ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

0

ରାୟଗଡା:-ତା.୨୬/୨: ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା(ଦିଶା)କମିଟି ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ଭାସ୍କର ଚନ୍ଦ୍ର ରଇତ,ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ କହଁର,ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଲାଲମୋହନ ରାଉତରାଏଙ୍କ ସମେତ ଅନ୍ୟ ଜିଲ୍ଳାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ବୈଠକରେ ମନେରଗା,ଡିଡିୟୁ-ଜିକେୱାଇ,ପିଏମଜିଏସୱାଇ,ରାସ୍ତା ଓ କୋଠାବାଡି ପୂର୍ତ ବିଭାଗ,ଜାତୀୟ ରାଜପଥ ବିଭାଗ,ଖାଦ୍ୟ ଯୋଗାଣ ବିଭାଗର ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ,ଜାତୀୟ ସ୍ୱାସ୍ଥ୍ୟ ମିଶନ,ସମନ୍ୱିତ ଶିଶୁ ବିକାଶ ଯୋଜନା ଆଦି ବିଭାଗଗୁଡିକର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ବିଷୟରେ ସାଂସଦ ଶ୍ରୀ ଉଲାକା ଆଲୋଚନା କରିଥିଲେ । ସାଂସଦ ପାଣ୍ଠିରେ ନିର୍ମାଣ ହୋଇଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡିକର କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଅନେକ ନିର୍ମାଣକାରୀ ସଂସ୍ଥାମାନେ ଅର୍ଥରାଶି ପାଇ ନ ଥିବା ଅଭିଯୋଗ ହେବାରୁ ସାଂସଦ ଉଦବେଗ ପ୍ରକାଶ କରିଥିଲେ । ତେବେ ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥାକୁ ଅନଲାଇନ ଡିବିଟି ମାଧ୍ୟମରେ ଅର୍ଥରାଶି ପୈଠ କରାଯାଉଥିବା ନେଇ ବୈଠକରେ ଉପସ୍ଥିତ ଯୋଜନା ଅଧିକାରିଣୀ ଜୟନ୍ତି କୁମାରୀ ନାୟକ ପ୍ରକାଶ କରିଥିଲେ । ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନା ସଂପର୍କୀତ ଆଲୋଚନାରେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ବିଶେଷଞ ଡାକ୍ତର,ସର୍ଜରୀ ବିଶେଷଜ୍ଞ ନ ଥିବା ବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବାଧା ଉପୁଜୁଥିବା ନେଇ ସିଡିଏମଓ ଡା.ରାଉତରାଏ ସୂଚନା ଦେଇଥିବା ବେଳେ ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଂସଦ ଶ୍ରୀ ଉଲାକା ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଳାରେ ଆବଶ୍ୟକ ପଡୁଥିବା ଅଙ୍ଗନବାଡି କେନ୍ଦ୍ର ନିର୍ମାଣରେ ଥିବା ସମସ୍ୟା ବିଷୟରେ ଆଇସିଡିଏସ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ସେହିପରି ଜେକେପୁର-ଅମଲାଭଟ୍ଟା ମଧ୍ୟରେ ଥିବା ନାଗାବଳୀ ସେତୁ,ରାୟଗଡା ଓଭରବ୍ରିଜ୍‌ର ମରାମତି ଓ ବାଇପାସ ରାସ୍ତା ନିର୍ମାଣରେ ବିଳମ୍ବତାକୁ ନେଇ ଜାତୀୟ ରାଜପଥ ବିଭାଗ ରାୟଗଡାର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପଚାରି ବୁଝିଥିଲେ ଓ
ଯଥାଶୀଘ୍ର ମରାମତି ଓ ନିର୍ମାଣ କାମକୁ ତ୍ୱରାନ୍ନିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଳାରେ ଯୋଗାଇ ଦିଆଯାଉଥିବା ବିଭିନ୍ନ ସହାୟତା ସଂପର୍କରେ ବୈଠକରେ ଜିଲ୍ଳା ମୁଖ୍ୟ ଖାଦ୍ୟ ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ୱାଇଁ ଉପସ୍ଥାପନା କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦିଶା କମିଟିର ସଭ୍ୟସଭ୍ୟାମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.