ବିଜେପି ଯୁବମୋର୍ଚ୍ଚ ପକ୍ଷରୁ ‘ଯୁବ ଅଧିକାର ସଂଘର୍ଷ ପଦଯାତ୍ରା’

0

ରାଜ୍ୟର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଲଢେଇ ଜାରି ରଖିବ

ଭୁବନେଶ୍ୱର : ଶାସକ ବିଜେଡି ସରକାର ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ନକରିବା, ସରକାରୀ ସ୍ତରରେ ବିଭିନ୍ନ ବିଭାଗରେ ପଦବୀ ଖାଲି ରହିବା, ନିଯୁକ୍ତି ମେଳା ନାଁରେ ଯୁବକମାନଙ୍କୁ ପ୍ରତାରିତ କରିବା, ବିଭିନ୍ନ ଶିଳ୍ପମାନଙ୍କ ସହ ଏମଓୟୁ କରି ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ନଦେବା ଆଦି ବିଭିନ୍ନ ଦାବି ନେଇ ବିଜେପି ଯୁବମୋର୍ଚ୍ଚ ପକ୍ଷରୁ ‘ଯୁବ ଅଧିକାର ସଂଘର୍ଷ ପଦଯାତ୍ରା’ ଆରମ୍ଭ ହୋଇଛି । ଏହି ପଦଯାତ୍ରା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ମଧୁବାବୁଙ୍କ ଜନ୍ମସ୍ଥାନ କଟକ ସତ୍ୟଭାମାପୁରରୁ ଆରମ୍ଭ ହୋଇଛି ।  ୧୨ ତାରିଖ ଦିନ  ଏହି ପଦଯାତ୍ରା ଭୁବନେଶ୍ୱରର ବକ୍ସି ଜଗବନ୍ଧୁଙ୍କ ପ୍ରତିମୂରତି  ପାଖରେ ସମାପ୍ତ ହେବା ସହ ରାଜ୍ୟସରକାରଙ୍କ ନୀତି ଏବଂ ନିଯୁକ୍ତି ନଦେଇ ଯୁବକ ଯୁବତୀମାନଙ୍କୁ ପ୍ରତାରିତ କରିବା ପ୍ରତିବାଦରେ ବିକ୍ଷୋଭ କରିବ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି ।

ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ନକରିବା ପ୍ରତିବାଦରେ ପୂର୍ବରୁ ଗତ ୫ ତାରିଖ ଦିନ ରାଜ୍ୟର ସମସ୍ତ ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜରେ ତାଲା ପକାଇ ବିକ୍ଷୋଭ କରିଥିଲା । ଏହି ବିକ୍ଷୋଭ ପ୍ରଦର୍ଶନରେ ଓଡିଶାର ଲକ୍ଷ ଲକ୍ଷ  ଯୁବକ ଯୁବତୀମାନେ ସ୍ୱତଃ ପ୍ରବୃତ ସମର୍ଥନ ଦେବା ସହ ରାଜ୍ୟସରକାରଙ୍କ ନୀତି ବିରୁଦ୍ଧରେ ପ୍ରତିବାଦ କରିଥିଲେ । ଅନ୍ୟପଟେ ଯୁବମୋର୍ଚ୍ଚା ପକ୍ଷରୁ ପଚରାଯାଇଥିବା ପ୍ରଶ୍ନ, ରାଜ୍ୟରେ ଏମ୍ପେ୍ଲୟମେଂଟ ଏକ୍ସଚେଞ୍ଜରେ କେତେ ଜଣ ପିଲା ନିଜ ନାଁ ରେଜିଷ୍ଟେ୍ରସନ କରିଛନ୍ତି ଆଉ କେତେ ଜଣଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ତାହା ରାଜ୍ୟସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କଲେ ନାହିଁ କି ଏହାର କୌଣସି ତାଲିକା ପ୍ରସ୍ତୁତ କଲେ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ଦୀର୍ଘ ୧୯ ବର୍ଷ ଧରିି ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇଛି । ଓଡିଶାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନଦେଇ ନିଯୁକ୍ତି ମେଳା ନାଁରେ ରାଜ୍ୟସରକାର ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ ରାଜ୍ୟର ବିକାଶକୁ ନେଇ ଡିଣ୍ଡିମ ପିଟୁଥିବାବେଳେ ଅନ୍ୟପଟେ ଯୁବକମାନେ ଏଠି କାମ ନପାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ସେହିପରି ରାଜ୍ୟସରକାର  ଓଡିଶାର ଥିବା ଶିଳ୍ପ ଗୁଡିକର ବିକାଶ ନକରି ବାଧକ ସାଜିଛନ୍ତି । ରାଜ୍ୟ ସରକାର ନୂଆ ଓଡିଆ ଶିଳ୍ପପତିମାନଙ୍କୁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା  କରିବା ପାଇଁ ପୋତ୍ସାହନ ଦେଉନାହାଁନ୍ତି । ରାଜ୍ୟରେ ଯେତେ ବି ଶିଳ୍ପ ରହିଛି ସେଠାରେ ଓଡିଆଯୁବକ ମାନଙ୍କୁ କାହିଁକି ନିଯୁକ୍ତି ମିଳି ନାହିଁ ବୋଲି ଶ୍ରୀ ତ୍ରୀପାଠୀ ରାଜ୍ୟସରକାରଙ୍କୁ ପ୍ରଶ୍ନ କରିଛନ୍ତି । ରାଜ୍ୟସରକାରଙ୍କ ରାଜ୍ୟର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନଦେବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଲଢେଇ ଜାରି ରଖିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଏହି ପଦଯାତ୍ରାରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ରାଜ୍ୟ ଉପସଭାପତି ସିକନ୍ଦର ଅଲ୍ଲୀ ଓ ସତ୍ୟବାଦି ଚଇନି, ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା, ଏନ. ରାଜେନ୍ଦ୍ର କୁମାର, ସଂପାଦକ ଓମ ପ୍ରକାଶ ମିଶ୍ର, ଦୀପକ ଗୋଚ୍ଛାୟତ, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ କାମାକ୍ଷା ପ୍ରସାଦ, ଜିଲ୍ଲା ସଭାପତି ଭକ୍ତ ବଲ୍ଲଭ ବସ୍ତିଆ, ସ୍ୱାଧୀନ ମହାନ୍ତି, ଆଲେକଜ୍ୟାଣ୍ଡର ଦାସ, ଦିଲୀପ ନାୟକ, ସଂପଦ ସ୍ୱାଇଁ, ସୁରଜ ସାମଲ, ସମର କାନୁନଗୋ ପ୍ରମୁଖଙ୍କ ସମେତ ଶହଶହ କାର୍ଯ୍ୟକର୍ତା ଏବଂ ଯୁବକ ଯୁବତୀ ସ୍ୱତଃ ପ୍ରବୃତ ସାମିଲ ହୋଇଥିଲେ । ଏଥି ସହ ରାଜ୍ୟ ବିଜେପିର ବରିଷ୍ଠ  ନେତା ମନମୋହନ ସାମଲ, ଉପସଭାପତି ସମୀର ମହାନ୍ତି ଓ ନୟନ ମହାନ୍ତି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ଓ ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.