ ପଟ୍ଟନାୟକ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ର ଉପ ନିର୍ଦ୍ଦେଶିକା ଶ୍ରୀମତୀ ସବିତା ସାହୁ,ଜଗତସିଂହପୁର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।