ପଲସ୍ ପୋଲିଓ ଟିକାକରଣ ପାଇଁ ଜିଲ୍ଲାସ୍ତରୀୟ ଟାକ୍ସ ଫୋର୍ସ ବୈଠକ ଅନୁଷ୍ଠିତ

0 2

କେନ୍ଦ୍ରାପଡ଼ା,୧୬/୦୨(ଶାସକ ପ୍ରଶାସକ): ଆସନ୍ତା ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ପଲସ୍ ପୋଲିଓ ଟିକାକରଣ ପାଇଁ ଏକ ଜିଲ୍ଲାସ୍ତରୀୟ ଟାକ୍ସ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ନିଲୁ ମହାପାତ୍ର ଅଧ୍ୟକ୍ଷତା କରି ଏହାର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏସ୍‌ଏମ୍‌ଓ ଡାକ୍ତର ଅର୍ଚ୍ଚନା ଗାୟନ ପୋଲିଓ ନିରାକରଣ ସହ ଶହେ ପ୍ରତିଶତ ପଲସ୍ ପୋଲିଓ ଟିକାକରଣ ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ସୂଚନାଯୋଗ୍ୟ, ୨୦୧୧ ମସିହା ପରଠାରୁ ଭାରତବର୍ଷରେ ପୋଲିଓ ରୋଗ ଚିହ୍ନଟ ହୋଇନାହିଁ । ତଥାପି ବିଶ୍ୱରୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ ନହେବା ପର୍ଯ୍ୟନ୍ତ ଏହି ରୋଗ ବିରୁଦ୍ଧରେ ଏ ଲଢ଼େଇ ଜାରି ରହିଛି ଓ ରହିବ ବୋଲି ଉପସ୍ଥିତ ଅଧିକାରୀମାନେ କହିଥିଲେ । ଏଥିପାଇଁ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ସର୍ବଜନବିଦିତ । ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଏନ୍‌ଜିଓ, ଜନସାଧାରଣଙ୍କ ଭୂମିକାକୁ ମଧ୍ୟ ଅସ୍ୱୀକାର କରାଯାଇନପାରେ । ବ୍ଲକସ୍ତରୀୟ ଟାକ୍ସ ଫୋର୍ସ ବୈଠକ, ସଚେତନତା ଶୋଭାଯାତ୍ରା ଆଦି ଆୟୋଜନ କରି ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନୀତା ପଟ୍ଟନାୟକ, ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଡାକ୍ତର ନୃପେନ୍ଦ୍ର କୁମାର ଶତପଥି, ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଅଞ୍ଜଳୀ ତରାଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସତ୍ୟଭାମା ସେଠୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ପ୍ରମୂଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.