ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ କୋଳେଇ ନେଲା ବିଜେପି: ବିଜେଡି

0 1
  • ଜେଲ ଫେରନ୍ତାଙ୍କ ପିଠି ଥାପୁଡାଉଛନ୍ତି ବିଜେପି ନେତା

  • ଗୁଣ୍ଡାଗିରି ପାଇଁ ଦଳରୁ ବହିଷ୍କାର କରିଥିଲା ବିଜେଡି

  • ନୂଆ ନେତା ସୃଷ୍ଟିରେ ରାଜ୍ୟ ବିଜେପି ଅସମର୍ଥ

ଭୁବନେଶ୍ୱର, ୨୯/୦୨/୨୦୨୪: ପ୍ରଶାନ୍ତ ଜଗଦେବ ଯିଏ କି ମାତାଲ ଅବସ୍ଥାରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ ମାରିବାକୁ ଉଦ୍ୟମ କରିବା ସହ ୨ଟି ଅପରାଧିକ ମାମଲାରେ ଜେଲ ଯାଇଥିଲେ ଏବଂ ଯାହାଙ୍କ ବିରୁଦ୍ଧରେ ଓଡିଶା ବିଜେପିର ନେତା ଓ କର୍ମୀ ଗଳାଫଟାଇ ଚିତ୍କାର କରୁଥିଲେ, ଆଜି କିଭଳି ତାଙ୍କ ଗଳାରେ ଦଳୀୟ ଉତ୍ତରୀୟ ପକାଇ ସ୍ୱାଗତ କଲେ? ଯେଉଁ ଓଡିଶା ବିଜେପିର କର୍ମୀଙ୍କୁ ଗଳା ଧକ୍କା ମାରି ପ୍ରଶାନ୍ତ ଜଗଦେବ ଲହୁଲୁହାଣ କରିଥିଲେ ବୋଲି ଦଳୀୟ ନେତା ଓ କର୍ମୀ ପ୍ରତିବାଦ କରୁଥିଲେ, ଆଜି କିଭଳି ତାଙ୍କ ପିଠି ଥାପୁଡାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍‍ ମହାନ୍ତି ।
ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ମହାନ୍ତି କହିଛନ୍ତି ଯେ ଉଭୟ ଅପରାଧିକ କାର୍ଯ୍ୟକଳାପକୁ ବେଶ ଗୁରୁତ୍ୱର ସହ ଗ୍ରହଣ କରି ବିଜୁ ଜନତା ଦଳ ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ନିଲମ୍ବନ କରିବା ସହ ବହିଷ୍କାର ମଧ୍ୟ କରିଥିଲା । ଜନବିରୋଧୀ କାର୍ଯ୍ୟ ପାଇଁ ଯାହାଙ୍କୁ ବିଜେଡି ଦଳରୁ ବାହାରର ରାସ୍ତା ଦେଖାଉଛି ସେମାନଙ୍କୁ ଓଡିଶା ବିଜେପି ସାଦରରେ ଗ୍ରହଣ କରିନେଉଛି ।
ଏବେ ଓଡିଶା ବିଜେପି ନେତା ଖାସ କରି ପୃଥୀରାଜ ହରିଚନ୍ଦନ ଓ ଅନ୍ୟ ମାନେ ଯିଏ ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ବିଷ ବାନ୍ତି କରୁଥିଲେ, ସେମାନେ ନିଜ କର୍ମୀଙ୍କୁ କଣ ଉତ୍ତର ଦେବେ? ଯେଉଁ ବିଜେପି କର୍ମୀଙ୍କ ଉପରେ ପ୍ରଶାନ୍ତ ଜଗଦେବ ଗାଡି ଚଢାଇ ଦେଇଥିଲେ, ତାଙ୍କୁ କିଭଳି ମୁହଁ ଦେଖାଇବେ? ଓଡିଶା ବିଜେପି କର୍ମୀଙ୍କ ଉପରେ ଆମକୁ ଦୟା ଆସୁଛି, ଯେଉଁମାନେ ଦଳ ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିଲେ ଆଜି ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇପଡିଛନ୍ତି ।
ଯେଉଁ ପୃଥୀରାଜ ହରିଚନ୍ଦନଙ୍କ ପାଇଁ ଓଡିଶା ବିଜେପି କର୍ମୀମାନେ ବଦମାସ ପ୍ରଶାନ୍ତ ଜଗଦେବଙ୍କ ସହ ଲଢେଇ କରୁଥିଲେ, ଏବେ ସେମାନେ କରିବେ କଣ? ଯେଉଁ ପୃଥୀରାଜ ହରିଚନ୍ଦନ, ପ୍ରଶାନ୍ତ ଜଗଦେବଙ୍କ ଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇ ରାଜ୍ୟ ରାଜନୀତିରେ ଲଜ୍ଜିତ ହୋଇଥିଲେ ଏବଂ ହାରୁ ନେତାର ଷ୍ଟାମ୍ପ ଯାହାଙ୍କ ଦେହରେ ବାଜି ଥିଲା, ସେ ଆଜିର ମିଶ୍ରଣ ପର୍ବ ନେଇ ନିଜ କର୍ମୀଙ୍କୁ ଜବାବ ଦେଇପାରିବେ ତ?
ନୂଆ ନେତା ସୃଷ୍ଟି କରିବାକୁ ଓଡିଶା ବିଜେପି ଯେହେତୁ ଅସମର୍ଥ ସେଥିପାଇଁ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଗୁଣ୍ଡା, ବଦମାସ, ଅପରାଧିକ, ଜନବିରୋଧୀ ଓ ତଡାଖିଆ ଶ୍ରେଣୀର ଲୋକଙ୍କୁ ଭରସା କରିବା ଆରମ୍ଭ କରିଛି ବୋଲି ଡକ୍ଟର ମହାନ୍ତି କହିଛନ୍ତି ।

Leave A Reply

Your email address will not be published.