ଓଡ଼ଗାଁ, ୬|୪ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଓଡ଼ଗାଁ ସେକ୍ସନ ଅନ୍ତର୍ଗତ ବାଣ୍ଠପୁର ପଞ୍ଚାୟତ ନୂଆପଲ୍ଲୀ ଅଞ୍ଚଳରୁ ଓଡ଼ଗାଁ ବନ ବିଭାଗ ୧୦୮ କିଲୋ ଓଜନର ମୂଲ୍ୟବାନ ଚନ୍ଦନ କାଠ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କୁରାଳ ପଞ୍ଚାୟତ ଦଣ୍ଡୋର ଗ୍ରାମର ସୁବାସ ବିଶୋଇ (୪୨) ଓ କୋମଣ୍ଡ ପଞ୍ଚାୟତ ନବରନୂପୁର ଗ୍ରାମର ମହେଶ୍ବର ରାଉତ (୪୩)। ସୂଚନା ଅନୁଯାୟୀ ଆଜି ଅପରାହ୍ନ ସମୟରେ ନୂଆପଲ୍ଲୀ ସଂରକ୍ଷିତ ଜଙ୍ଗଲରେ ଚନ୍ଦନ କାଠ ଚୋରି ସମ୍ପର୍କରେ ସୂଚନା ପାଇ ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ଗାଁ ବନପାଳ ସରିତା ବରାଳ, ଫରେଷ୍ଟ ଗାର୍ଡ ସୌମ୍ୟରଞ୍ଜନ ଦଳେଇ ଓ ସ୍କ୍ବାଡ ଟିମ ସଦଳବଳେ ଘଟଣାସ୍ଥଳରେ ପହଂଚି ଚନ୍ଦନ କାଠ ମାଫିଆକୁ କାବୁ କରିବାରେ ସଫଳ ହୋଇଥିଲେ । ବନକର୍ମଚାରୀଙ୍କ ଚଢ଼ାଉ ସମୟରେ ମାଫିଆମାନେ ଖସି ଯିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇ ଧରା ପଡ଼ିଥିଲେ। ଦୁଇ ଅଭିଯୁକ୍ତଙ୍କ ଠାରୁ ୧୦୮ କିଲୋ ମୂଲ୍ୟବାନ ଚନ୍ଦନ କାଠ ଜବତ ହୋଇଥିବାବେଳେ କାଠ କଟାରେ ବ୍ୟବହୃତ ୩ ଗୋଟି ବଡ଼ କରତ ବ୍ଲେଡ଼, ସାନ କରତ, ୨ ଗୋଟି କାତି ଓ ଟାଙ୍ଗିଆ ଜବତ କରିବାରେ ସଫଳ ହୋଇଥିଲେ।ଜବତ କାଠର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଥିବା ବେଳେ ଏହାର ପ୍ରକୃତ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବବୋଲି ଅନୁମାନ ହେଉଛି । ଏହି ଚଢ଼ାଉରେ ଫରେଷ୍ଟ ସ୍ମାର୍ଡଙ୍କ ସମେତ ଓଡ଼ଗାଁ ସମସ୍ତ ବନକର୍ମଚାରୀ ସାମିଲ ରହିଥିଲେ।
Sign in
Sign in
Recover your password.
A password will be e-mailed to you.