ସରିଲା ସାତ ଦଶକର ପ୍ରତୀକ୍ଷା : ନିଜ ଗାଁ ରେ ଭୋଟ ଦେଲେ ଡଙ୍ଗର ମୁଣ୍ଡା ଗ୍ରାମବାସୀ

2

ଗାଇସିଲାଟ/ମନ ଡନସନା- ସ୍ବାଧୀନତାର ସାତ ଦଶକ ପରେ ପୂରଣ ହେଲା ଆଶା । ନିଜ ଗାଁ ବୁଥରେ  ନୂଆ ବୁଥ । ଯାହାର ନମ୍ବର ଥିଲା ୨୪୬। ଯେବେ ପୁଲିଂ ପାର୍ଟି ଡଙ୍ଗରମୁଣ୍ଡାରେ ପହଞ୍ଚିଲେ ସେତେବେଳେ ଗ୍ରାମବାସୀଙ୍କ ଖୁସି କହିଲେ ନସରେ । ସମସ୍ତେ ପୂଲିଂ ପାର୍ଟିର ସଦସ୍ୟମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରି ମିଠା ଖୁଆଇ ଥିଲେ । ନିଜ ଗାଁରେ ଭୋଟ ଦେଇ ଏବେ ଗ୍ରାମବାସୀମାନେ ଖୁବ୍ ଖୁସି । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମବାସୀ ପ୍ରାୟ ୬ କି.ମି ଦୂର ତାଲପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସେମେଲମୁଣ୍ଡା ଗ୍ରାମକୁ ଭୋଟ ଦେବା ପାଇଁ ଯାଉଥିଲେ । ବାର୍ଦ୍ଧକ୍ୟ ଅବସ୍ଥାରେ ଏତେ ଦୂରକୁ ଯିବା ସମ୍ଭବ ହେଉନଥିବାରୁ ଅନେକ ବୟସ୍କ ଲୋକ ଭୋଟ ଦେବାରୁ ବଞ୍ଚିତ ହେଉଥିବା ବେଳେ ସାଧାରଣ ଭୋଟର ମାନେ ବି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଉକ୍ତ ଗ୍ରାମରେ ପ୍ରାୟ ୨୫୦ରୁ ଉର୍ଦ୍ଧ ଭୋଟର ଥିବାବେଳେ ସମାଜସେବୀ ସୁଶାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ତତ୍କାଳୀନ ପଦ୍ମପୁର ଭାରପ୍ରାପ୍ତ ଉପଜିଲ୍ଲାପାଳଙ୍କୁ ଜୁଲାଇ ୨୮  ତାରିଖରେ ଏକ ଦାବିପତ୍ର ଦେଇ ନିଜ ଗ୍ରାମରେ ଭୋଟଦାନ କେନ୍ଦ୍ର କରିବା ପାଇଁ ଅନୁରୋଧ କରିଥିଲେ । ତତ୍କାଳୀନ ଭାରପ୍ରାପ୍ତ ଉପଜିଲ୍ଲାପାଳ ସଦାକର କୁମ୍ଭାର ପ୍ରସ୍ତାବିତ ବୁଥ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥା ଥିବାର ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ଗତ ୨୪ ଅକ୍ଟୋବରରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଲଲାଟ କୁମାର ଲୁହା ଡଙ୍ଗରମୁଣ୍ଡା ସ୍କୁଲରେ ପହଞ୍ଚି ବୁଥ ପରିଦର୍ଶନ କରିଥିବା ବେଳେ ସେଠାକାର ସୁରକ୍ଷା ବ୍ୟବସ୍ଥା, ପାଚେରୀ, ପିଇବା ପାଣି, ଲୋକ ଧାଡ଼ିବାନ୍ଧିବା ପାଇଁ ସ୍ଥାନ, ଛାଇର ବ୍ୟବସ୍ଥା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ପରଖି ସନ୍ତୋଷ ପ୍ରକାଶ କରିଥିଲେ । ଏହା ସହ ଉକ୍ତ ଗ୍ରାମବାସୀ ଭୋଟ ଦେବାପାଇଁ ଯାଉଥିବା ପ୍ରାୟ ୬ କି.ମି. ଦୁର ରେ ଥିବା ସେମେଲମୁଣ୍ଡା ଗ୍ରାମକୁ ନିଜ ଗାଡ଼ିରେ ଯାଇ ଦୂରତା ପରଖିଥିଲେ । ଏହି ଅବସରରେ ସେ ବୁଥ୍ ସ୍ତରୀୟ ଅଧିକାରୀ, ସୁପରଭାଇଜର, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।  ତେବେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ନିଜ ଗାଁ ବୁଥରେ ଗ୍ରାମର ଗୌନ୍ତିଆ ଦେବରାଜ ବେହେରା  ପ୍ରଥମେ ଭୋଟ ଦେଇ ସମସ୍ତ ଗ୍ରାମବାସୀଙ୍କୁ ଶାନ୍ତି ଶୃଙ୍ଖଳା ସହିତ ଭୋଟ ଦେବା ପାଇଁ ଅନୁରୋଧ କରିଥିବା ବେଳେ ନିଜ ଗ୍ରାମରେ ଗ୍ରାମବାସୀ ଭୋଟ ଦେବାର ସୁଯୋଗ ମିଳିଥିବାରୁ ସମସ୍ତେ ବେଶ୍ ଖୁସି ଥିବାର ଦେଖିବାକୁ ମିଳିଥିଲା। ଏଥିପାଇଁ ଗ୍ରାମବାସୀମାନେ ସ୍ଥାନୀୟ ସମାଜସେବୀ ସୁଶାନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜଣାଇବା ସହ ଖୁବ୍ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.