ବିଧାୟକ ପ୍ରତାପ ଜେନାଙ୍କ ଦ୍ୱାରା ଘଟଣାର ସମୀକ୍ଷା ସହିତ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ନିର୍ଦେଶ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ନିଶ୍ଚିନ୍ତକୋଇଲି ଥାନା ଛକ ଅଚ୍ୟୁତାନନ୍ଦ ମାର୍ଗରେ ଡଃ.ଦେବ ମହାନ୍ତି ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଯାଉଥିବା ଉକ୍ତ ବିଦ୍ୟାଳୟର ଏକ ବସ ଭରସାମ୍ୟ ହରାଇ ହେଲଥ୍ ପ୍ଲସ ମେଡ଼ିସିନ୍ ଷ୍ଟୋର ବାରଣ୍ଡା ଭିତରକୁ ମାଡ଼ି ଯାଇଥିଲା I ସ୍କୁଲ ଛୁଟି ହେବା ପରେ ଛାତ୍ର ଛାତ୍ରୀମାନଙ୍କୁ ନେଇ ଖଣ୍ଡସାହି ସ୍ଥିତ ଡଃ. ଦେବମହାନ୍ତି ପବ୍ଲିକ ସ୍କୁଲରୁ କୋରୁଆ ଅଭିମୁଖେ ଯାଉଥିବା ଉକ୍ତ ବସଟି ଦୁର୍ଘଟଣା ଗ୍ରସ୍ତ ହେବାରୁ ଏଥିରେ ଥିବା ୬ଜଣ ଛାତ୍ର ଓ ଡ୍ରାଇଭର ଆହତ ହୋଇଥିଲା ବେଳେ ୨ ଛାତ୍ର ସମେତ, ହେଲପର ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ବସର କାଚ ଭାଙ୍ଗି ଛାତ ଛାତ୍ରୀମାନଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ । ମୋଟ୍ ୧୦ ଜଣଙ୍କ ମଧ୍ୟରୁ ୩ଜଣଙ୍କ ସାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା l ଡ୍ରାଇଭର ସହ ୭ଜଣ ଦୁର୍ଘଟଣା ଗ୍ରସ୍ତକୁ ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡ଼ି ଦିଆଯାଇଥିଲା ବେଳେ ଅଧିକ ଗୁରୁତର ହୋଇଥିବା ଛାତ୍ର ଅଭିଜ୍ଞାନ ଦାସ(୧୪)ଙ୍କୁ ଏକ ଘରୋଇ ହସ୍ପିଟାଲରେ ଏବଂ ହେଲପର ତ୍ରିଲୋଚନ ବାରିକ (୬୪)ଙ୍କୁ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା କରାଯାଉଛି ଏହାଛଡ଼ା କେଶବ ଭୋଇଙ୍କୁ ମଧ୍ୟ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା କରାଯାଇ ଅବସ୍ଥା ଭଲ ଥିବାରୁ ଘରକୁ ଛାଡ଼ି ଦିଆଯାଇଛି। ଆହତ ମାନଙ୍କ ମଧ୍ୟରେ ଡ୍ରାଇଭର ସେକ୍ ମୋଇଉଦ୍ଦିନ୍ ଛାତ୍ର ସୟଦ୍ ଅବଦୁଲ(୮), ପ୍ରତୀକ୍ଷା ପଟ୍ଟନାୟକ(୧୨), ପ୍ରତୀକ ମହାନ୍ତି(୧୦), ସୋନାଲିକା ପ୍ରିୟଦର୍ଶିନୀ ଦାସ(୧୪), ବିଷ୍ଣୁପ୍ରସାଦ ଦାସ(୧୭), ଏସ୍ ମହାନ୍ତି(୮) ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବାରୁ ଘରେ ଚିକିତ୍ସାଧୀନ ଅଛନ୍ତି । ଅଚ୍ୟୁତାନନ୍ଦ ମାର୍ଗର କୋଲଡ଼ ଷ୍ଟୋର ନିକଟରେ ଥିବା ଏକ ବାଙ୍କ ରାସ୍ତାରେ ବିପରୀତ ଦିଗରୁ ହଠାତ୍ ଏକ ଟ୍ରାକ୍ଟର ପଶି ଆସିବାରୁ ବସଟି ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଗ୍ରସ୍ତ ହୋଇଛି ।
ଥାନା ଛକରୁ ନରେନ୍ଦ୍ରପୁର ପର୍ଯ୍ୟନ୍ତ ଯାଇଥିବା ଏହି ଅଚ୍ୟୁତାନନ୍ଦଙ୍କ ମାର୍ଗରେ ଦୁର୍ଘଟଣା ଗ୍ରସ୍ତ ସ୍ଥାନରେ ଶୀତଳ ଭଣ୍ଡାରର ବହୁ ପାଚେରୀ ରାସ୍ତାକୁ ଲାଗି ରହିଥିବା ଏବଂ ମେଡ଼ିସିନ ଷ୍ଟୋରର ବାରଣ୍ଡା ମଧ୍ୟ ଏହି ରାସ୍ତା କଡ଼କୁ ଲାଗିଥିବାରୁ ସେଠାରେ ରାସ୍ତା ବହୁ ଅଣଓସାରିଆ ଏବଂ ବାଙ୍କରେ ଉଭୟ ପାର୍ଶ୍ବରେ ଗାଡ଼ି ଆସୁଥିବା କେହି କାହାକୁ ଦେଖି ପାରୁନଥିବା ଯୋଗୁଁ ଏଠାରେ ଅନେକ ସ୍ଥାନରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି । ଖବର ପାଇ ଘଟଣା ସ୍ଥଳରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ପହଞ୍ଚି ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ଉତ୍ତମ ସାସ୍ଥ୍ୟ ସେବା ଯୋଗାଇ ଦିଆଯାଇପାରିବ ଏବଂ ଗୁରୁତର ମାନଙ୍କୁ ସଠିକ୍ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇପାରିବ ସେଥିପ୍ରତି ଦୃଷ୍ଟି ଦେଇ ସମସ୍ତ ବ୍ୟବସ୍ଥା କରିବା ପାଇଁ ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଅମିତ୍ କୁମାର ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ l