‘ମୁରାସୁ’ର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

15

ମାଲକାନଗିରି (02/11/26): ସୁରେନ୍ଦ୍ର କୁମାର ବେମାଲ : ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ର ମୁକାବିଲା ପାଇଁ ଓଡ଼ିଶା ସରକାର ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି। ବାତ୍ୟା ସମୟରେ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ସହ ଯେକୌଣସି ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା କରିବା ଲକ୍ଷ୍ୟରେ ଚିତ୍ରକୋଣ୍ଡା ଅଗ୍ନିଶମ କେନ୍ଦ୍ରରେ ରହିଥିବା ଉଦ୍ଧାରକାରୀ ଉପକରଣ ଓ ଯନ୍ତ୍ରପାତିର କାର୍ଯ୍ୟକ୍ଷମତା ଯାଞ୍ଚ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଚିତ୍ରକୋଣ୍ଡା ତହସିଲଦାର ଶ୍ରୀ ନଟବର ଗରାଡ଼ା, RI ଏବଂ ASO (Fire Officer) ମିଳିତ ଭାବେ ଚିତ୍ରକୋଣ୍ଡା ଅଗ୍ନିଶମ କେନ୍ଦ୍ର ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗ କେତେଦୂର ପ୍ରସ୍ତୁତ ରହିଛି, ସେନେଇ ବିଭିନ୍ନ ଉଦ୍ଧାରକାରୀ ଯନ୍ତ୍ରପାତି ଓ ଜରୁରୀକାଳୀନ ଉପକରଣର ସ୍ଥିତି ଏବଂ କାର୍ଯ୍ୟକ୍ଷମତା ଯାଞ୍ଚ କରାଯାଇଥିଲା।

ଯାଞ୍ଚ ସମୟରେ ଅଗ୍ନିଶମ ଗାଡ଼ି, ଜେନେରେଟର, ଚେନ୍‌ସ, ଲାଇଫ୍ ଜ୍ୟାକେଟ୍, ଲାଇଫ୍ ବୟ, ଉଦ୍ଧାରକାରୀ ଦଉଡ଼ି ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣଗୁଡ଼ିକର ସ୍ଥିତି ଯାଞ୍ଚ କରାଯାଇଥିଲା। ବିପର୍ଯ୍ୟୟ ସମୟରେ ଗଛ ଉପୁଡ଼ିବା, ରାସ୍ତା ଅବରୋଧ, ଜଳବନ୍ଦୀ ଓ ଅନ୍ୟାନ୍ୟ ଜରୁରୀ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ କିପରି ଶୀଘ୍ର କରାଯାଇପାରିବ, ସେଥିପାଇଁ ଆବଶ୍ୟକ ଉପକରଣଗୁଡ଼ିକୁ ପ୍ରସ୍ତୁତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଚିତ୍ରକୋଣ୍ଡା ଓ ସ୍ୱାଭିମାନ ଅଞ୍ଚଳର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ତୁରନ୍ତ ଉଦ୍ଧାର ଓ ସହାୟତା ପହଞ୍ଚାଇବା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ। ତେଣୁ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଦଳ, ଗାଡ଼ି ଓ ଆବଶ୍ୟକୀୟ ସାମଗ୍ରୀକୁ ସଜାଗ ରଖିବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।

ବାତ୍ୟା ସମୟରେ ଯେପରି କୌଣସି ଅଘଟଣ ଘଟିଲେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇପାରିବ ଏବଂ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର କ୍ଷୟକ୍ଷତିକୁ କମାଇ ହେବ, ସେଥିପାଇଁ ଏହି ପ୍ରସ୍ତୁତି ଯାଞ୍ଚ କରାଯାଇଥିଲା।

Leave A Reply

Your email address will not be published.