ବିଜେପୁର: ବରଗଡ ଜିଲ୍ଲା ବିଜେପୁର ବ୍ଲକ୍ ଅନ୍ତର୍ଗତ ବାପୁଜୀ ଉଚ୍ଚ ବିଦ୍ୟାଳୟ ଖରମୁଣ୍ଡା ଠାରେ ପ୍ରଧାନ ଶିକ୍ଷକ ସଦାନନ୍ଦ ଷଡଙ୍ଗିଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥଲା। ଏହି କାର୍ଯ୍ୟକ୍ରମ ଅବସରରେ ବରଗଡ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ଶିକ୍ଷାଧିକାରୀ ମିତ୍ରଭାନୁ କଚ୍ଛପ, ବିଜେପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁରେଶ ରାଉତରାୟ, ନୋଡାଲ ପ୍ରଧାନ ଶିକ୍ଷକ ମନୋଜ ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନୂତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର ଆଚାର୍ଯ୍ୟ, ଗ୍ରାମର ସରପଞ୍ଚ ମନୋଜ ପଧାନ ପ୍ରମୁଖ ଯୋଗଦେଇ ମଞ୍ଚାସିନ ହୋଇଥିଲେ। ଏହି ଅବସରରେ ବିଦାୟୀ ପ୍ରଧାନ ଶିକ୍ଷକ ସଦାନନ୍ଦ ଷଡଙ୍ଗି ବିଦ୍ୟାଳୟର ସହକାରୀ ଶିକ୍ଷକ ମହେନ୍ଦ୍ର ଆଚାର୍ଯ୍ୟଙ୍କୁ ନୂତନ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ଵ ଅର୍ପଣ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ଓ କରୁଣାକର ମେହେର ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ। ମୁଖ୍ୟ ଅତିଥି ରାଧାକାନ୍ତ ଛତ୍ରୀ ତାଙ୍କ ବକ୍ତବ୍ୟରେ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ଏକ ନିଷ୍ଠାପର କର୍ମତତ୍ତ୍ୱର, ମିଷ୍ଟଭାଷୀ ଓ ମେଳାପି ଶିକ୍ଷକ ବୋଲି ବର୍ଣନା କରି ଭୂୟସୀ ପ୍ରଶଂସା କରିଥିଲେ। “ମୋ ସ୍କୁଲ୍” ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରିତା ଏବଂ ବିଦ୍ୟାଳୟର ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟିତ ପ୍ରଧାନ ଶିକ୍ଷକ ବୋଲି ଅଭିହିତ କରି ପ୍ରଶଂସା କରିଥିଲେ ପୂର୍ବତନ ଶିକ୍ଷାଧିକାରୀ ମିତ୍ରଭାନୁ କଚ୍ଛପ। ଏହି ଅବସରରେ ଖରମୁଣ୍ଡା ଗ୍ରାମବାସୀ ମିଳିତ ହୋଇ ପ୍ରଧାନ ଶିକ୍ଷକଙ୍କୁ କୀର୍ତ୍ତନ, ବ୍ୟାଣ୍ଡ ଓ ଡିଜେ ସହ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିଲା । ବିଜେପୁର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ସିଆରସିସି ଓ ବହୁସଂଖ୍ୟାରେ ପୁରାତନ ଛାତ୍ର ଛାତ୍ରୀଙ୍କ ସମାବେଶ ହୋଇଥିଲା। ବିଦ୍ୟାଳୟର ଛାତ୍ରୀ ଗଣ ସ୍ଵାଗତ ସଙ୍ଗୀତ ଓ ବିଦାୟ ସଙ୍ଗୀତ ଗାନ କରିଥିଲେ। ପ୍ରସିଦ୍ଧ ସଂକୀର୍ତ୍ତନ ଗାୟୀକା ସବ୍ୟାରାଣୀ ତ୍ରିପାଠୀ ଙ୍କ ଗୁରୁବନ୍ଦନା ସଙ୍ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।ଏହି ସଭା କାର୍ଯ୍ୟକ୍ରମକୁ ପଞ୍ଚାନନ ପ୍ରଧାନ, ତୁଳସୀ ପୁଝାରି ଓ ଦୀପକ ମେହେର ଙ୍କ ସହ ମାୟାଧର ଯୁବକ ସଂଘ, ଖରମୁଣ୍ଡା କ୍ରୀଡା ସଂସଦ ର ସଦସ୍ୟ ଗଣ ସଫଳତାର ସହ ସଂଯୋଜନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.