ନୟାଗଡ଼ ପୌର ପରିଷଦ ପକ୍ଷରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ୮୬ଜଣ ସାହିତ୍ୟିକ ସମ୍ବର୍ଦ୍ଧିତ

0

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ପୌର ପରିଷଦ ପକ୍ଷରୁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପୌର ପରିଷଦ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ପୌର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଏବଂ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାହିତ୍ୟିକ ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀ ଯୋଗ ଦେଇଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ସାରଗର୍ଭକ ଆଲୋଚନା ହୋଇଥିବା ବେଳେ ମୁଖ୍ୟବକ୍ତା ଉଦାହରଣ ଛଳରେ ଓଡ଼ିଆ ଭାଷା ସମୟାନୁସାରେ ମାର୍ଜିତ ହୋଇ ଚାଲିଥିବା କହିଥିଲେ । ଓଡିଆ ହେଉଛି ହୃଦୟର କଥା । ଭାଷାକୁ ଶଙ୍କରିକରଣ ନକରିବା ପାଇଁ ମୁଖ୍ୟବକ୍ତା ମତ ପୋଷଣ କରିଥିଲେ । ଏଥି ସହିତ ଭାଷାର ଏକତା ରହିବା ଆବଶ୍ୟକ । ପ୍ରତ୍ୟେକ ପରିବାର ନିମନ୍ତ୍ରଣ ଓଡିଆରେ ଲେଖିବା ପାଇଁ ମୁଖ୍ୟବକ୍ତା ଅନୁରୋଧ କରିଥିଲେ । ମୁଁ ଓଡିଆ ବୋଲି ସମସ୍ତେ ନିଜକୁ ଗର୍ବ ଅନୁଭବ କରିବା ଆବଶ୍ୟକ ବୋଲି ଡ. ଚୌଧୁରୀ ଉପସ୍ଥିତ ଦଶକ ମାନଙ୍କୁ ଆହ୍ୱାନ ଦେଇଥିଲେ। ନିଜ ମାତୃଭାଷାକୁ ଭଲ ପାଇଲେ ଆମର ଅଧିକ ଉନ୍ନତି ହେବ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ଖଟେଇ ମତ ପୋଷଣ କରିଥିଲେ । ନିଜ ଭାଷାକୁ ନେଇ ସମସ୍ତେ ଗର୍ବିତ ହେବା ଉଚିତ ବୋଲି ପୌର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରକାଶ କରିଥିଲେ । ପରେ ପୌର ପରିଷଦ ପକ୍ଷରୁ ୮୬ ଜଣ ସାହିତ୍ୟିକ, କବି ଓ ଲେଖକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୌର ପରିଷଦ ପକ୍ଷରୁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଓଡ଼ିଆ ବକ୍ତୃତା, ଓଡ଼ିଆ ପ୍ରବନ୍ଧ, ତତ୍କାଳ ବକ୍ତବ୍ୟକୁ ନେଇ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୫୬ ଜଣ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ପୌର ପରିଷଦର କର୍ମଚାରୀ ଗଜେନ୍ଦ୍ର ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ତଥା ସାହିତ୍ୟିକ ମାନେ ଯୋଗଦାନ କରିଥିଲେ।

Leave A Reply

Your email address will not be published.