କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅଧୀନରେ ଥିବା ବୁଡି ପଦର (ଶବରପଡା) ବୁଲାଣି ନିକଟରେ ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଧକାଦେବା ଯୋଗୁଁ ଗୁରୁତର ଆହତ ହୋଇଛନ୍ତି ଆରଡବ୍ଲୁଏସଏସ ବିଭାଗର ଦୁଇଜଣ ବିଆରସି। ଆଜି ସକାଳ ୮ଘଣ୍ଟା ସମୟରେ ପ୍ରଦ୍ୟୁମ୍ନ ଭୋଇ ଓ ଟିଟିଲାଗଡ଼ ବିଆରସି ପ୍ରକାଶ ଚନ୍ଦ୍ର ଡାକୁଆ ନିଜ କର୍ମ କ୍ଷେତ୍ରକୁ ଏକ ବାଇକ୍ ଯୋଗେ ଯାଉଥିଲେ। ବୁଢିପଦର ଆଗକୁ ଆଗକୁ ଥୂବା ଶବରପଡା ତାରିଣୀ ମନ୍ଦିର ଛକ ବୁଲାଣିରେ ସେମାନଙ୍କ ବାଇକକୁ ବିପରିତ ପଟରୁ ଆସୁଥିବା ମଶାଣିବନ୍ଧର ଏକ ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଧକ୍କା ଦେଇଥିଲା। ଏଥିରେ ଗୁଡଭେଲା ବିଆରସି ପ୍ରଦ୍ୟୁମ୍ନ ଭୋଇଙ୍କ ବାମ ଗୋଡ ଆଣ୍ଠୁର ହାଡ଼ ଭାଙ୍ଗି ବାହାରକୁ ବାହାରି ଆସିଥିଲା। ସେହିଭଳି ଟିଟିଲାଗଡ଼ ବିଆରସି ପ୍ରକାଶ ଚନ୍ଦ୍ର ଡାକୁଆଙ୍କ ଗୋଡ଼ ମଧ୍ୟ ଭାଙ୍ଗିଯାଇଛି। ଘଟଣାସ୍ଥଳରେ ବୁଢିପଦର ଓ ଶବରପଡାର ଯୁବକମାନେ ପହଞ୍ଚି ଆହତ ଦୁଇ ଜଣଙ୍କୁ ଆମ୍ବୁଲାନ୍ସରେ ଯୁଗେ ପ୍ରଥମେ ନର୍ଲା ଡ଼ାକ୍ତରଖାନା ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥୂବାରୁ ଭବାନୀପାଟଣା ସ୍ଥାନାନ୍ତର କରିଥିବା ଜଣାପଡିଛି।