ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ

6

ସ୍ୱଚ୍ଛତା, ଗୁଣବତ୍ତା ଓ ସମୟାନୁବର୍ତ୍ତିତା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ନୂତନ ମନ୍ତ୍ରୀ ପରିଷଦ ଗଠନ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଦାୟିତ୍ୱ ନେଇଥିବା ନବନିଯୁକ୍ତ ମାନ୍ୟବର ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରିଛନ୍ତି । ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ଏବଂ ଅନ୍ୟାନ୍ୟ ପଦସ୍ଥ ଅଧିକାରୀଙ୍କ ସହ ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ନାଏକ କହିଲେ ଯେ ଗ୍ରାମାଞ୍ଚଳରେ ସଡ଼କ ସଂଯୋଗୀକରଣ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେବେ । ଏଣୁ ବିଭାଗ ଅଧୀନସ୍ଥ ରାସ୍ତା, ସେତୁ ଓ ଗୃହନିର୍ମାଣ କ୍ଷେତ୍ରକୁ ଆହୁରି ତ୍ୱରାନ୍ୱିତ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ନାଏକ ବିଭାଗ ଅଧୀନରେ ଜାରି ରହିଥିବା ୧୨୩୯ଟି ସେତୁ ପ୍ରକଳ୍ପ ଏବଂ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ଚାଲୁ ରହିଥିବା ୧୭୨୫ ଗୋଟି ରାସ୍ତା ଯାହାର ସମୁଦାୟ ଦୈର୍ଘ୍ୟ ୬୧୧୬ କି.ମି. କାର୍ଯ୍ୟକୁ ଯଥାଶୀଘ୍ର ସମ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ୪୯୭ ଗୋଟି ପ୍ରକଳ୍ପ ଅଧୀନରେ ୧୫୯୨ କି.ମି. ରାସ୍ତାର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହ ଆଗାମୀ ୧୦୦ ଦିନ ପାଇଁ ସଡ଼କ, ସେତୁ, କୋଠାବାଡ଼ି ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ଧାର୍ଯ୍ୟଲକ୍ଷ୍ୟ ପୂରଣ ତଥା କାର୍ଯ୍ୟ ସମ୍ପନ୍ନ ଦିଗରେ ସମସ୍ତ ଅଧିକାରୀ ଯନିବାନ ରହିବାକୁ ପରାମର୍ଶ ଦେଇଥିଲେ । ସମସ୍ତ ନିର୍ମାଣାଧୀନ କାର୍ଯ୍ୟଗୁଡ଼ିକୁ ତ୍ରୁଟିଶୂନ୍ୟ ଏବଂ ଏହାର ଗୁଣବତ୍ତା ଓ ସ୍ୱଚ୍ଛତା ଉପରେ ଧ୍ୟାନ କେନ୍ଦ୍ରିତ କରି ବିଭାଗର କାର୍ଯ୍ୟଧାରାକୁ ଆହୁରି ଲୋକାଭିମୁଖୀ କରିବାକୁ ବୈଠକରେ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ । ସର୍ବୋପରି କେନ୍ଦ୍ରୀୟ ଯୋଜନା ଏବଂ ରାଜ୍ୟ ଯୋଜନାଗୁଡ଼ିକର ସଫଳ ରୂପାୟନ ନିମନ୍ତେ ମନ୍ତ୍ରୀ ଶ୍ରୀ ନାଏକ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।
ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହିତ ପ୍ରଶାସନିକ ଭିତ୍ତିଭୂମି, ବିଭାଗ ଅଧୀନସ୍ଥ ସମସ୍ତ ଯୋଜନା ଏବଂ ଏହାର ରୂପରେଖ ଓ କାର୍ଯ୍ୟଧାରା, ବିତ୍ତୀୟ ଅନୁଦାନ ସମ୍ପର୍କରେ ବିସ୍ତୃତ ଭାବେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମନ୍ତ୍ରୀ ଶ୍ରୀ ନାଏକ ପ୍ରମୁଖ ଶାସନ ସଚିବଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରମୁଖ ଯୋଜନାଗୁଡ଼ିକର ରୂପରେଖ ଏବଂ ଫଳପ୍ରଦ ଭୂମିକା ଉପରେ ପଚାରି ବୁଝିଥିଲେ । ଆଗାମୀ ଦିନରେ ବିଭାଗର କାର୍ଯ୍ୟଧାରା ଆହୁରି ବ୍ୟାପକ ଓ ପରିବ୍ୟାପ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ନାଏକ ଆଶାପୋଷଣ କରିଥିଲେ ।
ସମୀକ୍ଷା ବୈଠକରେ ବିଭାଗର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ, ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

 

 

Leave A Reply

Your email address will not be published.