ନୟାଗଡ଼(ରମେଶ କୁମାର ମିଶ୍ର):- ଗଣିଆ ବ୍ଲକ ସାତକୋଶିଆ ଅଭୟାରଣ୍ୟର ଛାମୁଣ୍ଡିଆ ବନାଞ୍ଚଳ ହେଉଛି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ପୂର୍ବ ପ୍ରବେଶ ଦ୍ଵାର ଯାହାକି ନୟାଗଡ ଜିଲ୍ଲା ସୀମାରେ ଅବସ୍ଥିତ । ଛାମୁଣ୍ଡିଆ ବନାଞ୍ଚଳ ହେଉଛି ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଆସିଥାଏ । ଅଭୟାରଣ୍ୟ ଭିତରକୁ ପ୍ରବେଶ ନିଷେଧ ଥିବା ବେଳେ ଛାମୁଣ୍ଡିଆ ଏବଂ ବଡମୂଳ ଠାରେ ଦୁଇଟି ଚେକ୍ ଗେଟ୍ ରହିଛି । ଛାମୁଣ୍ଡିଆ ବନାଞ୍ଚଳ ଚେକଗେଟର ମୁଖ୍ୟ କାମ ହେଉଛି ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା କରିବା ଏବଂ ବେଆଇନ କାର୍ଯ୍ୟକଳାପ ଉପରେ ନଜର ରଖିବା। ବନ୍ୟପ୍ରାଣୀ ଓ କାଠ ଚୋରା ଚାଲାଣ ରୋକିବା, ଜଙ୍ଗଲରୁ ବେଆଇନ ଭାବେ ଗଛ କାଟି କାଠ ଚୋରି କରିବା ଏବଂ ବନ୍ୟଜନ୍ତୁ ଶିକାର କରି ସେମାନଙ୍କର ଅଙ୍ଗପ୍ରତ୍ୟଙ୍ଗ କିମ୍ବା ପକ୍ଷୀ ଆଦି ଚୋରା ଚାଲାଣ କରିବାକୁ ରୋକିବା ପାଇଁ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକର ଯାଞ୍ଚ କରାଯାଏ ।
ସୁରକ୍ଷିତ ଜଙ୍ଗଲ ଭିତରକୁ କୌଣସି ଅଣ-ଅଧିକୃତ ବ୍ୟକ୍ତି କିମ୍ବା ସନ୍ଦେହଜନକ ଗାଡ଼ି ଯେମିତି ବିନା ଅନୁମତିରେ ପ୍ରବେଶ ନକରନ୍ତି, ତାହା ଏହି ଚେକଗେଟ୍ ଦ୍ୱାରା ନିୟନ୍ତ୍ରଣ କରାଯାଏ । ତେବେ ଗତ କିଛି ଦିନ ହେବ ଛାମୁଣ୍ଡିଆ ଏବଂ ବଡମୂଳ ଠାରେ ଥିବା ଚେକ୍ ଗେଟ୍ ମୁକୁଳା ପଡିଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଚୋରା ଗଞ୍ଜେଇ ଠାରୁ ଆରମ୍ଭ କରି ଜଙ୍ଗଲ ଜନ୍ତୁ,ଚୋରାକାଠ,କରଡି ଆଦି ବେଧଡକ ଚାଲାଣ କରାଯାଉଛି । ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ସୋମବାର ଦଶିପୁର ତୋଟା ଠାରେ ଗଣିଆ ପୋଲିସ ତରଫରୁ ୬ କେଜି ୧୯୫ ଗ୍ରାମ ଗଞ୍ଜେଇ ସହିତ ସ୍କୁଟି ଜବତ ।

ଫୁଲବାଣୀରୁ ଗଞ୍ଜେଇ ଆଣି ଛାମୁଣ୍ଡିଆ ଦେଇ ଗଣିଆ ଆସୁଥିବା ବେଳେ ପୋଲିସ ମାଡିବସି ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଗତ ଫେବୃଆରୀ ୭ ତାରିଖରେ ଫୁଲବାଣୀରୁ ୧୩ କେଜି ଗଞ୍ଜେଇ ନେଇ ଛାମୁଣ୍ଡିଆ ଦେଇ ନରସିଂହପୁର ଯାଉଥିବା ବେଳେ ମାଳିସାହି ଛକ ଠାରେ ପୋଲିସ ଜଣକୁ ଗିରଫ କରିଥିଲା । ସେହିପରି ଜୁଲାଇ ୧୩ ତାରିଖରେ କେନ୍ଦୁପଲ୍ଲୀ ଛକ ଠାରେ ଗଞ୍ଜେଇ ଆଣି ଆସୁଥିବା ବେଳେ ଗୋଟିଏ ପଲସର ସହିତ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଗଣିଆ ପୋଲିସ । ଗତ ୬ ମାସ ଭିତରେ ଗଞ୍ଜେଇ ଚୋରା ଚାଲାଣ କରୁଥିବାରୁ ଉକ୍ତ ଛାମୁଣ୍ଡିଆ ଅଞ୍ଚଳରୁ ୫ ଜଣକୁ ଗିରଫ କରି ସାରିଛନ୍ତି ଗଣିଆ ଥାନା ଅଧିକାରୀ । କେବଳ ଗଞ୍ଜେଇ ନୁହେଁ ଗୟଳ ଶିକାର ଠାରୁ ଆରମ୍ଭ କରି ବାରହା ଶିକାର, ଜଙ୍ଗଲ ଯାତ ଦ୍ରବ୍ୟ ଚୋରା ଚାଲାଣ ହେଉଥିବା ବେଳେ ଶୋଇ ପଡିଛି ବନବିଭାଗର । ବନବିଭାଗର ପାଟ୍ରୋଲି° ହେଉନଥିବାରୁ ଏଭଳି ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ଅପାରଗତା ଏଥିପାଇଁ ଦାୟୀ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । ତେବେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।