–କଳାହାଣ୍ଡିରେ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ (UPMP)ର ଶୁଭାରମ୍ଭ
-ଜିଲ୍ଲାର ୧୭,୮୧୦ ନୂତନ ହିତାଧିକାରୀଙ୍କୁ ମିଳିବ ଭତ୍ତା; ୭୨୩ ଜଣଙ୍କୁ ମଞ୍ଚରେ ପ୍ରଦାନ
କଳାହାଣ୍ଡି:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ସାମାଜିକ ସୁରକ୍ଷା ଯୋଜନାରେ ସ୍ୱଚ୍ଛତା, ସରଳତା ଓ ସ୍ୱଚ୍ଛଳତା ଆଣିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଠିକ୍ ସମୟରେ ଭତ୍ତା ପ୍ରଦାନ ଲକ୍ଷ୍ୟରେ କଳାହାଣ୍ଡି ଜିଲ୍ଲାରେ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ (UPMP)ର ଶୁଭାରମ୍ଭ ହୋଇଛି। ଏଥିସହ ମଧୁବାବୁ ପେନସନ ଯୋଜନାରେ ନୂତନ ଭାବେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି।
ସ୍ଥାନୀୟ ଟାଉନ ହଲ୍ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋର୍ଟାଲର ଶୁଭାରମ୍ଭ କରିବା ସହ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ, ଗତ ୧୦ ନଭେମ୍ବରରେ ବାଲେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଏକୀକୃତ ପେନସନ ପରିଚାଳନା ପୋର୍ଟାଲର ଶୁଭାରମ୍ଭ କରିଥିଲେ। ରାଜ୍ୟରେ ମଧୁବାବୁ ପେନସନ ଯୋଜନା ଅଧୀନରେ ୫,୦୫,୮୧୭ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଉପଜିଲ୍ଲାପାଳ ଆଶିନୀ ଏ.ଏଲ୍. ଏବଂ ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନ ଉପସ୍ଥିତ ଥିଲେ।
ପ୍ରାରମ୍ଭରେ ଜିଲ୍ଲାପାଳ ଅତିଥି ଓ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାଗତ କରିବା ସହ UPMP ପୋର୍ଟାଲ ମାଧ୍ୟମରେ ଜିଲ୍ଲାର ସାମାଜିକ ସୁରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ ଓ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ପରିବେଷଣ କରାଯାଇଥିଲା।
ମୁଖ୍ୟ ଅତିଥି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ନୂତନ ଭାବେ ସାମିଲ ହୋଇଥିବା ହିତାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରିଥିଲେ। ନିଜ ବକ୍ତବ୍ୟରେ ସେ କହିଥିଲେ ଯେ, ଏଣିକି ସାମାଜିକ ସୁରକ୍ଷା ଭତ୍ତା ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆବେଦନ କରିବାର ପରବର୍ତ୍ତୀ ମାସରୁ ହିଁ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇପାରିବେ।

ପୂର୍ବରୁ ତାଲିକାଭୁକ୍ତ ହିତାଧିକାରୀଙ୍କ ମୃତ୍ୟୁ ପରେ ସେମାନଙ୍କ ନାମ ବାଦ୍ ପଡ଼ିଲେ ହିଁ ନୂତନ ହିତାଧିକାରୀଙ୍କୁ ସୁଯୋଗ ମିଳୁଥିଲା। ଏହି ବ୍ୟବସ୍ଥା ଆଉ ଗ୍ରହଣୀୟ ନୁହେଁ ବୋଲି ମନ୍ତ୍ରୀ କହିଥିଲେ। ଏଥିସହ ୮୦ ବର୍ଷ ବୟସ ପୂରଣ କରିଥିବା ହିତାଧିକାରୀମାନଙ୍କୁ ବର୍ଦ୍ଧିତ ୩,୫୦୦ ଟଙ୍କା ଭତ୍ତା ପାଇବା ପାଇଁ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।
ଏହି ଅବସରରେ ମନ୍ତ୍ରୀ ମଧୁବାବୁ ପେନସନ ଯୋଜନା ସମ୍ପର୍କିତ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତ ପରିକ୍ରମା କରି ଏକୀକୃତ ପେନସନ ପରିଚାଳନା ପୋର୍ଟାଲ ଏବଂ ଆବେଦନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବ।
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି ପୋର୍ଟାଲ ଦ୍ୱାରା ସାମାଜିକ ସୁରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ଜିଲ୍ଲାର ପ୍ରକୃତ ହିତାଧିକାରୀମାନେ ଆର୍ଥିକ ସହାୟତାରୁ ବଞ୍ଚିତ ହେବେ ନାହିଁ ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଅକ୍ଟୋବର ମାସରେ ଜିଲ୍ଲାର ସମସ୍ତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରପାଳିକାରେ ମୋଟ ୧୭,୮୧୦ ଜଣ ନୂତନ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଆସନ୍ତା ୧୨ ଓ ୧୩ ନଭେମ୍ବର ୨୦୨୬ରେ ବ୍ଲକସ୍ତରରେ ଭତ୍ତା ପ୍ରଦାନ କରାଯିବ। ଏହାକୁ ମିଶାଇ କଳାହାଣ୍ଡି ଜିଲ୍ଲାରେ ମଧୁବାବୁ ପେନସନ ଯୋଜନାର ମୋଟ ହିତାଧିକାରୀ ସଂଖ୍ୟା ୧,୬୫,୨୭୨ରେ ପହଞ୍ଚିଛି।
ଭତ୍ତା ପାଇବାକୁ ଯୋଗ୍ୟ ବ୍ୟକ୍ତିମାନେ ନିଜ ଅଞ୍ଚଳର ବିଡିଓ କାର୍ଯ୍ୟାଳୟରେ ଆବେଦନ କରିପାରିବେ। ଏହା ବ୍ୟତୀତ ଅନଲାଇନ୍ ମାଧ୍ୟମରେ https://upmp.odisha.gov.in ପୋର୍ଟାଲରେ ମଧ୍ୟ ଆବେଦନ କରିବାର ସୁବିଧା ରହିଛି।
ଟାଉନ୍ ହଲ୍ ପରିସରରେ ବିଭିନ୍ନ ବ୍ଲକ ଏବଂ ଭବାନୀପାଟଣା ପୌରପାଳିକାର ବିଭିନ୍ନ ୱାର୍ଡ ପାଇଁ ଭତ୍ତା ବଣ୍ଟନ କେନ୍ଦ୍ର ଖୋଲାଯାଇଥିଲା। ସେଠାରେ ମଞ୍ଚରେ ପ୍ରଦାନ କରାଯାଇଥିବା ଭତ୍ତାକୁ ମିଶାଇ ମୋଟ ୭୨୩ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା।
ଶେଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ।