ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଗୁଡାରି ବ୍ଳକ ଗସ୍ତରେ ଯାଇ କଂଗ୍ରେସ କର୍ମୀ ଓ ନେତାମାନଙ୍କ ମନରେ ନୂତନ ଆଶା ସଂଚାର କରିଛନ୍ତି। ସାଂସଦ ଗୁଡାରି ବ୍ଳକ ଯାଇ ସହରରେ ଏକ ବିଶାଳ ପଦଯାତ୍ରା ରେ ଯୋଗ ଦେଇଥିଲେ। ପରେ ସ୍ଥାନୀୟ ଏଟିଏମ ଛକରେ ସାଧାରଣ ସଭାରେ ଅଭିଭାଷଣ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଥିଲେ। ଏହା ଛଡା ଆଗାମୀ ଦିନରେ କଂଗ୍ରେସ ଶାସନକୁ ଆସିଲେ ଧାନର ସହାୟକ ମୂଲ୍ୟ ୩୨୦୦ଟଙ୍କା ହେବ ଏବଂ କପାର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୦୦୦୦ଟଙ୍କା ହେବା ସହ ପ୍ରସ୍ତାବିତ ଗୁଣୁପୁର -ଥେରୁବାଲି ରେଳ ଲାଇନ ନିଶ୍ଚିତ ଭାବେ ପଦ୍ମପୁର ଓ ଗୁଡାରି ଦେଇ ଯିବ ବୋଲି କହିଥିଲେ। ସହରର “ୟୁଥ ଫର ଚେଞ୍ଜ” ଯୁବଗୋଷ୍ଠୀ ଅଂଚଳର ବିଭିନ୍ନ ସମସ୍ୟା ନେଇ ସାଂସଦଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଗୁଡାରି ବିଜ୍ଞାନ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟାପକ କିମ୍ବା ଅଧ୍ୟାପିକା ନିଯୁକ୍ତି ହୋଇନଥିବାରୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପ୍ରତି ଅବହେଳା ସମ୍ପର୍କରେ କହିଥିଲେ। ଗୁଡାରି ଏନଏସିରେ କାର୍ଯ୍ୟକ୍ରମ ସାରି ଖାରୀଗୁଡା ଗ୍ରାମ ପଂଚାୟତର ବିଭିନ୍ନ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ ସାଧାରଣ ସଭାରେ ଯୋଗ ଦେଇଥିଲେ ଏବଂ ତଳବଣ୍ଡାଗୁଡ଼ି ଗାଁରେ ମୋବାଇଲ ଟାୱାର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ବିଜୟ ଗମାଙ୍ଗ,ବରିଷ୍ଠ କଂଗ୍ରେସ ନେତା ରଘୁନାଥ ପାତ୍ରଙ୍କ ସମେତ ଗୁଡାରି ବ୍ଲକ ସାଂସଦ ପ୍ରତିନିଧି ତଥା ବ୍ଲକ ସଭାପତି ଭାସ୍କର ଜାଗରାଙ୍ଗା, ସତ୍ୟଜିତ ଗମାଙ୍ଗ, ତୁଳସୀ ଶବରଙ୍କ ସମେତ କଂଗ୍ରେସ ର ବହୁ ନେତା ଓ କର୍ମୀ ଯୋଗଦେଇଥିଲେ।