ବିଜେପି ମିଶ୍ରଣ ପର୍ବର ଦୁଇ ଟାଣୁଆ ନେତା ଏବଂ ବିଜେପି ପ୍ରାର୍ଥୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଓ ବିରାଟ ବାଇକ ରାଲୀ ସହ ଦଳୀୟ ଶକ୍ତି ପ୍ରଦର୍ଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ଓଡ଼ିଶା ଆନ୍ଧ୍ର ସୀମାନ୍ତ ଲାବଣ୍ୟଗଡ ଠାରେ ପାରଳାଖେମୁଣ୍ଡିର ବିଜେପି ପ୍ରାର୍ଥୀ ଶ୍ରୀ କେ. ନାରାୟଣ ରାଓ ଏବଂ ଭୁବନେଶ୍ବର ଠାରେ ବିଜେପିର ରାଜ୍ୟ ସ୍ତରୀୟ ମିଶ୍ରଣ ପର୍ବରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଦୁଇ ଟାଣୁଆ ନେତାଙ୍କୁ ବିଜେପି ନେତା , କର୍ମୀ ଓ ସମର୍ଥକ ମାନେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।
ଏଥି ସହ ସେମାନଙ୍କୁ ଲାବଣ୍ୟଗଡ ଠାରୁ ପାରଳାଖେମୁଣ୍ଡି ଦୀର୍ଘ ୩୪ କିମି ପର୍ଯ୍ୟନ୍ତ ଏକ ବିରାଟ ବାଇକ ରାଲିରେ ପାଛୋଟି ଆଣି ଦଳୀୟ ସାଂଗଠାନିକ ଶକ୍ତି ବୃଦ୍ଧିର ପ୍ରଦର୍ଶନ କରିଥିଲେ।
ବାଇକ ରାଲି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାବଣ୍ୟଗଡ , ଗାରାବନ୍ଧା , ଗୋଷାଣୀ , ଗୁରାଣ୍ଡି , ତାଟିପେଟି , ଭୁସୁକୁଡ଼ି , ମାଛମରା , ରାଜପୁର , ଉପଲଡା ପ୍ରଭୃତି ପଞ୍ଚାୟତ ଅଞ୍ଚଳ ପରିକ୍ରମା କରିବା ସମୟରେ ସେମାନଙ୍କୁ ଅଞ୍ଚଳବାସୀ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ପାରଳାଖେମୁଣ୍ଡି ସହର ପରିକ୍ରମା କରି ବାଜାର ଛକ ସ୍ଥିତ ନବ ଉତ୍କଳର ନିର୍ମାତା ତଥା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୟ ଆଶୀର୍ବାଦ ନେଇଥିଲେ।
ଏହି ଅବସରରେ ପାରଳା ବିଧାୟକ ତଥା ପାରଳାଖେମୁଣ୍ଡି ବିଜେପି ପ୍ରାର୍ଥୀ ଶ୍ରୀ କେ.ନାରାୟଣ ରାଓ ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଛନ୍ତି ଯେ , ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ ଭାବେ ମୋତେ ବିଜେପି ଟିକେଟ ମିଳିବା ପରେ ମୁଁ ପାରଳାଖେମୁଣ୍ଡି ଆସିବା ବାଟରେ ଲାବଣ୍ୟଗଡ ଠାରେ ମୋତେ ଏବଂ ବିଜେଡି ଛାଡ଼ି ବିଜେପିରେ ଦୁଇ ଟାଣୁଆ ନେତାଙ୍କୁ ଦଳୀୟ ନେତା ଓ କର୍ମୀଙ୍କ ସମେତ ବିଜେପି ସମର୍ଥକ ହଜାର ହଜାର ସଂଖ୍ୟାରେ ବିପୁଳ ସ୍ୱାଗତ ଜଣାଇଥିଲେ।
ବିଜେଡିର ଏଇ ଦୁଇ ଟାଣୁଆ ନେତା ହେଲେ କାଶୀନଗର ବ୍ଲକର ରକମ୍ ରାମପ୍ରସାଦ ଜ୍ୟୋତି ଏବଂ ଗୋଷାଣୀ ବ୍ଲକର ବାଲା ଧନଞ୍ଜୟ। ଏମାନଙ୍କ ସହିତ ସରପଞ୍ଚ , ସମିତି ସଭ୍ୟ ଓ ସୋସାଇଟି ସଭାପତି ସମେତ ଶତାଧିକ ଲୋକ ବିଜେପିରେ ମିଶିଛନ୍ତି। ଏମାନେ ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଛାଡ଼ି ବିଜେପି ଦଳରେ ମିଶିଛନ୍ତି। ଏହାଦ୍ବାରା ପାରଳା ନିର୍ବାଚନ ମଣ୍ଡଳୀରେ ବିଜେପିର ଶକ୍ତି ବହୁ ମାତ୍ରାରେ ବୃଦ୍ଧି ପାଇଛି ଏବଂ ଚଳିତ ନିର୍ବାଚନରେ ବିଜେପି ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବା ସହ ବିଜୟ ହେବ ବୋଲି କହିଥିଲେ।