ଓଡ଼ିଶାରେ ପ୍ରଥମ:କିମ୍‌ସରେ ମିଟ୍ରାକ୍ଲିପ୍ ପଦ୍ଧତିରେ ୭୦ ବର୍ଷୀୟ ବୃଦ୍ଧାଙ୍କ ସଫଳ ହୃତପିଣ୍ଡ ଅସ୍ତ୍ରୋପଚାର

0

ଭୁବନେଶ୍ୱର, ୮।୨: ଓଡ଼ିଶାରେ ପ୍ରଥମ ଥର ପାଇଁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) ହସ୍ପିଟାଲ ହୃଦ୍‌ରୋଗ ବିଶେଷଜ୍ଞମାନେ ମିଟ୍ରାକ୍ଲିପ୍ ପଦ୍ଧତିରେ ଜଣେ ୭୦ ବର୍ଷୀୟା ମହିଳାଙ୍କ ହୃତପିଣ୍ଡ ଭାଲଭ୍‌ର ସଫଳ ଅସ୍ତ୍ରୋପଚାର କରଛନ୍ତି। ମହିଳାଙ୍କ ହୃତ୍‌ପିଣ୍ଡରେ ଥିବା ୪ଟି ଭାଲ୍‌ଭ ମଧ୍ୟରୁ ଗୋଟିଏ ମିଟ୍ରାଲ୍ ଭାଲ୍‌ଭରେ ଲିକ୍ ହେବା କାରଣରୁ ତାଙ୍କର ହୃଦ୍‌ଘାତ ହୋଇଥିଲା। ସାଧାରଣତଃ ମିଟ୍ରାଲ୍ ଭାଲ୍‌ଭ ରକ୍ତକୁ ସଠିକ୍ ଦିଗରେ ପ୍ରବାହିତ କରିଥାଏ। ଏହାର ଅସ୍ତ୍ରୋପଚାର ବିପଦପୂର୍ଣ୍ଣ। ତେଣୁ ଲିକ୍ ହୋଇଥିବା ହାର୍ଟ ଭାଲ୍‌ଭକୁ ମରାମତି କରିବା ପାଇଁ ତାଙ୍କୁ ମିଟ୍ରାକ୍ଲିପ୍ ଥେରାପି ଦିଆଯାଇଥିଲା। ମିଟ୍ରାଲ ଭାଲଭ୍ ନିମ୍ନ ବାମ ଅଳିନ୍ଦ (ଭେଣ୍ଟ୍ରିକଲ୍‌) ଏବଂ ଉପର ବାମ ଅଳିନ୍ଦ (ଆଟ୍ରିଅମ୍‍) ମଧ୍ୟରେ ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରେ। ରକ୍ତର ପୁନଃପ୍ରବାହ ସମୟରେ ମିଟ୍ରାଲ୍‍ ଭାଲ୍‍ଭ ସାଧାରଣତଃ ବନ୍ଦ ହୋଇଯାଏ। କିନ୍ତୁ ଏହି ରୋଗରେ ମିଟ୍ରାଲ ଭାଲଭ୍ ସଠିକ୍ ଭାବରେ ବନ୍ଦ ହୁଏ ନାହିଁ, ଫଳରେ ସେଠାରୁ ରକ୍ତ କ୍ଷରଣ ହୋଇଥାଏ। ଏହା ହେବା ଦ୍ୱାରା ଶରୀରକୁ ରକ୍ତ ଯୋଗାଇବା ପାଇଁ ହୃଦୟକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ, ଯାହା ଆଟ୍ରିଆଲ୍ ଫାଇବ୍ରିଲେସନ୍ (ଏଏଫଆଇବି) କିମ୍ବା ହୃଦଘାତର କାରଣ ହୋଇପାରେ।
ପୂର୍ବରୁ ମିଟ୍ରାକ୍ଲିପ୍ ପଦ୍ଧତି ଓଡ଼ିଶାରେ ଉପଲବ୍ଧ ନଥିଲା। କିମ୍‌ସ ହୃଦରୋଗ ବିଭାଗର ଅଭିଜ୍ଞ ଡାକ୍ତର ଅନୁପମ ଜେନାଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। ମିଟ୍ରାକ୍ଲିପ୍ ପ୍ରକ୍ରିୟା ମିଟ୍ରାଲ ଭଲ୍‌ଭ ରୋଗ, ଓପନ-ହାର୍ଟ ସର୍ଜରୀ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରକ୍ରିୟାରେ ଚିକିତ୍ସିତ ହୋଇଥିବା ରୋଗୀମାନେ ସାଧାରଣତଃ ଶୀଘ୍ର ସୁସ୍ଥ ହୋଇଥାନ୍ତି। କ୍ୟାଥେଟର ଭିତ୍ତିକ ପଦ୍ଧତିରେ ରୋଗୀମାନେ କମ୍ ଯନ୍ତ୍ରଣା ଅନୁଭବ କରନ୍ତି। ଏହି ପଦ୍ଧତିରେ କିମ୍‌ସରେ ଚିକିତ୍ସିତ ହୋଇଥିବା ରୋଗୀ ଜଣକ ଅସ୍ତ୍ରୋପଚାର ତିନି ଦିନ ମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ମିଟ୍ରକ୍ଲିପ୍ ହେଉଛି ଏକ କ୍ଷୁଦ୍ର ଉପକରଣ ଯାହା ମିଟ୍ରାଲ ଭାଲଭ୍‌ରେ ଲିକ୍ ବନ୍ଦ କରିବା ପାଇଁ ବ୍ୟବହୃତ ହୁଏ। ଏହାକୁ ଟ୍ରାନ୍ସକ୍ୟାଥେଟର ଏଜ୍‌-ଟୁ-ଏଜ୍ ମରାମତି (ଟିଇଇଆର) ମଧ୍ୟ କୁହାଯାଏ। ଏହ ପ୍ରକ୍ରିୟାରେ ରୋଗୀର ଛାତିରେ ବିଶେଷ କ୍ଷତ କରିବାର ଆବଶ୍ୟକତା ନଥାଏ। ଏହା ପୂର୍ବରୁ କ୍ଷତିଗ୍ରସ୍ତ ଭାଲଭ୍ ମରାମତି ପାଇଁ କିମ୍‌ସ ରାଜ୍ୟରେ ପ୍ରଥମ ଥର ପାଇଁ ଟ୍ରାନ୍ସକ୍ୟାଥେଟର ମିଟ୍ରାଲ ଭାଲ୍‌ଭ ରିପ୍ଲେସମେଣ୍ଟ (ଟିଏମଭିଆର) ପ୍ରକ୍ରିୟା କରିଥିଲା। ଏଥିରେ ସନ୍ତୋଷ ବ୍ୟକ୍ତ କରି କିଟ୍‌, କିସ୍ ଏବଂ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.