ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ

6

ପାରଳାଖେମୁଣ୍ଡି / ବାଳକୃଷ୍ଣ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଗୋଟିଏ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ। ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ବସ୍ଥ ସୂତ୍ରରୁ ମୋହନା ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତି ସବିତା ପଟ୍ଟନାୟକ ଜାଣିବାକୁ ପାଇଥିଲେ। ଶ୍ରୀମତି ପଟ୍ଟନାୟକ ଖବର ପାଇ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସରେ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ଅବଗତ କରିଥିଲେ।
ଏହାପରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଏକ ଟିମ୍ ଗଠନ କରାଯାଇଥିଲା। ଉକ୍ତ ଟିମ୍ ରେ ସିଡିପିଓ ଶ୍ରୀମତି ସବିତା ପଟ୍ଟନାୟକ , ମହିଳା ସୁପରଭାଇଜର ଶ୍ରୀମତୀ ସ୍ବପ୍ନା କୁମାରୀ ପାତ୍ର , ଚନ୍ଦ୍ରଗିରି ଥାନାଧିକାରୀ ଶ୍ରୀ ପୁରୁଷୋତ୍ତମ ଦେବ , ଚାଇଲଡ଼ ହେଲପ୍ ଲାଇନ୍ , ଗଜପତି ର କେସ୍ ୱାର୍କର ଶ୍ରୀ ଇସମାଇଲ୍ କରାଡ , ଏକତା ସ୍ବେଚ୍ଛାସେବୀ ଅନୁଷ୍ଠାନର ପରାମର୍ଶଦାତା ସୁଶ୍ରୀ ପ୍ୟାରୀ ଖୁଜୁର୍ ଓ ଅନିତା କୁମାରୀ ନାୟକ ଏବଂ ଚନ୍ଦ୍ରଗିରି ସରପଞ୍ଚ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଉକ୍ତ ସ୍ଥାନକୁ ଯାଇ ହେବାକୁ ଥିବା ବାଲ୍ୟବିବାହକୁ ସ୍ଥଗିତ କରିଥଲେ।
ଏହାପରେ ବିବାହ ହେବାକୁ ଥିବା ଝିଅଟିର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା ଏବଂ ଅଭିଭାବକଙ୍କୁ ବାଲ୍ୟବିବାହ ଏକ ଅପରାଧ ଏବଂ ଏହାର କୁପ୍ରଭାବ ଉପରେ ବିଷଦ ଭାବରେ ବୁଝାଯାଇଥିଲା। ଗ୍ରାମ ବାସିନ୍ଦାଙ୍କ ଉପସ୍ଥିତିରେ ଝିଅର ପିତାମାତା ଝିଅକୁ ୧୮ ବର୍ଷ ପୂରଣ ନହେବା ଯାଏ ବିବାହ ଦେବେ ନାହିଁ ଏବଂ ଯଦି ଏଥିରେ ତ୍ରୁଟି କରିବେ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଲିଖିତ ଆକାରରେ ଜଣାଇଛନ୍ତି।
ଝିଅଟିକୁ ୧୮ ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାଲ୍ୟ ବିବାହ ନିରୋଧ ଟାସ୍କଫୋର୍ସ ଦ୍ବାରା ନିୟମିତ ପରାମର୍ଶ ଦେବା ସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.