କେନ୍ଦ୍ରାପଡାରୁ ପ୍ରଫୁଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲାରେ ଲଗାଣ ବର୍ଷା ଜାରି । ଆଜି ସର୍ବାଧିକ ୩୬୬ ମିଲିମିଟର ବର୍ଷିଲା । ରାଜନଗର ବ୍ଲକରେ ସର୍ବାଧିକ ୭୫ ମିଲିମିଟର ଓ ମହାକାଳପଡା ବ୍ଲକରେ ସର୍ବ ନିମ୍ନ ୩୦ ମିଲିମିଟର ବର୍ଷା ରେକର୍ଡ । ଖାଲୁଆ ଜମିରେ ପାଚିଲା ଧାନ ଓ ବିରି ଫସଲ ନଷ୍ଟ ହେବାକୁ ଯାଉଛି । ଚାଷୀ ଚିନ୍ତାରେ । ବର୍ଷା ପାଣିରେ ଶୋଇଛି ପାଚିଲା ଧାନଗଛ ! ଚାଷୀର ବର୍ଷକ ପରିଶ୍ରମରେ ପାଣି ପକେଇ ଦେଇଛି ଲଘୁଚାପ ବର୍ଷା, ଆହୁରି ୧୨ ଘଂଟା ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ l ପାଣିପାଗ ବିଶେଷଜ୍ଞଙ୍କ ସୂଚନାକୁ ଭିତି କରି କେତେକ ଚାଷି ମୂଲିଆ ଲଗାଇ ବିଲରୁ ଦର ପାଚିଲା କଂଚା ଧାନଗୁଡିକୁ କାଟି ଘରକୁ ବୋହି ନେଉଛନ୍ତି । ତେବେ ଧାନଗଛ ଗୁଡିକ ବିଡା ବନ୍ଧା ହୋଇନଥିବାରୁ ଖଳାରେ ବିପର୍ଯ୍ୟସ୍ତ ହୋଇପଡି ଧାନ ନଷ୍ଟ ହେବାକୁ ବସିଲାଣି । ତା ସହିତ ନଡା ପଚିଯିବା ଫଳରେ ଗୋଖାଦ୍ୟ ରୂପେ ବ୍ୟବହାର କରାଯାଉଥିବା ଛଣ ଆଦୌ ମିଳିବ ନାହିଁ । ସେହିପରି ପନିପରିବା ଓ ରବି ଫସଲ ପାଇଁ ଜଣାଶୁଣା ଧୋୟାଚଂଳ ଯଥା ତରଡିପାଳ, ସିଂହଗାଁ, ଅଣ୍ଡରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ଅଳପୁଆ ପ୍ରଭୃତି ଅଂଚଳରେ ବିରି, ବାଦାମ, ଧନିଆ, ସୋରିଷ, ପୋଟଳ , କୋବି ଆଦି ଶୀତ ଦିନିଆ ପନିପରିବା ଚାଷ କରାଯାଇ ଜିଲ୍ଲାର ବିଭିନ୍ନ ଅଂଚଳକୁ ପଠାଯାଇଥାଏ । ଏହି ଅଦିନିଆ ବର୍ଷାରେ ସେଗୁଡିକ ସଂପୂର୍ଣ୍ଣ ନଷ୍ଟ ହୋଇଛି । ଚଳିତ ବର୍ଷ ପାଗ ଅନୁକୂଳ ଯୋଗୁ ବହୁ ଚାଷୀ ସ୍ଥାନୀୟ ଅଂଚଳର ସରକାରୀ ଓ ବେସରକାରୀ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ କରି ପନିପରିବା ଓ ରବି ଫସଲ ଚାଷ କରିଥିଲେ । ତେବେ ଏହି ଲଘୁଚାପଜନିତ ଲଗାଣ ବର୍ଷା ବ୍ୟାପକ ଚାଷ ନଷ୍ଟ କରିବା ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭାଙ୍ଗି ଦେଇଛି ।