
ଚମ୍ପୁଆ (ଶାସକ ପ୍ରଶାସକ) ଓଡ଼ିଶାର ଖଣି ସମୃଦ୍ଧ ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ଼ ଓ ବିଜେପି ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସତ୍ୱେ ଆଜି ଉଭୟ ଦଳର ହଜାର ହଜାର ସମର୍ଥକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପୂର୍ବାହ୍ନ ୧୧ଟାରେ ବିଜେପି ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ନିଜ ସମର୍ଥକଙ୍କ ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ନାମାଙ୍କନ ଦାଖଲ ସମୟରେ ତାଙ୍କ ସହିତ କେନ୍ଦ୍ର ଇସ୍ପାତ ଓ ଗ୍ରାମ ଉନ୍ନୟନ ରାଜ୍ୟମନ୍ତ୍ରୀ ଫଗନ ସିଂ କୂଳସ୍ତେ, କେନ୍ଦୁଝର ଲୋକସଭା ପ୍ରାର୍ଥୀ ଅନନ୍ତ ନାୟକ ପ୍ରମୁଖ ଯୋଗଦେଇ ଥିଲେ। ସେହିପରି ଅପରାହ୍ନ ୧୨ଟା ସମୟରେ ବିଜୁ ଜନତା ଦଳ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଏକ ବିଶାଳ ପଟୁଆରରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ତାଙ୍କ ସହ କେନ୍ଦୁଝର ଲୋକସଭା ପ୍ରାର୍ଥୀ ଧନୁର୍ଜୟ ସିଧୁ, ବିଜେଡି ଜିଲ୍ଲା ସଭାପତି କୁଶ ଆପଟ, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ, ବଡ଼ବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।