(ନିଶ୍ଚିନ୍ତକୋଇଲି – ଶାସକ ପ୍ରଶାସକ): ରାଜ୍ୟ ସରକାରଙ୍କ କୃଷି ବିଭାଗର ସବୁଜ ସାର ପ୍ରୋତ୍ସାହନ କାର୍ଯ୍ୟକ୍ରମରେ ଚାଷୀ ମାନଙ୍କୁ ଖରିଫ ଧାନ ଚାଷ ପୂର୍ବରୁ ମାଗଣାରେ ଧଣ୍ଡିଚା ମଞ୍ଜି ଯୋଗାଇ ଦିଆଯାଇଥାଏ । ଚଳିତ ବର୍ଷ ସାଧାରଣ ନିର୍ବାଚନ ଯୋଗୁଁ ବିଳମ୍ବରେ ବ୍ଳକ କୃଷି ବିଭାଗକୁ ଧଣ୍ଡିଚା ମଞ୍ଜି ଚାଷୀ ମାନଙ୍କୁ ବଣ୍ଟନ କରିବା ପାଇଁ ଯୋଗାଇ ଦିଆଯାଇଥିଲା । ନିର୍ବାଚନ ଆଚରଣ ବିଧି ପାଇଁ ବ୍ଳକ କୃଷି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ଧଣ୍ଡିଚା ମଞ୍ଜିକୁ ଟିକେ ବିଳମ୍ବରେ ବଣ୍ଟନ କରାଯାଇଥିଲା । ଚଳିତ ବର୍ଷ ଏହି ବ୍ଳକକୁ ୧୯୦ ହେକ୍ଟର ଚାଷ ଜମିରେ ସବୁଳ ସାର ନିମନ୍ତେ ୪୭.୫୦ କ୍ୱିଣ୍ଟାଲ ଧଣ୍ଡିଚା ମଞ୍ଜି ଆସିଥିଲ l ଆଚରଣ ବିଧି ଉଠିଲା ପରେ ଏହି ବ୍ଳକରେ ଥିବା ମୋଟ ୪୧ଟି ପଞ୍ଚାୟତ ମଧ୍ୟରୁ ମାତ୍ର ୧୯ଗୋଟି ପଞ୍ଚାୟତରେ ଏହି ଧଣ୍ଡିଚା ମଞ୍ଜିକୁ ବଣ୍ଟନ କରାଯାଇଛି l ଅବଶିଷ୍ଟ ୨୨ଗୋଟି ପଞ୍ଚାୟତର ଚାଷୀମାନେ ଧଣ୍ଡିଚା ମଞ୍ଜି ପାଇପାରୁନଥିବାରୁ ଅସନ୍ତୋଷ ପ୍ରକଟ କରିଛନ୍ତି । ପାରିପାର୍ଶ୍ଵିକ ଅବସ୍ଥାକୁ ଲକ୍ଷ୍ୟ କରି ବର୍ତ୍ତମାନ ଚାଷ କ୍ଷେତ୍ରରେ ସବୁଜ ଖତ ବ୍ୟବହାର ଉପରେ ସରକାର ଓ କୃଷି ବିଭାଗ ଗୁରୁତ୍ବ ଦେଉଥିଲା ବେଳେ ଏହି ବ୍ଳକକୁ ମାତ୍ର ୪୭.୫୦ କ୍ୱିଣ୍ଟାଲ ଯେଉଁ ଧଣ୍ଡିଚା ମଞ୍ଜି ଯୋଗାଇ ଦିଆଯାଇଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ଅନେକ ଚାଷୀ ଧାନ ଚାଷ ପୂର୍ବରୁ କ୍ଷେତରେ ଧଣ୍ଡିଚା ମଞ୍ଜି ବୁଣି ସବୁଜ ଖତ ମାଟିରେ ମିଶାଇବା ପାଇଁ ଚାହୁଁଥିଲା ବେଳେ ସରକାରଙ୍କ ପକ୍ଷରୁ ଏହି ବ୍ଳକକୁ ପର୍ଯ୍ୟାପ୍ତ ପରିମାଣରେ ଧଣ୍ଡିଚା ମଞ୍ଜି ଯୋଗାଇ ଦିଆଯାଇନଥିବାରୁ ଚାଷୀମାନେ ସମସ୍ୟାରେ ପଡ଼ିଛନ୍ତି । ବିଗତ ବର୍ଷ ମାନଙ୍କରେ ଏହି ବ୍ଳକକୁ ଶହ ଶହ କ୍ୱିଣ୍ଟାଲ ଧଣ୍ଡିଚା ମଞ୍ଜି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିଲା l ଯାହାଦ୍ୱାରା ବହୁ ଚାଷୀ ସବୁଜ ଖତ କ୍ଷେତରେ ପ୍ରୟୋଗ କରି ଭଲ ଧାନ ମଧ୍ୟ ଅମଳ କରିଥିଲେ । କିନ୍ତୁ ଚଳିତ ବର୍ଷ ନିଶ୍ଚିନ୍ତକୋଇଲି, ବଡ଼କ୍ଷୀର, ନତକାଇ,ବରାଦୋ, ନରେନ୍ଦ୍ରପୁର, ଓରତି, ତରତ, ବାଲିଆପଦା, କଟରପଡ଼ା, କଟିକଟା, ସିଲୋ, ଇଶାଣୀବରହମପୁର, ଉତ୍ତରକୂଳ, ସାନ୍ତପୁର, ବନ୍ଧୁପୁର, ଜନାର୍ଦ୍ଦନପୁର, କଳମିଶ୍ର, ମହମ୍ମଦପୁର ଆଦି ପଞ୍ଚାୟତକୁ ଏହି ଧଣ୍ଡିଚା ମଞ୍ଜି ଯୋଗାଇ ଦିଆଯାଇଛି । ଏହି ୧୯ଗୋଟି ପଞ୍ଚାୟତରେ ମାତ୍ର ୨୫୦ ଚାଷୀ ଉପକୃତ ହୋଇପାରିବେ ବୋଲି ଜଣାଯାଇଛି l ଏହି ବ୍ଳକର ୪୧ଗୋଟି ପଞ୍ଚାୟତରେ ୧୨ହଜାର ୮୭୦ ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସେହି ଅନୁଯାୟୀ ଏହି ବ୍ଳକକୁ ୨ଶହ କ୍ୱିଣ୍ଟାଲରୁ ଉର୍ଦ୍ଧ ଧଣ୍ଡିଚା ମଞ୍ଜିର ଆବଶ୍ୟକତା ରହିଛି l ସରକାରଙ୍କ ପକ୍ଷରୁ ଧାନ ଚାଷ ହେବା ପୂର୍ବରୁ ଅଧିକ ଧଣ୍ଡିଚା ମଞ୍ଜି ଚାଷୀମାନଙ୍କ ଉଦ୍ଦେଶ୍ୟରେ ଯୋଗାଇ ଦେବା ପାଇଁ ଦାବି ହୋଇଛି l ଏ ସଂକ୍ରାନ୍ତରେ ବ୍ଳକ କୃଷି ଅଧିକାରୀ ସୁରେନ୍ଦ୍ରନାଥ ଘୋଡ଼ାଙ୍କୁ ପଚାରିବାରୁ ଯେତିକି ଧଣ୍ଡିଚା ମଞ୍ଜି ଆସିଥିଲା ତାହାକୁ ବଣ୍ଟନ କରାଯାଇଛି, ଅଧିକ ଧଣ୍ଡିଚା ମଞ୍ଜି ଆସିଲେ ଅନ୍ୟ ପଞ୍ଚାୟତ ଗୁଡ଼ିକରେ ବଣ୍ଟନ କରାଯିବ ବୋଲି ପ୍ରକାଶ କରିଥିଲେ ।