ଖୋଦ ଖଣିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଚାଲିଛି ବେଆଇନ ଖଣିଖାଦାନ : ଅସନ୍ତୋଷ ଝାଡିଲେ ଜନସାଧାରଣ

0 2

ଢ଼େଙ୍କାନାଳ / ରବିନ୍ ଦାସ ; ଭୁବନ ତହସିଲ ଅନ୍ତର୍ଗତ ଭୁବନ ଓ ମହୁଲପାଳ ରାଜସ୍ବ ଅଞ୍ଚଳରେ ଚାଲିଛି ଅବାଧ ଚୋରା ଖଣି କାରବାର । ମହୁଲପାଳ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପଛପଟୁ ଲୁଟ୍ ହେଉଛି କୋଟି କୋଟି ଟଙ୍କାର ଖଣିଜ ସମ୍ପଦ । ପାଖାପାଖି ୫ ଏକର ପତିତ ଜମିରୁ ଦୈନିକ ଶହ ଶହ ଟ୍ରିପ୍ ମୋହରମ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ପ୍ଲଟ ନଂ ୧୨୫୦ ଓ ଖତିୟାନ ନଂ ୬୪୫ ର ଏହି ବେଆଇନ ଖାଦାନ ପାଖ ଆର୍.ଡି ରାସ୍ତା କାମରେ ମଧ୍ୟ ଶହ ଶହ ଟ୍ରିପ୍ ମୋହରମ ବ୍ୟବହାର ହୋଇଛି । ରାସ୍ତା କାମରେ ବ୍ୟବହାର ହୋଇଥିବା ସମସ୍ତ ସାମଗ୍ରୀର ମାନ ଓ କେଉଁଠୁ ଆସିଛି ତଦନ୍ତ କରିବା ଉଚିତ୍ ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି । ଏ ସମ୍ପର୍କରେ ସ୍ଥାନୀୟ ରାଜସ୍ବ ନୀରିକ୍ଷକ ଶ୍ରୀ ମାନସରଞ୍ଜନ ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ ଦେଖିଲେ ଧରୁଛି । ଜୋରିମାନା ହୋଇଛି କି ନାଇଁ ପଚାରିବାରୁ କହିଲେ ହୋଇଛି ହେଲେ ଚିଠା ମୋ ପାଖରେ ନାହିଁ । ଶ୍ରୀ ମହାନ୍ତିଙ୍କ ଏଭଳି ପ୍ରତିକ୍ରିୟା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ଏହି ବେଆଇନ କାରବାରରେ ସେ ମଧ୍ୟ ଲିପ୍ତ ଅଛନ୍ତି କି ବୋଲି ସନ୍ଦେହ ଜାତ ହୋଇଛି । କେବଳ ଏତିକି ନୁହେଁ ସ୍ଥାନୀୟ କଣପାଳ ମଉଜାରୁ ମଧ୍ୟ ଦୈନିକ ଶହ ଶହ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଛି । ଯାହାର ଏକ ଭିଡ଼ିଓ ତାଙ୍କୁ ଦିଆଯାଇଥିଲା ସେ କହିଲେ ଏ ସମ୍ପର୍କରେ ମୁଁ କିଛି ଜାଣିନି । ପ୍ରକାଶ ଥାଉ କି କିଛି ମାସ ତଳେ ସେହି ଅଞ୍ଚଳରେ ବାଲି ଚୋରା ଚାଲାଣ ବେଳେ କାମାକ୍ଷାନଗର ଉପଖଣ୍ଡ ସହକାରୀ ଜିଲ୍ଲାପାଳ ଚଢ଼ାଉ କରିଥିଲେ । ସେଥିରେ ଖଣି ମାଫିଆ ତାଙ୍କ ମୋବାଇଲ୍ ଛଡ଼ାଇ ନେବା ସହିତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହା ସ୍ଥାନୀୟ ଅଞ୍ଚଳ ସହିତ ରାଜ୍ୟ ସାରା ଆଲୋଡ଼ନ ସୃଷ୍ଟି କରିଥିଲା । ଏ ଘଟଣାରେ ଜଣେ ଗିରଫ ହୋଇ ମୁକୁଳିବା ପରେ ମଧ୍ୟ ପୁଣି ସେହି ଅଞ୍ଚଳରେ ଚାଲିଛି ଚୋରା ଚାଲାଣ ।

ଏନେଇ ସ୍ଥାନୀୟ ଲୋକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଏଭଳି ବେଆଇନ କାରବାର ଉପରେ ସମ୍ପୁର୍ଣ୍ଣ ରୋକ ଲଗାଇବାକୁ ଦାବି କରିଛନ୍ତି । ତେବେ ମହୁଲପାଳ ରାଜସ୍ବ ଅଞ୍ଚଳର ବେଆଇନ ଖଣି କାରବାର ଉପରେ ସ୍ଥାନୀୟ ରାଜସ୍ବ ନୀରିକ୍ଷକ କିଭଳି ନଜର ରଖିଛନ୍ତି ତାହା ବର୍ତ୍ତମାନ ବିଚାରବିମର୍ଶ । ସେହିପରି ଭୁବନ ରାଜସ୍ବ ଅଞ୍ଚଳ ନଟାକଟା ମଉଜା ବାଜି ରାଉତ କଲେଜ୍ ପଛପଟୁ କୋଟି କୋଟି ଟଙ୍କାର ମୋହରମ ଲୁଟ୍ ହେଉଛି । ସ୍ପଷ୍ଟ ଦିବାଲୋକରେ ଶହ ଶହ ଟ୍ରିପ୍ ମୋହରମ ଚୋରା ଚାଲାଣ ହେଉଛି ହେଲେ ସ୍ଥାନୀୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । କେବଳ କଲେଜ୍ ପଛପଟ ନୁହେଁ ବରଂ ସ୍ଥାନୀୟ ଅନ୍ୟକିଛି ସ୍ଥାନରୁ ମଧ୍ୟ ମୋହରମ ଲୁଟ୍ ହେଉଛି । ନିକଟ ପାଣ୍ଡରା ନାଳ ବାଲି ମଧ୍ୟ ଚୋରା ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କାର ମୁନାଫା କମାଉଥିବା ମାଫିଆ ନିର୍ଭୟରେ ବୁଲୁଛନ୍ତି । ଏନେଇ ଭୁବନ ତହସିଲଦାର ଶ୍ରୀ ସିରିଏଲ୍ ଏସ୍ ପଟେଲଙ୍କୁ ପଚାରିବାରୁ ସେ କହିଲେ ସମ୍ପୁର୍ଣ୍ଣ ରୋକ ଲଗାଇବା ପାଇଁ ଖୁବଶିଘ୍ର ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ । ତେବେ ଖୋଦ ଖଣିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବେଧଡକ ଚାଲିଥିବା ଏହି ବେଆଇନ ଖଣି କାରବାରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖଣି ବିଭାଗରେ ଥାଇ ଖଣିଜ ସମ୍ପଦର ସୁରକ୍ଷା ପ୍ରତି କିଭଳି ଅବହେଳା କରୁଛନ୍ତି ବୋଲି ସମାଲୋଚନା କରାଯାଉଛି । କେବଳ ନିର୍ବାଚନ ସମୟରେ ଥରେ ଅଧେ ଦେଖା ଦେଉଛନ୍ତି ତା’ପରେ ପାଞ୍ଚବର୍ଷ ପର୍ଯ୍ୟନ୍ତ ଆଉ ଦେଖା ଦେଉ ନାହାଁନ୍ତି । ବେଆଇନ ଖଣି କାରବାରରେ ଲିପ୍ତ ଥିବା ଖଣି ମାଫିଆଙ୍କୁ ପରୋକ୍ଷରେ ସହଯୋଗ କରୁଛନ୍ତି ବୋଲି ଲୋକେ କହିଛନ୍ତି । ଏଭଳି ଅନେକ କଥା କହି ମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଜନସାଧାରଣ । ତେବେ ଦେଖିବାକୁ ବାକି ରହିଲା ଖଣିମନ୍ତ୍ରୀ ଏହା ଉପରେ କେତେ ଶୀଘ୍ର ଗୁରୁତ୍ଵାରୋପ କରୁଛନ୍ତି ।

Leave A Reply

Your email address will not be published.