ଓଡ଼ିଶାର ଚାଷୀଙ୍କୁ ମିଳିବ ମାଗଣା ବିଜୁଳି: ନବୀନ ଗ୍ୟାରେଣ୍ଟି

3

ଭୁୁବନେଶ୍ୱର, ୧୭/୦୫/୨୦୨୪: ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜାତୀୟ ମୁଖପାତ୍ର ଡ଼ଃ ଅମର ପଟ୍ଟନାୟକ ଓ ଡ଼ଃ ସସ୍ମିତ ପାତ୍ର ସମ୍ବୋଧନ କରି ଓଡ଼ିଶାରେ କୃଷି ଓ କୃଷକ ମାନଙ୍କ ସାମଗ୍ରୀକ ଵିକାଶ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ l ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଡ଼ଃ ଅମର ପଟ୍ଟନାୟକ କହିଥିଲେ, କୃଷି ଓ କୃଷକଙ୍କୁ ପ୍ରାଥମିକତା ଦେଇ ଏକ ସ୍ୱତନ୍ତ୍ର କୃଷି ବଜେଟ ପରିବେଷଣ କରିବା କ୍ଷେତ୍ରରେ ଓଡିଶା ହେଉଛି ପ୍ରଥମ ରାଜ୍ୟ l ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ କୃଷକ ମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ଅଛି କାରଣ ସେ ଭଲ ଭାବେ ଜାଣନ୍ତି ଓଡ଼ିଶାର ପ୍ରାୟ ଷାଠିଏ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି, ତେଣୁ କୃଷକ ମାନଙ୍କ ବିକାଶ ବିନା ରାଜ୍ୟର ଵିକାଶ ସମ୍ଭବ ନୁହେଁ l ଗୋଟିଏ ସମୟରେ ଓଡିଶା ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ଅଭାବୀ ରାଜ୍ୟରେ ପରିଗଣିତ ହେଉଥିଲା ଓ “ଭୋକର ଭୂଗୋଳ’ ପରି ଏକ ଅଲୋଡ଼ା ଅପଯଶ ମୁଣ୍ଡାଇବାକୁ ପଡୁଥିଲା l ନବୀନ ସରକାରଙ୍କ ନିରନ୍ତର ପ୍ରୟାସ ଫଳସ୍ୱରୂପ ଓଡିଶା ଆଜି ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି l ଉଲ୍ଲେଖନୀୟ, ଭାରତ ବର୍ଷର ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମକୁ ଖାଦ୍ୟ ଶସ୍ୟ ଯୋଗାଣ କ୍ଷେତ୍ରରେ ଓଡିଶା ତୃତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହେଉଛି l ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ରାଜ୍ୟରେ ପ୍ରଦାନ କରାଯାଉଥିବା ଋଣ ତୁଳନାରେ ଓଡ଼ିଶାରେ ପ୍ରଦାନ କରା ଯାଉଥିବା ଋଣ ଭିନ୍ନ ଓ ଅଧିକ ଉପଯୋଗୀ l ଓଡ଼ିଶାରେ କୃଷକ ମାନଙ୍କୁ ଗତ ଚାରି ବର୍ଷରେ ୧.୪୫ ଲକ୍ଷ୍ୟ କୋଟି ଟଙ୍କା ବିନା ଶୁଦ୍ଧରେ ଋଣ ପ୍ରଦାନ କରା ଯାଇଛି l ଏକ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଲୋନ ବିନା ଶୁଦ୍ଧରେ ଉପଲବ୍ଧ ହେଉଥିବା ବେଳେ ଏକ ଲକ୍ଷରୁ ତିନି ଲକ୍ଷ୍ୟ ପର୍ଯ୍ୟନ୍ତ ଋଣ ରାଜ୍ୟର କୃଷକ ମାନଙ୍କ ପାଇଁ ମାତ୍ର ଦୁଇ ପ୍ରତିଶତ ସୁଧରେ ଉପଲବ୍ଧ ହେଉଛି l ସେହିପରି, ଗତ ପାଞ୍ଚ ବର୍ଷରେ ପ୍ରାୟ କୋଡିଏ ଲକ୍ଷ୍ୟ ହେକ୍ଟର ଜମିକୁ ଜଳସେଚିତ କରାଯାଇଛି ଓ ଆଗାମୀ ଦଶ ବର୍ଷରେ ଆହୁରି କୋଡିଏ ଲକ୍ଷ ହେକ୍ଟର ଜମି ଜଳସେଚିତ କରା ଯିବାର ଲକ୍ଷ୍ୟ ରଖା ଯାଇଛି l
ଡ଼ଃ ପଟ୍ଟନାୟକ ଆହୁରି କହିଥିଲେ, ବିଜୁ ଜନତା ଦଳ ତାର ୨୦୨୪ ନିର୍ବାଚନୀ ଇସ୍ତାହାରରେ କୃଷି ଓ କୃଷକଙ୍କ ସାମଗ୍ରୀକ ଵିକାଶ ପାଇଁ ପ୍ରତିବଦ୍ଧତା ପ୍ରକାଶ କରିବା ସହିତ ଆଗାମୀ ଦଶ ବର୍ଷର ରୋଡ଼ମ୍ୟାପ ପ୍ରଦାନ କରାଯାଇଛି l କୃଷକଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇ ପାରିଛି ଓ ଆଗାମୀ ଦିନରେ ଏହା କିପରି ଆହୁରି ବୃଦ୍ଧି ପାଇବ ସେଥିପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି l ଏହି ପରିପ୍ରେକ୍ଷୀରେ, ଚାଷୀ ମାନଙ୍କ ପାଇଁ ମାଗଣା ବିଜୁଳିର ବ୍ୟବସ୍ଥା କରାଯାଇଛି l କୃଷକ ମାନଙ୍କ ସୁବିଧା ଉପଲକ୍ଷେ ପ୍ରତି ଜିଲ୍ଲାରେ ଥିବା ମଣ୍ଡି ଗୁଡିକର ଆଧୁନିକ କରଣ ପାଇଁ ପ୍ରତବର୍ଷ ୫୦୦ କୋଟି ଟଙ୍କା ଖର୍ଚ୍ଚର ବ୍ୟୟ ଅଟ୍ଟକଳ କରାଯାଇଛି l ତାଛଡା ଚାଷୀ ମାନଙ୍କ ଝିଅ ବାହାଘର ପାଇଁ ଦୁଇଟି ଝିଅଙ୍କ ପାଇଁ ପଚିଶ ହଜାର ଟଙ୍କାର ଅନୁଦାନ ସରକାରଙ୍କ ତରଫରୁ ପ୍ରଦାନ କରାଯିବ ବୋଲି ଇସ୍ତାହାରରେ ପ୍ରକାଶ କରା ଯାଇଛି l
ଧାନର ସର୍ବ ନିମ୍ନ ମୂଲ୍ୟ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଡ଼ଃ ପଟ୍ଟନାୟକ କହିଥିଲେ l ଭାରତୀୟ ଜନତା ପାର୍ଟିର ଜାତୀୟ ନିର୍ବାଚନୀ ଇସ୍ତାହାରରେ ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ସମ୍ବନ୍ଧିତ କୌଣସି ନିର୍ଦିଷ୍ଟ ପ୍ରତିଶ୍ରୁତି ଦିଆ ଯାଇନାହିଁ l ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ସର୍ବ ଦଳୀୟ ଟିମ ମାଧ୍ୟମରେ ଧାନର ସର୍ବନିମ୍ନ ମୂଲ୍ୟକୁ ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରା ଯାଇଥିଲା, ଯାହାକୁ କେନ୍ଦ୍ର ସରକାର ଅଣଦେଖା କରି ଆସୁଛନ୍ତି l ଏହି ପରିପ୍ରେକ୍ଷୀରେ, କିଛି ରାଜ୍ୟରେ ବିଜେପିର ଧାନର ସର୍ବନିମ୍ନ ମୂଲ୍ୟବୃଦ୍ଧିର ପ୍ରତଶ୍ରୁତି ଏକ ଧୂଆଁବାଣ ସଦୃଶ୍ୟ l ବିଜେପି ଶାସିତ ରାଜ୍ୟ ମାନଙ୍କରେ ଚାଷ ଉପଯୋଗୀ ଜମି ଓଡିଶା ତୁଳନାରେ କମ ବୋଲି କହିବା ସଂଗେ କିଛି ତଥ୍ୟ ପ୍ରଦାନ କରିଥିଲେ l ଓଡ଼ିଶାରେ ୩୩.୬ ପ୍ରତିଶତ ଜଳସେଚିତ ଚାଷ ଜମି ଥିଲାବେଳେ ଆସାମରେ ମାତ୍ର ୪.୯ ପ୍ରତିଶତ, ମହାରାଷ୍ଟ୍ରରେ ମାତ୍ର ୧୬.୮ ପ୍ରତିଶତ ଓ ଛତିଶଗଡ଼ରେ ମାତ୍ର ୨୭.୮ ପ୍ରତିଶତ ରହିଛି l ଏଥିରୁ ସ୍ପଷ୍ଟ ଅନୁମେୟ, ଭାରତୀୟ ଜନତା ପାର୍ଟି କୃଷକ ମାନଙ୍କ ଵିକାଶ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି l

Leave A Reply

Your email address will not be published.