
-
ବିଭିନ୍ନ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ବୁଝିବା ସହ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପରାମର୍ଶ
-
ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ
ଭୁବନେଶ୍ୱର:ରାଜ୍ୟ ଆଇନ୍, ପୂର୍ତ୍ତ ତଥା ଅବକାରୀ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ଆଜି ପୂର୍ତ୍ତ ବିଭାଗ ଏବଂ ଓଡିଶା ସେତୁ ଓ ନିର୍ମାଣ ନିଗମଲିଃ(ଓବିସିସିଏଲ୍ ) ର କାର୍ଯ୍ୟ ସମୀକ୍ଷା କରିଛନ୍ତି । ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ଆଜି ସଂଧ୍ୟାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ବିଭାଗର କାର୍ଯ୍ୟ ଓ ବିଗତ ୫ ବର୍ଷରେ କାର୍ଯ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ । ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗ ଦ୍ୱାରା ପ୍ରସ୍ତାବିତ ଆଗାମୀ ଦିନରେ କାର୍ଯ୍ୟ ଯୋଜନା, ନିର୍ମାଣାଧିନ ପ୍ରମୁଖ ରାସ୍ତା କାମ, ବିଭିନ୍ନ ସେତୁ ନିର୍ମାଣ କାର୍ଯ୍ୟ , କୋଠା ନିର୍ମାଣ କାର୍ଯ୍ୟ ଓ ପ୍ରକଳ୍ପ ଆଦିର ଅଗ୍ରଗତି ସଂପର୍କରେ ଅବଗତ ହୋଇଥିଲେ । ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାରେ ଯେଉଁ ସବୁ ସମସ୍ୟା ରହୁଛି, ସେ ସବୁକୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝିବା ସହିତ ସମସ୍ୟାର ସମାଧାନ କରି କିପରି କାର୍ଯ୍ୟ ଆଗକୁ ତ୍ୱରାନ୍ୱିତ ହୋଇପାରିବ, ସେ ସଂପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ, ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଆଗାମୀ ଦିନରେ ବିକଶିତ ଓଡିଶା ଗଠନର ଯେଉଁ ସ୍ୱପ୍ନ ରହିଛି, ତାହାକୁ ପୂରଣ କରିବା ନିମନ୍ତେ ସେ ବିଭାଗର ପ୍ରସ୍ତାବିତ ସମସ୍ତ କାର୍ଯ୍ୟକୁ ଭଲଭାବେ ଅନୁଧ୍ୟାନ ପୂର୍ବକ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇକାର୍ଯ୍ୟାନ୍ୱୟନ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।
ବୈଠକରେ ବିଭାଗରେ ଖାଲିଥିବା ପଦବୀ ପୂରଣ ସଂପର୍କରେ ପଦକ୍ଷେପ ନିଆଯିବା ସହ ବିଭାଗରେ କ୍ୱାଲିଟି କଣ୍ଟ୍ରୋଲ ଲ୍ୟାବ୍ ସ୍ଥାପନ, ମାନବ ସଂବଳ କ୍ଷମତା ବୃଦ୍ଧି ପାଇଁ ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ପ୍ରଶିକ୍ଷଣ ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ , ଅଧୂନା ବୈଷୟିକ ଜ୍ଞାନ କୌଶଳର ଦୃତ ପରିବର୍ତ୍ତନ ଘଟୁଛି । ତାହାକୁ ଆପଣେଇ ଆମେ ଆମର କାର୍ଯ୍ୟଧାରାକୁ ପରିବର୍ତ୍ତନ କରି ବିଭାଗର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି । ବୈଠକରେ ଓବିସିସି ଦ୍ୱାରା ପ୍ରମୁଖ କାର୍ଯ୍ୟ, ସେତୁ, ଐତିହ୍ୟ ପ୍ରକଳ୍ପ, ବିଗତ ବର୍ଷ ସମେତ ଗତ ୩ ବର୍ଷରେ ପ୍ରମୁଖ ସଫଳତା ଆଦି ସଂପର୍କରେ ଆଲୋକପାତ କରାଯାଇଥିଲା ।