ଏଟିଏମ କାର୍ଡ ବଦଳାଇ ୧୭୦୦୦ ରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଡିଜିଟାଲ ଲୁଟେରା

0 1

ବାଣପୁର (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଏଟିଏମ ଠକେଇ ମାମଲା ରୁଜୁ ହୋଇଛି। ଏଟିଏମ କାର୍ଡ ବଦଳାଇ ଜଣେ ଦୁର୍ବୃତ୍ତ ଆକାଉଣ୍ଟରୁ ୧୭୦୦୦ ରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଇଛନ୍ତି। ଏ ନେଇ ଠକାମିର ଶିକାର ହୋଇଥିବା ବ୍ୟକ୍ତି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି,ଅଭିଯୋଗ ମୁତାବକ ବାଣପୁର ଷ୍ଟେଟବ୍ୟାଙ୍କ ଶାଖାର ଏଟିଏମକୁ ଖୁଣ୍ଟପଲ୍ଲୀ ଗ୍ରାମର ମକଦ୍ଦମ ଜେନା (୫୮) ନାମକ ଜଣେ ବୟସ୍କ ବ୍ୟକ୍ତି ଖାତାରେ କେତେ ଟଙ୍କା ଅଛି ଜାଣିବା ପାଇ ଯାଇଥିଲେ। ହେଲେ ଏଟିଏମ ମେସିନ ଚଲା ଜାଣିନଥିବାରୁ ପାଖରେ ଥିବା ଜଣେ ବ୍ୟକ୍ତିକୁ ଏଟିଏମ କାର୍ଡଟିକୁ ଦେଇ ବାଲାନ୍ସ ଟଙ୍କା ତନଖି କରିବାକୁ ସେ କହିଥିଲେ। କିନ୍ତୁ ଚଞ୍ଚକତା କରି ଦୁର୍ବୁତ୍ତ ଜଣକ ଏକ ରସିଦ ଧରାଇ ଟଙ୍କା ବାହାରୁ ନାହିଁ ବୋଲି କହି ଅନ୍ୟ ଏକ ଏଟିଏମ କାର୍ଡ ମକଦ୍ଦମଙ୍କୁ ଫେରାଇ ଦେଇଥିଲା। ପୁଣି ନିଜ ସମ୍ପର୍କୀୟ ଆସିବାରୁ ପୁନର୍ବାର ମକଦ୍ଦମ ମୋଟ ଜମା ରାଶି ଦେଖିବାକୁ କହିବାରୁ ଏଟିଏମ କାର୍ଡଟି ମକଦ୍ଦମଙ୍କର ନୁହେଁ ବୋଲି ଜଣାପଡ଼ିଥିଲା।ପରେ ମୋବାଇଲ ମେସେଜରୁ ୧୭୫୬୫ ଟଙ୍କା ଦୁର୍ବୁତ୍ତ ଜଣକ ଉଠାଣ କରିଥିବା ଜଣାପଡିଲା। ଏ ନେଇ ମକଦମ ଥାନାର ଦ୍ୱାରସ୍ତ ହୋଇଥିବା ବେଳେ ବାଣପୁର ପୋଲିସ ଏକ ମାମଲା ରୁଜୁ କରି ବ୍ୟାଙ୍କ ସିସିଟିଭିରୁ ଦୁର୍ବୃତ୍ତର ଫୋଟୋ ସଂଗ୍ରହ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.