ସୁନ୍ଦରଗଡ, (ବସନ୍ତ କୁମାର ଜେନା):- ସୁନ୍ଦରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହା ଅଧିନରେ ଆସୁଥିବା ୭ ଗୋଟି ବିଧାନସଭା ମଣ୍ଡଳୀ ନିର୍ବାଚନ ନିମନ୍ତେ ଇଭିଏମ ରାଣ୍ଡୋମାଇଜେସନ କାର୍ଯ୍ୟ ଆଜି ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଶେଷ ହୋଇଛି । ଏହାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ଡ଼ା. ପରାଗ ଗଭାଲୀ ତତ୍ତ୍ୱାବଧାନ ଏବଂ ନୀରିକ୍ଷଣ କରିଥିଲେ । ଏଥିରେ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣିଂ ଅଧିକାରୀ, ନିର୍ବାଚନ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ଏବଂ ବିଭିନ୍ନ ଜାତୀୟ ଏବଂ ରାଜ୍ୟ ସ୍ତରର ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ପ୍ରଥମ ପର୍ଯ୍ୟାୟରେ ଇଭିଏମ, ବାଲାଟ୍ ୟୁନିଟ୍, କଂଟ୍ରୋଲ ୟୁନିଟ୍ ଏବଂ ଭିଭିପାଟ୍ ଆଦିକୁ ନିରପେକ୍ଷ ଭାବେ ସଫୱେୟାର ମାଧ୍ୟମରେ ରାଣ୍ଡୋମାଇଜେସନ କରାଯାଇଥିଲା । ଏପରି କରିବା ଫଳରେ ଏକ ସ୍ୱଚ୍ଛ ଏବଂ ପାରଦର୍ଶୀ ନିର୍ବାଚନ ନିମନ୍ତେ ମୂଳଦୂଆ ପକାଇ ରଖାଯାଇଥିଲା । ଇଭିଏମ ଗୁଡିକର ରାଣ୍ଡୋମାଇଜେସନ ହେଲାପରେ ଏହାର ଏକକିତା ନକଲ ଉପସ୍ଥିତ ଥିବା ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ପ୍ରଦାନ କରାଯାଇଥିଲା । ସଫ୍ଟୱେର ବ୍ୟବହାର କରି ମାନବୀୟ ହସ୍ତକ୍ଷେପକୁ କମ୍ କରି ନିର୍ବାଚନକୁ ଅଧିକ ପାରଦର୍ଶି କରିବାକୁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ବୋଲି ଜିଲ୍ଲାପାଳ ଡ଼ା. ଗଭାଲି ସୂଚନା ଦେଇଥିଲେ ।
ଏହା ପୂର୍ବରୁ ବୈଠକରେ ଉପସ୍ଥିତ ଥିବା ଅଧିକାରୀମାନେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଏହି ପ୍ରକ୍ରିୟା ବିଷୟରେ ଭଲଭାବେ ବୁଝାଇଥିଲେ । ପରେ ରାଣ୍ଡୋମାଇଜ ହୋଇଥିବା ଏହି ଇଭିଏମ ସବୁକୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଥିବା ଷ୍ଟ୍ରଙ୍ଗରୁମ କୁ ଦୃଢ଼ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ପଠାଇ ଦିଆଯିବ । ଆଗାମୀ ଦିନରେ ଏହି ରାଣ୍ଡୋମାଇଜେସନ ପ୍ରକ୍ରିୟା ଜାରୀ ରହିବ ଯାହା ଫଳରେ ପୋଲିଂ ବୁଥ ଗୁଡିକୁ ନ୍ୟାୟ ସଙ୍ଗତଭାବେ ପାରଦର୍ଶୀ ଏବଂ ସୁରକ୍ଷା ନିୟମକୁ ଅନୁପାଳନ କରି ଇଭିଏମ ସବୁ ପଠାଯାଇପାରିବ ।