ଭୁବନେଶ୍ୱର/୨୨ ।୧୨: କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ୧୭ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିବା ବେଳେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ଅଭିଭାଷଣ ପ୍ରଦାନ କରି କହିଲେ “କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ବାସ୍ତବରେ ଏକ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ। ଏଠାରେ ପିଲାମାନଙ୍କୁ ଆନୁଷ୍ଠାନିକ ଶିକ୍ଷା ସହ ସେମାନଙ୍କ ସାମଗ୍ରିକ ବିକାଶ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ। ବର୍ତ୍ତମାନର ସମୟ ହେଉଛି ଜ୍ଞାନର ଯୁଗ। ଏବେ ପ୍ରମାଣପତ୍ର ଅପେକ୍ଷା ଜ୍ଞାନର ଚାହିଦା ଅଧିକ ରହିଛି। କିଏ କେତେ ଜ୍ଞାନ ଆହରଣ କରି ବାସ୍ତବ କ୍ଷେତ୍ରରେ ତାର ବ୍ୟବହାର କରିପାରୁଛି ତା ଉପରେ ବର୍ତ୍ତମାନ ସମସ୍ତେ ଗୁରୁତ୍ୱାରୋପ କରୁଛନ୍ତି। କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ହେଉଛି ଦେଶର ଏକମାତ୍ର ଅନୁଷ୍ଠାନ ଯେଉଁଠି ମାନସିକ ଅନଗ୍ରସର ପିଲାମାନଙ୍କୁ ସାଧାରଣ ପିଲାଙ୍କ ସହ ଶିକ୍ଷାଦାନ କରାଯାଉଛି। ସେମାନଙ୍କୁ ମାନସିକସ୍ତରରେ ବିକଶିତ କରିବା ପାଇଁ ଏଠାରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସ୍କୁଲ୍ର ଚେୟାରପର୍ସନ୍ ଡ. ମୋନା ଲିସା ବଳ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କହିଲେ”କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ପାଠ୍ୟକ୍ରମକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜେ ଶିକ୍ଷାଗ୍ରହଣ କରିବା ସହ ନିଜର ମୂଲ୍ୟାୟନ କରିପାରିବେ। ମୋ ମତରେ ପ୍ରତ୍ୟେକ ଛାତ୍ରଛାତ୍ରୀ ହେଉଛନ୍ତି ପ୍ରତିଭାବାନ। ବର୍ତ୍ତମାନ ଯୋଗାଯୋଗ ସହଯୋଗ ଓ ସର୍ଜନାର ଯୁଗ ହୋଇଥିବାରୁ ଆମେ ସେହିଭଳି ଭାବେ ଦକ୍ଷ ଭାବେ ପିଲାଙ୍କୁ ଗଢ଼ି ତୋଳୁଛୁ ବୋଲି ସେ କହିଥିଲେ। ସ୍କୁଲ୍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ସ୍କୁଲର ବାର୍ଷିକ ବିବରଣୀ ଉପସ୍ଥାପନ କରି ଚଳିତବର୍ଷ ଶିକ୍ଷା କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦିତ କରିଥିବା ଛାତ୍ରଛାତ୍ରୀଙ୍କ ନାମ ଉଲ୍ଲେଖ କରିଥିଲେ। କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ସର୍ବଦା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଆସୁଛି। ଏହି ସ୍କୁଲ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିସ୍ୱାର୍ଥପର ସେବା ଓ ସୀମାହୀନ ଶିକ୍ଷା ବୋଲି ଡ. ସୁଆର କହିଥିଲେ। ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର କାରାନାଇର ଇ-ସଂସ୍କରଣକୁ ଶ୍ରୀ ସାମନ୍ତ ଉନ୍ମୋଚନ କରିଥିଲେ। ଶେଷରେ ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଶେଷ କରି ସେନ ଗ୍ଲୋବର ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଚିତାକର୍ଷକ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post