ଭଞ୍ଜନଗର : ଆସନ୍ନ ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀ ଡ. ମହାଲିଙ୍ଗଙ୍କ ସମୀକ୍ଷା ବୈଠକ

46

ଜଳଯୋଗାଣ, ରାସ୍ତା ସଂଯୋଗ ଓ ବିଦ୍ୟୁତ୍ ସେବାର ତ୍ୱରିତ ପୁନରୁଦ୍ଧାର ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ଜନସାଧାରଣଙ୍କ ପ୍ରତି ଧୈର୍ଯ୍ୟ, ସହାନୁଭୂତି ଓ ସହଯୋଗପୂର୍ଣ୍ଣ ଆଚରଣ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: : ଆସନ୍ନ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ସେବା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ନଭେମ୍ବର ମାସ ୨ ତାରିଖ ସୋମବାର ଦିନ ମଧ୍ୟାହ୍ନ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତିମୂଳକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମାନ୍ୟବର ଭଞ୍ଜନଗର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା , ଡେପୁଟୀ କଲେକ୍ଟର ରଚିତା ମହାପାତ୍ର , ନିର୍ଦ୍ଦେଶକ-ତଥା-ପଦାଧିକାରୀ, ସ୍ୱତନ୍ତ୍ର ଶାସନ ସଚିବ (ବୈଷୟିକ) ଡ. ଭବାନୀ ଶଙ୍କର ମିଶ୍ର, ବ୍ରହ୍ମପୁର ସିଡିଏମ୍‌ଓ ଡ. କାମେଶ୍ୱର ରାଓ, ଡ. ସୁଭାଶିଷ ମହାନ୍ତି, ବିଡ଼ିଓ ଭାରତି ଦେବି, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ ଏବଂ ଟାଟା ପାୱାରର ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ବାତ୍ୟା ସମୟରେ ଜନସାଧାରଣଙ୍କ ଜୀବନର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ସହ ରାସ୍ତା ସଂଯୋଗ, ପାନୀୟ ଜଳଯୋଗାଣ ଓ ବିଦ୍ୟୁତ୍ ସେବାକୁ ସ୍ୱାଭାବିକ ରଖିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ରାସ୍ତାଘାଟ କ୍ଷତିଗ୍ରସ୍ତ ହେଲେ ତୁରନ୍ତ ମରାମତି କରି ଯାତାୟାତ ସ୍ୱାଭାବିକ କରିବା ଏବଂ ବିଦ୍ୟୁତ୍ ବିଭ୍ରାଟ ଘଟିଲେ ଯଥାଶୀଘ୍ର ସେବା ପୁନଃସ୍ଥାପନ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।ସମସ୍ତ ସରକାରୀ ଓ ବେସରକାରୀ ନଳକୂପର ସ୍ୱଚ୍ଛତା ରକ୍ଷା, ଆବଶ୍ୟକ ମରାମତି ଏବଂ ବିଶୁଦ୍ଧ ପାନୀୟ ଜଳଯୋଗାଣ ସୁନିଶ୍ଚିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଆସିକା ଓ ଧରାକୋଟ ଅଞ୍ଚଳର ୩୭୫ଟି ଏବଂ ଭଞ୍ଜନଗର ଅଞ୍ଚଳର ୨୭୦ଟି ନଳକୂପକୁ ପ୍ରାଥମିକତା ଭିତ୍ତିରେ ଯାଞ୍ଚ ଓ ରକ୍ଷଣାବେକ୍ଷଣ କରାଯିବ। ବାତ୍ୟା ସମୟରେ ବିଭିନ୍ନ ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ସ୍ଥାନରେ ବହୁଳ ପରିମାଣରେ ରନ୍ଧାଖାଦ୍ୟ ପ୍ରସ୍ତୁତ ହେଉଥିବା ସ୍ଥାନରେ ଖାଦ୍ୟ ନିରୀକ୍ଷକ ଉପସ୍ଥିତ ରହି ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତା ଯାଞ୍ଚ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ପୂର୍ବ ଓ ପରବର୍ତ୍ତୀ ସମୟରେ ଜରୁରୀକାଳୀନ ଚିକିତ୍ସା ସେବା, ଆବଶ୍ୟକ ଔଷଧ, ଆମ୍ବୁଲାନ୍ସ ଓ ଡାକ୍ତରୀ ଦଳର ପ୍ରସ୍ତୁତି ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ସାନକୋଦଣ୍ଡା ଗ୍ରାମ ପଞ୍ଚାୟତର ସରପଡ଼ା ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ସମୟରେ ତାଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଚିକିତ୍ସା ପାଇଁ ନେବାରେ ତତ୍ପରତା ଦେଖାଇଥିବା ଭଞ୍ଜନଗର ବିଡ଼ିଓ ଭାରତିଦେବି ଙ୍କ କାର୍ଯ୍ୟକୁ ମନ୍ତ୍ରୀ ପ୍ରଶଂସା କରିଥିଲେ ମନ୍ତ୍ରୀ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଜନସାଧାରଣଙ୍କ ପ୍ରତି ଧୈର୍ଯ୍ୟଶୀଳ, ଭଦ୍ର, ସହାନୁଭୂତି ଓ ସହଯୋଗ ପୂର୍ଣ୍ଣ ଆଚରଣ ପାଇଁ କହିଥିଲେ । ସରକାରୀ କାର୍ଯ୍ୟରେ ଅବହେଳା ଓ ଦାୟିତ୍ୱହୀନତାକୁ ଆଦୌ ସହ୍ୟ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ଶେଷରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.