କଟକ: ଲୋକସେବକ ମଣ୍ଡଳର ପୂର୍ବତନ ଆଜୀବନ ସଦସ୍ୟ ନିରଞ୍ଜନ ରଥଙ୍କୁ ଲାଗିଛି ଅଦାଲତର ଝଟକା । ଲୋକସେବକ ମଣ୍ଡଳ ପକ୍ଷରୁ ତାଙ୍କ ପ୍ରତି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇବାକୁ ଶ୍ରୀରଥ ଅଦାଲତର ଦ୍ୱାରସ୍ଥ ହୋଇଥିବା ବେଳେ ଅଦାଲତ ଉକ୍ତ ଆବେଦନକୁ ଖାରଜ କରିଦେଇଛନ୍ତି ।
ଜିମ୍ସାରରେ ପରିଚାଳନାଗତ ବିଭ୍ରାଟ, ପାଣ୍ଠି ଦୁରୁପଯୋଗ ଏବଂ ଅନ୍ୟାନ୍ୟ ଅନିୟମିତତା ସଂକ୍ରାନ୍ତରେ ଲୋକସେବକ ମଣ୍ଡଳ ନିକଟରେ ଗୁରୁତର ଅଭିଯୋଗ ହୋଇଥିଲା । ଏ ସଂକ୍ରାନ୍ତରେ ଲୋକସେବକ ମଣ୍ଡଳର କାର୍ଯ୍ୟନିର୍ବାହୀ ପରିଷଦ ପକ୍ଷରୁ ୨୦୨୩ ଅକ୍ଟୋବର ୨୭ ରେ ଅନୁଷ୍ଠିତ ବୈଠକରେ ଅଡିଟରଙ୍କ ସହିତ ୩ଜଣିଆ ସଦସ୍ୟଙ୍କ ଦ୍ୱାରା ଏକ ତଦନ୍ତ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି କମିଟି ଦ୍ୱାରା ୨୦୨୪ ଜାନୁଆରୀ ୨୪ରେ ମିଳିଥିବା ରିପୋର୍ଟରେ ଜିମ୍ସାରରେ ଏକାଧିକ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଦର୍ଶାଯାଇଥିଲା । ଏହି ରିପୋର୍ଟ ଉପରେ ଲୋକସେବକ ମଣ୍ଡଳର ଷ୍ଟାଣ୍ଡିଂ କମିଟି ଓ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଉପସ୍ଥାପିତ ହେବା ସହ ଏହା ଉପରେ ଆଲୋଚନା କରାଯାଇଥିଲା । କାର୍ଯ୍ୟନିର୍ବାହୀ ପରିଷଦ (ଇସି) ସଦସ୍ୟମାନଙ୍କ ମତାମତ ନେବା ପରେ ଲୋକସେବକ ମଣ୍ଡଳର ସଭାପତି ଏ ପ୍ରସଙ୍ଗରେ ଅନୁସନ୍ଧାନ ପାଇଁ ଉପଯୁକ୍ତ ସଂସ୍ଥାର ସହାୟତା ନେବାକୁ ନିଷ୍ପତ୍ତି ନେଇଥିଲେ । ଲୋକସେବକ ମଣ୍ଡଳ ସମ୍ବିଧାନର ଧାରା ୮ରେ ଧାର୍ଯ୍ୟ ବ୍ୟବସ୍ଥା ଅନୁସାରେ ସଭାପତିଙ୍କ ଉପରେ ନ୍ୟସ୍ତ କ୍ଷମତା ବଳରେ ସଭାପତି ଶ୍ରୀ ନିରଞ୍ଜନ ରଥଙ୍କୁ କୋଷାଧ୍ୟକ୍ଷ ପଦରୁ ଅବ୍ୟାହତି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଅନ୍ତରିଣ ପଦକ୍ଷେପ ଭାବେ ୧୮୬୭ ପ୍ରେସ୍ ଓ ରେଜିଷ୍ଟ୍ରେସନ ଅଫ୍ ବୁକ୍ସ ଆକ୍ଟର ବ୍ୟବସ୍ଥା ଅନୁସାରେ ୨୦୨୪ ଫେବୃଆରୀ ୨୧ ତାରିଖ ଠାରୁ ଶ୍ରୀ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଭାବେ ଲୋକସେବକ ମଣ୍ଡଳର ସଭାପତି ନିଯୁକ୍ତି ଦେଇଛନ୍ତି । ‘ସମାଜ’, ‘ଜିମ୍ସାର’ ଓ ‘ସତ୍ୟବାଦୀ’ ସମେତ ଲୋକସେବକ ମଣ୍ଡଳର କୌଣସି କାର୍ଯ୍ୟରେ ଶ୍ରୀ ନିରଞ୍ଜନ ରଥ ସଂପୃକ୍ତ ରହିବେ ନାହିଁ ବୋଲି ସଭାପତି ନିର୍ଦ୍ଦେଶ ଦେଇଥିଲେ । ଏଥିସହ ବହୁ ଦୁର୍ନୀତି, ପ୍ରିୟାପ୍ରୀତି, ତଥ୍ୟ ଗୋପନ ଭଳି ଗୁରୁତର ଅଭିଯୋଗ ଉପରେ ପ୍ରସ୍ତାବିତ ତଦନ୍ତକୁ ଚାପ ଓ ପ୍ରଭାବମୁକ୍ତ ରଖିବା ଉଦ୍ଦେଶ୍ୟରେ ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ପଦରୁ ଶ୍ରୀ ରଥଙ୍କୁ ଗତ ମାର୍ଚ୍ଚ ୨୯ ତାରିଖରେ ସଭାପତି ନିଳମ୍ବନ କରିଥିଲେ । ଏଥିସହ ତାଙ୍କ ବିରୋଧରେ ଉଠିଥିବା ବହୁ ଗୁରୁତର ଅଭିଯୋଗର ତଦନ୍ତ ସକାଶେ ନିରପେକ୍ଷ ତଦନ୍ତ ଅଧିକାରୀଙ୍କ ନାମ ସଭାପତିଙ୍କୁ ସୁପାରିସ କରିବା ପାଇଁ ମଣ୍ଡଳର ଦୁଇ ବରିଷ୍ଠ ଆଜୀବନ ସଭ୍ୟଙ୍କୁ ସଭାପତି ଅନୁରୋଧ କରିଥିଲେ ।
ଲୋକସେବକ ମଣ୍ଡଳର ଏହି କାର୍ଯ୍ୟାନୁଷ୍ଠାନ ତଥା ଦାୟିତ୍ୱରୁ ଅବ୍ୟାହତି ଓ ପରେ ନିଳମ୍ବନ ଆଦେଶ ବିରୋଧରେ ଶ୍ରୀ ନିରଞ୍ଜନ ରଥ କଟକ ସ୍ଥିତ ବରିଷ୍ଠ ଦେୱାନୀ ବିଚାରପତି (ପ୍ରଥମ)ଙ୍କ ଅଦାଲତର ଦ୍ୱାରସ୍ଥ ହେବା ସହ ସେଠାରେ ଏକ ଦେୱାନୀ ମାମଲା ରୁଜୁ କରିଥିଲେ । ଲୋକସେବକ ମଣ୍ଡଳର ଓଡିଶା ଶାଖା ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପକୁ ରୋକିବା ଏବଂ ନିଳମ୍ବନ ଆଦେଶ ଉପରେ ଅନ୍ତରୀଣ (ମଧ୍ୟବର୍ତ୍ତୀ) ଅଙ୍କୁଶ ଲଗାଇବାକୁ ସେ ଅଦାଲତରେ ଆବେଦନ କରିଥିଲେ । ତେବେ ମଧ୍ୟବର୍ତ୍ତିକାଳୀନ ରହିତାଦେଶ ଦେବାକୁ ଶ୍ରୀରଥ କରିଥିବା ଆବେଦନକୁ ଅଦାଲତ ଗ୍ରହଣ ନକରି ଖାରଜ କରିଦେଇଥିଲେ । । ପ୍ରତିପକ୍ଷଙ୍କ ଉପରେ ମଧ୍ୟବର୍ତ୍ତି ଅଙ୍କୁଶ ଜାରି କରିବାର କୌଣସି ଜରୁରୀ ଆବଶ୍ୟକତା ଅନୁଭବ କରୁନାହାନ୍ତି ବୋଲି ଅଦାଲତ ତାଙ୍କ ଆଦେଶନାମାରେ (ତା.୮-୦୪-୨୦୨୪) ସ୍ପଷ୍ଟ କରିଛନ୍ତି । ଆସନ୍ତା ମଇ ୮ ତାରିଖକୁ ମୂଳ ମକଦ୍ଦମାର ଶୁଣାଣି ଧାର୍ଯ୍ୟ ହୋଇଛି ।
ଶ୍ରୀ ନିରଞ୍ଜନ ରଥଙ୍କ ଆବେଦନକୁ ଅଦାଲତ ଖାରଜ କରିଦେବା ପରେ ତାଙ୍କ ପ୍ରତି ଲୋକସେବକ ମଣ୍ଡଳର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କଣ ହେବ ତାହାକୁ ଓଡିଶାବାସୀ ଚାହିଁ ବସିଛନ୍ତି ।
Sign in
Sign in
Recover your password.
A password will be e-mailed to you.