ଶିବ ଧନୁ ଭାଙ୍ଗି କରି ସୀତାଙ୍କ ଠାରୁ ବରଣମାଳା ଗ୍ରହଣ କଲେ ଶ୍ରୀରଘୁନାଥ

0 1

ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରାର ୫ମ ସନ୍ଧ୍ୟା

ଓଡଗାଁ, ୨୨।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ଆଜି ହେଉଛି ୫ମ ସନ୍ଧ୍ୟା । ପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ, ଗୁରୁ ବିଶ୍ୱାମିତ୍ର,ସହିତ ଦାସଦାସୀ ଏବଂ ଅନ୍ୟାନ୍ୟ ରାଜାମାନଙ୍କ ଉପସ୍ଥିତିରେ ରାଜର୍ଷି ଜନକ ନନ୍ଦିନୀ ଜାନକୀ (ସୀତା)ଙ୍କ ପାଇଁ ଆୟୋଜିତ ସ୍ଵୟମ୍ବର ସଭାରେ ଜନକଙ୍କ ସର୍ତ୍ତ ଅନୁସାରେ ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କରୁଥିବା ଦୃଶ୍ୟକୁ ଦର୍ଶନ କରିବାର ସୈାଭାଗ୍ୟ ଅର୍ଜନ କରିଥିଲେ ଶ୍ରଦ୍ଧାଳୁ । ବିଧିର ବିଧାନକୁ କେହି ବଦଳାଇ ପାରିବେ ନାହିଁ। ଘଟଣା କ୍ରମେ ମିଥିଳା ନରେଶ ରାଜର୍ଷି ଜନକ, କନ୍ୟା ସୀତାଙ୍କ ବିବାହ ପାଇଁ ସର୍ତ ରଖିଥିଲେ, ସ୍ଵୟମ୍ବର ସଭାରେ ଅଂଶଗ୍ରହଣ କରିଥିବା ଯେଉଁ ରାଜା ଅଥବା ଯୋଦ୍ଧା ଶିବଧନୁରେ ଟାଣ ଦେଇପାରିବେ, ସୀତା ତାଙ୍କ ବେକରେ ବରଣମାଳା ପନ୍ଧାଇବେ।ଲଙ୍କାର ରାବଣ ସହିତ ଘୋଷଣା କରିଥିଲେ । ସର୍ତକୁ ଅନୁପାଳନ କରି ସୀତାଙ୍କୁୁ ବିବାହ କରିବା ଉଦେଶ୍ୟରେ ଆୟୋଜିତ ସ୍ୱୟମ୍ବରରେ ବହୁ ଶକ୍ତିଶାଳୀ ରାଜାମାନେ ଅଂଶଗ୍ରହଣ କରିଥିଲେ । ତେବେ ବିଦ୍ଧିର ନିର୍ଦ୍ଦେଶକୁ କିଏବା ବଦଳାଇ ପାରିବ । ପ୍ରବଳ ପ୍ରତାପି ରାଜାଧିରାଜମାନେ ଶିବଧନୁ ଭାଙ୍ଗିବାତ ଦୁରର କଥା, ଭୂଇଁରୁ ଉଠାଇବାକୁ ମଧ୍ୟ ସକ୍ଷମ ହୋଇ ନଥିଲେ। ବିବାହର ସର୍ତ୍ତକୁ ନେଇ ରାଜା ଜନକ ଚିନ୍ତିତ ହୋଇପଡ଼ିଲେ।ସୀତା ଅଭିଆଡ଼ା ରହିଯିବେ ବୋଲି ଭାବି ନିଜକୁ ଅସହାୟ ମଣୁଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅଯୋଧ୍ୟା ନରେଶ ଦଶରଥ ନନ୍ଦନ ରଘୁକୁଳ ତିଳକ ପ୍ରଭୁ ଶ୍ରୀରାମ ଧନୁରେ ଟାଙ୍କ ଦେବାରତ ଦୂରର କଥା ଶିବଧନୁଙ୍କୁ ପ୍ରଣାମ ଜଣାଇ ଉଠାଇବା ବେଳେ ଧନୁଟି ଦୁଇଖଣ୍ଡ ହୋଇଯାଇଥିଲା । ଆଶା ଆଶଙ୍କାରେ ଚାହିଁ ରହିଥିବା ରାଜା ମହାରାଜା ମାନେ ନିଜକୁ ଲଜ୍ଜିତ ମନେ କରିଥିବା ବେଳେ ମିଥିଳା ନରେଶ ଜନକଙ୍କ ଦୃଢ ସଙ୍କଳ୍ପକୁ ସାକାର କରି ପ୍ରଭୁ ରାମଚନ୍ଦ୍ର ସର୍ବ ସମୁଖରେ ତାଙ୍କ ବୀରତ୍ୱର ପରିଚୟ ପ୍ରଦାନ କରିଥିଲେ । ତତ୍ପରେ ମା’ସୀତା ବରଣ ମାଳା ପନ୍ଧାଇବା ସମୟରେ ପ୍ରଭୁ ଶ୍ରୀରାମ ସମ୍ମତି ପ୍ରକାଶ ସହିତ ମଥାନତ କରି ବରଣମାଳା ଗ୍ରହଣ କରିଥିଲେ । ଏହା ଥିଲା ସମଗ୍ର ନାରୀ ଜାତି ପାଇଁ ଏକ ସମ୍ମାନର ନିଦର୍ଶନ ।
ଆଜିର ସୀତା ବିବାହ ପରମ୍ପରା ଅନୁସାରେ ରାତି ୮ ପରେ ପ୍ରଭୁଙ୍କର ବିଜେ ପ୍ରତିମାଙ୍କୁ ବରବେଶରେ ସଜ୍ଜିତ କରିବା ସହିତ ଅନୁଜ ଲକ୍ଷ୍ମଣ, ରାମେଶ୍ୱର ମହାଦେବ ଏବଂ ରାଧାକୃଷ୍ଣଙ୍କ ବିଜେ ପ୍ରତିମାଙ୍କୁ ସ୍ୱତନ୍ତ୍ର ବିମାନରେ ବସାଇ ବରଯାତ୍ରୀ ଦଳ ବାହାରିଥିଲେ। ଆଜିର ସ୍ୱତନ୍ତ୍ର ଆକର୍ଷଣ ଭାବେ ପୁରୀର ନାଗାମେଢ ନୃତ୍ୟ, ନିଆଁ ବର୍ଣ୍ଣାଳୀ, କଳାଘୋଡା, ରାଜାରାଣୀ, ବାଘ ଲଢେଇ, ଷଣ୍ଢ ଲଢେଇ ସହିତ ବିଭିନ୍ନ ବାଦ୍ୟଯନ୍ତ୍ର ଓ ଆତାଶବାଜି ଶୋଭାଯାତ୍ରାରେ ସ୍ଥାନ ପାଇଥିଲା । ନଗର ପରିକ୍ରମା କରି ପ୍ରଭୁ ଝୁଲଣ ମଣ୍ଡପ ଠାରେ ପହଁଚିଲା ପରେ ବାଟବରଣ କରି ବିବାହ ବେଦିକୁ ନିଆଯାଇ ଥିଲା । ମନ୍ଦିର ପରିଚ୍ଛା ତଥା ପୁରୋହିତ ହରିବନ୍ଧୁ ଷଡଙ୍ଗୀଙ୍କ ଦ୍ୱାରା ବୈଦିକ ରୀତିମତେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପାଳିଆ ପଣ୍ଡା, ପୂଜକ ପରିଷଦ ଓ ସୁଆର ସେବକ ପରିଷଦଙ୍କ ସହିତ ଦେବୋତର ପରିଚାଳକ ତାପସ କୁମାର ପଟ୍ଟନାୟକ ଓ ମନ୍ଦିର ପରିଚାଳକ ଜିତେନ୍ଦ୍ର ମିଶ୍ରଙ୍କ ସହଯୋଗରେ ନୀତି ସମ୍ପର୍ଣ୍ଣ ହୋଇଥିବା ବେଳେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ପ୍ରଶାସନ ଦ୍ୱାରା ଆଇନ ଶୃଙ୍ଖଳା ବ୍ୟବସ୍ଥା ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.