ବିଜେଡିର ପ୍ରାର୍ଥୀ ପରିବର୍ତ୍ତନ ପରମ୍ପରା ଉପରେ ବ୍ରେକ ।

0

ବିଧାୟକ ରଘୁନାଥ ଗମାଙ୍ଗ ପୁଣି ରିପିଟ ହେଲେ 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ବିଧାନସଭା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡ଼ି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ପୂର୍ବ ଅନୁମାନ କରିବା ଭଳି ଗୁଣପୁର ବିଧାୟକ ରଘୁନାଥ ଗାମାଙ୍ଗଙ୍କ ପ୍ରତି ଆଉଥରେ ଦଳ ଆସ୍ଥା ପ୍ରକଟ କରି ଟିକଟ ଦେଇଛି। ୨୦୦୯ରୁ ପ୍ରତ୍ୟେକ ନିର୍ବାଚନରେ ବିଜେଡି ଦଳ ଗୁଣପୁର ଆସନରେ ବାରମ୍ବାର ପ୍ରାର୍ଥୀ ପରିବର୍ତ୍ତନ କରିବା ପରମ୍ପରା ଉପରେ ରୋକ ଲାଗିଛି। ପୁରଣା ମୁହଁ ବିଧାୟକ ରଘୁନାଥ ଗମାଙ୍ଗଙ୍କୁ ନେଇ ଦଳ ଆଉ ଥରେ ଭାଗ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଗତ ୫ ବର୍ଷ କାର୍ଯ୍ୟକାଳରେ ଗୁଣପୁର ବିଧାୟକ ଶ୍ରୀ ଗାମାଙ୍ଗ ବିରୋଧରେ କୌଣସି ଦୁର୍ନୀତି ଛିଟା ଲାଗିନଥିବା ବେଳେ କୌଣସି ବିବାଦ ମଧ୍ୟ ମୁଣ୍ଡେଇ ନଥିଲେ। ନିଜ ଭାବମୂର୍ତ୍ତୀ ବଜାୟ ରଖିବାକୁ ସମସ୍ତଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ସାଙ୍ଗକୁ ଜିଲ୍ଲା ବିଜେଡି ସଭାପତି ସୁଧୀର କୁମାର ଦାଶଙ୍କ ପ୍ରତି ଆନୁଗତ୍ୟ ତାଙ୍କୁ ଦ୍ବିତୀୟ ଥର ବିଜେଡି ଟିକଟରେ ପ୍ରତିଦ୍ବନ୍ଦ୍ବିତା ସୁଯୋଗ ମିଳିଛି ବୋଲି ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ହେଉଛି। ସେହିପରି ୫ ବର୍ଷରେ ଗୁଣପୁର ନିର୍ବାଚନ ମଣ୍ଡଳୀରେ ଉଭୟ ସହର ଓ ଗ୍ରାମାଞ୍ଚଳର ବିକାଶ ପାଇଁ ବିଜେଡିର ନବୀନ ସରକାର ଆଖି ଦୃଶିଆ ପ୍ରକଳ୍ପ ନିର୍ମାଣ ସାଙ୍ଗକୁ କୋଟି କୋଟି ଟଙ୍କାର ଅନୁଦାନ ଅଜାଡି ଦେଇଛି । ଏହାକୁ ପାଥେୟ କରି ନିର୍ବାଚନରେ ବିଜୟ ଲାଭ କରିବେ ବୋଲି ଆଶାବ୍ୟକ୍ତ କରି ଶ୍ରୀ ଗାମାଙ୍ଗ ଆଉଥରେ ସୁଯୋଗ ଦେଇଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଶ୍ରୀ ଗାମାଙ୍ଗ ୨୦୧୯ରେ ଜିଲ୍ଲା ଯୋଗାଣ ଅଧିକାରୀ ପଦବୀରୁ ଅବସର ନେଇ ବିଜେଡ଼ିରୁ ଟିକଟରେ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ। ଅପର ପକ୍ଷରେ ପ୍ରମୁଖ କଂଗ୍ରେସ ଓ ବିଜେପି ଦଳ ନିଜର ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ଗୁଣପୁର ଆସନ ପାଇଁ କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ବିଧାୟିକା ହେମା ଗମାଙ୍ଗ ଏବଂ ଯୁବ କଂଗ୍ରେସର ସତ୍ୟଜିତ ଗମାଙ୍ଗ ପ୍ରମୁଖ ଦାବେଦାର ରହିଛନ୍ତି। ସେମାନଙ୍କ ଲବି ଦିଲ୍ଲୀ ଏଆଇ ସିସି ଦରବାରରେ ପହଞ୍ଚିଛି। ସେହିପରି ବିଜେପି ଟିକଟ ଳବିରେ ସଦ୍ୟ ବିଜେଡି ଛାଡି ଯାଇଥିବା ପୂର୍ବତନ ବିଧାୟକ ତ୍ରିନାଥ ଗାମାଙ୍ଗ ସର୍ବାଗେ ରହିଛନ୍ତି। ଶୁଣାଯାଉଛି ସତ୍ୟଜିତକୁ କଂଗ୍ରେସ ଟିକଟ ନମିଲିଲେ, ତାଙ୍କୁ ବିଜେପି ଟିକଟ ଦେବାପାଇଁ ଆଉ ଏକ ବଡ଼ ଗୋଷ୍ଠୀ ଭୁବନେଶ୍ୱରରେ ବସି ଲାଗିଥିବା ଆଲୋଚନା ହେଉଛି।

 

Leave A Reply

Your email address will not be published.