ଭୁବନେଶ୍ୱର,୧୫ ।୪: କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସେସ୍ (କିମ୍ସ) ହସ୍ପିଟାଲରେ ଅତ୍ୟାଧୁନିକ ଷ୍ଟ୍ରୋକ୍ ସେଣ୍ଟର କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସୋମବାର ଉଦ୍ଘାଟିତ ହୋଇଯାଇଛି। ମୃତ୍ୟୁର କାରଣ ହେଉଥିବା ବିଭିନ୍ନ ପ୍ରକାର ଷ୍ଟ୍ରୋକ୍ ପ୍ରଭାବର ମୁକାବିଲା ପାଇଁ ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଏହି ସେଣ୍ଟରରେ ଏକ ଉତ୍ସର୍ଗୀକୃତ ଷ୍ଟ୍ରୋକ୍ ବିଶେଷଜ୍ଞ ଟିମ୍ ରହିଥିବା ବେଳେ ନବୀନତମ ନିଦାନ ଓ ଚିକିତ୍ସା ପଦ୍ଧତି ଉପଲବ୍ଧ। ଏହି ସେଣ୍ଟର ତ୍ୱରିତ ରୋଗୀ କୈନ୍ଦ୍ରୀକ ଯତ୍ନ ନିମନ୍ତେ ପ୍ରତିବଦ୍ଧ।
ଷ୍ଟ୍ରୋକ୍ ହୋଇଥିବା ରୋଗୀ ଉପଯୁକ୍ତ ସମୟରେ ସଙ୍କଟାପନ୍ନ ପରିସ୍ଥିତିରେ ଜରୁରୀ ଚିକିତ୍ସା ଆବଶ୍ୟକ କରିଥାନ୍ତି। ମସ୍ତିସ୍କରେ ସର୍ବାଧିକ କ୍ଷତି ରୋକିବା ନିମନ୍ତେ ଷ୍ଟ୍ରୋକ୍ ହେବାର ସାଢ଼େ ୪ରୁ ୫ ଘଣ୍ଟା ମଧ୍ୟରେ ରୋଗୀ ହସ୍ପିଟାଲରେ ପହଞ୍ଚିବା ଆବଶ୍ୟକ ବୋଲି କିମ୍ସ ନ୍ୟୁରୋଲୋଜି ବିଭାଗ ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଡା. ସନ୍ତୋଷ କୁମାର ଦାଶ କହିଛନ୍ତି। ଷ୍ଟ୍ରୋକ୍ର ତ୍ୱରିତ ଚିକିତ୍ସାର ଆବଶ୍ୟକତା ସମ୍ପର୍କରେ ଅଭିଜ୍ଞତା ଥିବା ବିଶେଷଜ୍ଞଙ୍କ ଦ୍ୱାରା କିମ୍ସର ଏହି ଷ୍ଟ୍ରୋକ୍ ସେଣ୍ଟରରେ ରୋଗୀଙ୍କୁ ସର୍ବୋତ୍କୃଷ୍ଟ ଯତ୍ନ ସୁନିଶ୍ଚିତ କରିବା ସହ ଉତ୍ତମ ଚିକିତ୍ସା ପ୍ରଦାନ କରାଯାଇଥାଏ। ଷ୍ଟ୍ରୋକ୍ ରୋଗୀଙ୍କ ପାଇଁ ପ୍ରତ୍ୟେକ ମିନିଟ୍ ହେଉଛି ମୂଲ୍ୟବାନ। ଯେତେ ଶୀଘ୍ର ରୋଗୀର ଚିକିତ୍ସା କରାଯାଇଥାଏ ସେହି ଅନୁସାରେ ଉପଶମର ସମ୍ଭାବନା ସେତେ ବଢ଼ିଥାଏ। ଏହି ସେଣ୍ଟରରେ ୨୪ ଘଣ୍ଟିଆ ଷ୍ଟ୍ରୋକ୍ ବିଶେଷଜ୍ଞ ଉପଲବ୍ଧ ରହୁଥିବା ବେଳେ ଏଠାରେ ସିଟି ସ୍କାନ୍, ଏମ୍ଆରଆଇ, ଠିକ୍ ସମୟରେ କ୍ଲଟ୍-ବୁଷ୍ଟିଂ ମେଡ଼ିସିନ୍ର ଉପଯୋଗ ଏବଂ ଆବଶ୍ୟକ ଅନୁଯାୟୀ ମିନିମାଲି ଇନ୍ଭାସିଭ କ୍ଲଟ୍ ରିମୁଭାଲ୍ ପଦ୍ଧତି ଓ ତ୍ୱରିତ ନିଦାନ ସୁବିଧା ରହିଛି। ବିଶେଷଜ୍ଞଙ୍କ ଯତ୍ନ, ସମ୍ପୂର୍ଣ୍ଣ ପୁନର୍ବାସ କାର୍ଯ୍ୟକ୍ରମ ସହ ରୋଗୀମାନେ ସ୍ୱତନ୍ତ୍ର ଷ୍ଟ୍ରୋକ୍ ୟୁନିଟ୍ର ସୁବିଧା ପାଇପାରିବେ। ଓଡ଼ିଶାରେ ଏହି ଷ୍ଟ୍ରୋକ୍ କେନ୍ଦ୍ର ଖୋଲିବା ଦ୍ୱାରା ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଆଉ ପାଦେ ଆଗକୁ ବଢ଼ିଛି। ଏହି ସେଣ୍ଟରରେ ଡା. ସନ୍ତୋଷ ଦାଶ ସମସ୍ତ ପ୍ରକାର ନ୍ୟୁରୋଲୋଜି ସମସ୍ୟା ପରିଚାଳନା କରୁଥିବା ବେଳେ ଓବେଷ୍ଟେଟ୍ରିକ୍ ସମସ୍ୟା ଡା. ଅସୀମା ଦାସ ଓ ଡ଼ା. ଏସ. କେ. ରଥ ପରିଚାଳନା କରୁଛନ୍ତି। ଏହି ଅତ୍ୟାଧୁନିକ ଷ୍ଟ୍ରୋକ୍ ସେଣ୍ଟର ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିବାରୁ ସେଣ୍ଟରର ବିଶେଷଜ୍ଞ ଦଳ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ସିବିକେ ମହାନ୍ତି, କିମ୍ସ ମେଡ଼ିକାଲ ପରାମର୍ଶଦାତା ଡ଼ା. ଆର୍. ଏନ୍. ସାମନ୍ତ, କିମ୍ସ ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଅମ୍ବିକା ପ୍ରସାଦ ମହାନ୍ତି, ମେଡ଼ିକାଲ ଅଧୀକ୍ଷକ ଡା. ଆର. ସି. ଦାଶ, ଉପଅଧୀକ୍ଷକ ଡ଼ା. କବିକାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post