ବିଜେଡ଼ିରେ ଯୋଗଦେଲେ ବିଜେପି ନେତା ଭୃଗୁ ବକ୍ସିପାତ୍ର

0

ଭୁବନେଶ୍ୱର, ୦୩/୦୪/୨୦୨୪:୨୦୧୯ ସାଧାରଣ ନିର୍ବାଚନର ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଆଜି ଶଙ୍ଖଭବନ ଠାରେ ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ଡ. ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ଦଳରେ ସାମିଲ୍ ହୋଇଥିବା ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କୁ ଶ୍ରୀସାହୁ, ଶ୍ରୀ ପଣ୍ଡା, ଶ୍ରୀମଙ୍ଗରାଜ ଓ ଡପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ଭୃଗୁ ବକ୍ସିପାତ୍ରଙ୍କ ଯୋଗଦାନ ଫଳରେ ବିଶେଷ କରି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ସାହୁ, ଶ୍ରୀ ପଣ୍ଡା,ଶ୍ରୀମଙ୍ଗରାଜ ଓ ଡକ୍ଟର ପାତ୍ର କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଭୃଗୁ ବକ୍ସିପାତ୍ର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ଆଜିଠୁ ମୋ ରାଜନୈତିକ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ ହେଲା । ସମୃଦ୍ଧଶାଳୀ ଓଡ଼ିଶା ଗଠନ ଦିଗରେ ହେଉଥିବା କାର୍ଯ୍ୟରେ ସାମିଲ ହେବି । ନବୀନ ବାବୁଙ୍କ ନେତୃତ୍ୱରେ ଗୁଣ୍ଡୁଚି ମୂଷା ଭଳି କାମ କରିବାକୁ ଆସିଛି । ସାଧାରଣ ଲୋକଙ୍କ ଜନଜୀବନକୁ ଶକ୍ତିଶାଳୀ କରିବା ଦିଗରେ କାର୍ଯ୍ୟ କରିବି । ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲି ।ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି ।ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।
ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.