ଜିଲ୍ଲାସ୍ତରୀୟ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ : ୧୩ଲକ୍ଷ ୨୭ ହଜାର ୮୧୧ ଟଙ୍କା ଜରିମାନା ଆଦାୟ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଚଳିତ ବର୍ଷର ଦ୍ଵିତୀୟ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଗଜପତି ଜିଲ୍ଲା ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ବିଭନ୍ନ କୋର୍ଟ କାର୍ଯ୍ୟ ତଦାରଖ କରିବା ସହ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ।
ପ୍ରାଧିକରଣ ସଚିବ ଶ୍ରୀ ରବିନାରାୟଣ ବେହେରା ଉପସ୍ଥିତ ରହି କୋର୍ଟ କାର୍ଯ୍ୟ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ବିଚାରଧୀନ ଥିବା ମାମଲା ଗୁଡ଼ିକର ତ୍ଵରିତ ବିଚାର ପାଇଁ ପଦକ୍ଷେପ ସ୍ୱରୂପ ବିଭିନ୍ନ କୋର୍ଟ ବ୍ୟାଞ୍ଚ ମାନ ପ୍ରତିଷ୍ଠା କରାଯାଇଥିଲା।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ପରିବାର ଅଦାଲତ ଜଜ୍ ଶ୍ରୀ ସୁବ୍ରତ ମହାନ୍ତି , ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ପ୍ରଦୀପ କୁମାର ସାମଲ , ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ନରୋତ୍ତମ ସେଠୀ , ସବ୍ ଜଜ୍ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , ଉପ ଖଣ୍ଡୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଶ୍ରୀ ସୁବଶିଷ ପାଣି ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ।
ସେହିପରି ଜିଲ୍ଲାର ରା.ଉଦୟଗିରି କୋର୍ଟ ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ
ଜଜ୍ ଶ୍ରୀ ପୁଣ୍ୟଶ୍ଲୋକ ରଥ , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ତରୁଣ କୁମାର ସେଠୀ , ମୋହନା ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଶୁଭଜିତ ବେହେରା ଓ କାଶିନଗର ଗ୍ରାମ୍ୟ ନ୍ୟାୟାଳୟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶ୍ରୀ ଅଙ୍କିତା ଗୁରୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ।
ଆୟୋଜିତ ଏହି ଲୋକ ଅଦାଲତ ରେ ଜିଲ୍ଲା କୋର୍ଟ ଓକିଲ ସଂଘ ସଭାପତି ଓ ସମ୍ପାଦକ ଙ୍କ ସମେତ ସମସ୍ତ ବରିଷ୍ଠ ଓକିଲ ବୃନ୍ଦ ଉପସ୍ଥିତ ରହି ବିଭିନ୍ନ କୋର୍ଟ ରେ ନିଜ ନିଜ କେସ ମକଦମ୍ମା ରେ ସହଯୋଗ ପ୍ରଦାନ କରିଥିଲେ। ଆୟୋଜିତ ଲୋକ ଅଦାଲତରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରୀୟ ବ୍ୟାଙ୍କ୍ ର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ୍ ସମ୍ବନ୍ଧୀୟ ବିଭିନ୍ନ ମାମଲାର ସମାଧାନ ପାଇ ଚେଷ୍ଟା କରିଥିଲେ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ମୋଟ ୨୦୯୪ ଟି କେସକୁ ବିଚାରକୁ ନିଆଯାଇ ୧୫୫୮ ଟି ମାମଲା ର ତ୍ୱରିତ ସମାଧାନ କରାଯାଇ ଜରିମାନା ବାବଦକୁ ୧୩,୨୭,୮୧୧, ୦୦ ଆଦାୟ କରାଯାଇଥିଲା। ବ୍ୟାଙ୍କ୍ ମାନେ ଉପସ୍ଥିତ ରହି ୩୯୦ ରୁ ୩୦ କେସର ସମାଧାନ କରି ୬,୭୭,୮୫୦.୦୦ ଟଙ୍କା ଜରିମାନା ଆଦାୟ କରିଥିଲେ। ଏହି ଲୋକ ଅଦାଲତ କୁ କୋର୍ଟ କର୍ମଚାରୀ ଓ ପ୍ରାଧିକରଣ ର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ ପ୍ରଦାନ କରିଥିଲେ।