ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ମାଗଣା ପୋଷାକ ପ୍ରଦାନ, ଶିକ୍ଷକ ପୁରସ୍କାର, ଲାପଟପ୍ ପ୍ରଦାନ, ଛାତ୍ରବୃତ୍ତି ଆଦି ଅନେକ ଯୋଜନା ଲାଗୁ କରିଛନ୍ତି । ତେବେ ଆସନ୍ତା ଅଗଷ୍ଟ ମାସରୁ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମିଳିବ ‘ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ’ । ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ଛାତ୍ର ବିଜେଡି ଉପ ସଭାପତି ଚିନ୍ମୟ ସାହୁ। ଆଜି ସ୍ଥାନୀୟ ଲକ୍ଷ୍ମୀ ନୃସିଂହ କଲ୍ୟାଣ ମଣ୍ଡପ ଠାରେ ନବୀନ ମ୍ୟାଜିକ କାର୍ଡ ମତାମତ ସଂଗ୍ରହ ଇସ୍ତାହାର କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଉପ ସଭାପତି ଶ୍ରୀ ସାହୁ ମ୍ୟାଜିକ କାର୍ଡ ସମ୍ପର୍କରେ କହିଥିଲେଯେ ଏହା ଏକ ପଏଣ୍ଟ ସିଷ୍ଟମ ଆଧାରିତ ସ୍ମାର୍ଟ କାର୍ଡ ହୋଇଥିବା ବେଳେ ଏହା ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ବିକାଶ, ବ୍ୟକ୍ତିତ୍ୱ ବିକାଶ, ଦକ୍ଷତା ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ସହାୟକ ହେବ ।
ଏହି ମ୍ୟାଜିକ କାର୍ଡ ଆବେଦନ ପାଇଁ ମାର୍ଚ୍ଚ ୫ ତାରିଖରୁ ପୋର୍ଟାଲରେ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୧୫ ତାରିଖରେ ଅର୍ଥାତ ସ୍ୱାଧୀନତା ଦିବସ ଅବସରରେ ତାହାକୁ ବଣ୍ଟନ କରାଯିବ । ଏହି ଡିଜିଟାଲ ସୁବିଧା ଯୁବପୀଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ସହିତ ସେମାନଙ୍କୁ ଉତ୍ସାହିତ ଓ ସଶକ୍ତ କରିବା କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ଶ୍ରୀ ସାହୁ ଆଶାଵ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗୁଣପୁର ବିଧାୟକ ରଘୁନାଥ ଗାମାଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରି ମ୍ୟାଜିକ କାର୍ଡରେ ଯୁବକଙ୍କ ନିଯୁକ୍ତି ଓ ସଶକ୍ତିକରଣ ଦିଗରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପୋୖରହିତ୍ୟ କରି ରାଜ୍ୟ ବିଜେଡି ଛାତ୍ର ଉପ ସଭାପତି ପିଙ୍କୁ ପଣ୍ଡା ନିଜ ବକ୍ତବ୍ୟରେ
ଏହି କାର୍ଡ ‘ସମୃଦ୍ଧିର ପାସପୋର୍ଟ’ ହେବ । ଏହି କାର୍ଡଗୁଡ଼ିକୁ ସ୍ୱର୍ଣ୍ଣ, ରୌପ୍ୟ ଓ ପ୍ଲାଟିନମ ଆଦି ସ୍ତରରେ ବିଭକ୍ତୀକରଣ କରାଯିବ । ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ଶିକ୍ଷା କ୍ଷେତ୍ରରେ ଉପସ୍ଥାନ, ଏକ୍ସଟ୍ରା କରିକ୍ୟୁଲାର ଆକ୍ଟିଭିଟି, କ୍ରୀଡ଼ା, ଅନଲାଇନ୍ କୋର୍ସ, ବ୍ୟକ୍ତିତ୍ୱ ବିକାଶ ପାଠ୍ୟକ୍ରମ ଆଦି କ୍ଷେତ୍ରରେ ଦକ୍ଷତାକୁ ଆଧାର କରି କାର୍ଡକୁ ବଣ୍ଟନ ଓ ନବୀକରଣ କରାଯିବ ବୋଲି ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ମଣ୍ଟୁ ଆଚାର୍ଯ୍ୟ, ବ୍ଲକ ବିଜେଡି ସଭାପତି ଶ୍ରୀନିବାସ ଶତପଥୀ, ନଗର ବିଜେଡି ସଭାପତି ରାମ ପଣ୍ଡା, ଜିଲ୍ଲା ଛାତ୍ର ବିଜେଡି ସଭାପତି ନେତ୍ରା ନନ୍ଦ ଶବର,ଆଦିବାସୀ ଉନ୍ନୟନ ପରିଷଦ ସଭ୍ୟ ହୁରୁଚୁଲା ମାଝି ,ରଘୁ ଗାମାଙ୍ଗ, ରମେଶ ସାହୁ ପ୍ରମୁଖ ମଞ୍ଚସିନ ଥିଲେ। ସ୍ଥାନୀୟ ଅଞ୍ଚଳର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମରେ ଯୋଗଦେଇ ନବୀନ ମ୍ୟାଜିକ କାର୍ଡର ଉପଯୋଗୀତା ଉପରେ ସାକାରାତ୍ମକ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳର ବିଜେଡି ସଭାପତି ମାନେ ହାଜର ହୋଇଥିଲେ।