ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ଶେଷ ସନ୍ଧ୍ୟା,

2

ପ୍ରଭୁଙ୍କ ରାଜ୍ୟାଭିଷେକ ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ,

ଓଡଗାଁ, ୨୮।୪(ଶ୍ରୀକାନ୍ତ କୁମାର ମିଶ୍ର) : ଓଡଗାଁ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ନବଦିନ ଯାତ୍ରାର ଆଜିଥିଲା ଶେଷ ସନ୍ଧ୍ୟା। ରବିବାର ପ୍ରଭୁଙ୍କର ରାଜ୍ୟାଭିଷେକ ବେଶ ଦର୍ଶନ ସମୟରେ ଓଡ଼ଗାଁ ଅଯୋଧ୍ୟାମୟ ଅନୁଭବ ହୋଇଥିଲା । ୯ ଦିନର ଯାତ୍ରା ମଧ୍ୟରେ ଶ୍ରୀରାମଙ୍କ ଜନ୍ମ ଠାରୁ ସୀତା ବିବାହ ଏବଂ ବନବାସ ଠାରୁ ରାଜ ସିଂଘାସନ ଆରୋହଣ ଘଟଣା ଦର୍ଶନାର୍ଥିଙ୍କ ଭାବାବେଗ ସହିତ ଯୋଡିହୋଇ ରହିଥିଲା । ପ୍ରଭୁଙ୍କର ୧୪ ବର୍ଷର ବନବାସ ସ୍ଥାନୀୟ ଅଂଚଳ ବାସୀଙ୍କୁ ଯେତିକି ବ୍ୟଥିତ କରିଥିଲା ଆଜିର ରାଜ୍ୟାଭିଷେକ ବେଶ ଦର୍ଶନ ତାହାଠାରୁ ଶତ ଗୁଣରେ ଆନନ୍ଦ ଭରିଦେଇଥିଲା । ରତ୍ନ ବେଦିରେ ଶାନ୍ତ କାନ୍ତ ନବ ଦୁର୍ବାଦଳ ରୂପକାନ୍ତି ପ୍ରଭୁ ଶ୍ରୀରାମଙ୍କ ସହିତ ଜଗତ୍ ଜନନୀ ମା’ ସୀତା ବସିଥିବା ବେଳେ ପଶ୍ଚାତରେ ଲକ୍ଷ୍ମଣ ଛତ୍ର ଧରି ରହିଥିବା, ଭରତ ଚାମର ଦେଉଥିବା, ଶତୃଘ୍ନ ଆଲଟ ପକାଉଥିବା, ହନୁମାନ ପାଦ ପଦ୍ମରେ ଆଣ୍ଠୁମାଡି ପ୍ରଣାମ କରୁଥିବାର ଦୃଶ୍ୟ ଏବଂ ବିଭିଷଣ, ସୁଗ୍ରୀବ, ନଳ, ନିଳ, ଅଙ୍ଗଦ, ସୁଷେଣ, ଜାମ୍ବବାନ, ସମେତ ଇନ୍ଦ୍ର, ବ୍ରହ୍ମା, ଶିବ ଓ କୁଳଗୁରୁ ବଶିଷ୍ଟଙ୍କ ଉପସ୍ଥିତିର ଦୃଶ୍ୟ ଅଯୋଧ୍ୟାର ରାଜ ସିଂଘାସନ ପରି ପ୍ରତୀୟମାନ ହେଉଥିଲା । ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର,ପାପ ଉପରେ ପୁଣ୍ୟର ବିଜୟ ଉତ୍ସବ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥିଲା । ଆଜିର ପାଳିଆ ପଣ୍ଡା କେଦାର ମହାପାତ୍ର, ପୁଜକ ପରିଷଦ ଓ ସୁଆର ସେବକ ପରିଷଦର ସମସ୍ତ କର୍ମକର୍ତା, ସମସ୍ତ ବେଶକାରୀ ପୂଜାପଣ୍ଡା, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର, ଶୃଙ୍ଖଳାର ସହିତ ଠାକୁରଙ୍କ ନୀତି ସମ୍ପାଦନରେ ସହଯୋଗ କରିଥିଲେ । ଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଓଡଗାଁ ଆରକ୍ଷୀ ନିରୀକ୍ଷକ ରଶ୍ମିରଞ୍ଜନ ସାହୁଙ୍କ ତତ୍ୱାବଧାନରେ ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବା ବେଳେ ସ୍ଥାନୀୟ ରଘୁନାଥ ବିଦ୍ୟାପୀଠ ଏନସିସି କ୍ୟାଡେଟ ମାନଙ୍କର ସହଯୋଗ ମଧ୍ୟ ବେଶ ପ୍ରଶଂସନୀୟ ଥିଲା ।

Leave A Reply

Your email address will not be published.