ସଂସଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଦେଇଥିବା ତଥ୍ୟ ଅସଙ୍ଗତ ବୋଲି କହିଲେ ଓଡିଶା ସରକାର

0 2

ଡ୍ରପ ଆଉଟ ନେଇ ଦେଇଥିବା ତଥ୍ୟ ଉପରେ ଆପତ୍ତି ଜଣାଇ କେନ୍ଦ୍ରକୁ ଲେଖିଲେ ଚିଠି

ଭୁବନେଶ୍ୱର : ଡି.ଏମ୍.କେ ଦଳର ସାଂସଦ କଳାନିଧି ଭୀରାସ୍ବାମୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ମାଧ୍ୟମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ୨୦୨୧-୨୨ ର UDISE+ ତଥ୍ୟ ଆଧାରରେ ଓଡିଶାର ଛାତ୍ରଛାତ୍ରୀ ମାନଙ୍କର Drop-out ହାରକୁ ୪୯.୯% ଦର୍ଶାଇଥିବାରୁ ବିଭିନ୍ନ ଗଣମାଧ୍ୟମରେ ଉଦ୍ବେଗ ପ୍ରକାଶ କରାଯାଇଅଛି ।
ଏହି ମର୍ମରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ପତ୍ର ସଂଖ୍ୟା-୧୦୮୮ ତା.୨୦/୧୨/୨୦୨୩ ରିଖ ମାଧ୍ୟମରେ ମାନନୀୟ କେନ୍ଦ୍ର ମନ୍ତ୍ରୀଙ୍କୁ ଆପତ୍ତି ଜଣାଇଛନ୍ତି ।
କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗର ସଚିବଙ୍କ ପତ୍ର (D.O. No.23-7/2022-State, dated 23rd March, 2023) ଅନୁଯାୟୀ ଅଧୁନା ପ୍ରଚଳିତ UDISE+ ରେ ଉଲ୍ଲେଖିତ ତଥ୍ୟରେ ରାଜ୍ୟରେ ଚାଲୁଥିବା ଅନ୍ୟାନ୍ୟ ବେସରକାରୀ ବିଦ୍ୟାଳୟ / ଅନୁଷ୍ଠାନ / ବୈଷୟିକ ଅନୁଷ୍ଠାନ ଏବଂ ପତ୍ର ବିନିମୟ ପାଠକ୍ରମ ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ତଥ୍ୟ ଉପସ୍ଥାପିତ କରାଯିବାର ବିଧି ବ୍ୟବସ୍ଥା ନଥିବାରୁ କେବଳ UDISE+ ତଥ୍ୟ ଆଧାରରେ Drop-out ହାର ସଠିକ୍ ଭାବେ ଆକଳନ କରିବା ସମ୍ଭବର ନୁହେଁ, ଆମ ରାଜ୍ୟରେ ପ୍ରାୟ ୧ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଏହି ଅନୁଷ୍ଠାନ ମାନଙ୍କରେ ଅଧ୍ୟୟନରତ ଥିବାରୁ ସେମାନଙ୍କ ସମ୍ବନ୍ଧୀୟ ତଥ୍ୟ ଗୁଡିକୁ UDISE+ ରେ ଅନ୍ତର୍ଭୁକ୍ତ କରିବାପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, କେନ୍ଦ୍ର ଶିକ୍ଷା ବିଭାଗକୁ ବାରମ୍ବାର ପତ୍ର ପ୍ରେରଣ କରିଛନ୍ତି ।
୨୦୨୨-୨୩ ଶିକ୍ଷାବର୍ଷର UDISE+ ତଥ୍ୟ ବହୁପୂର୍ବରୁ କେନ୍ଦ୍ରକୁ ପ୍ରେରଣ କରାଯାଇଅଛି । ୨୦୨୨-୨୩ ଶିକ୍ଷା ବର୍ଷ ନିମନ୍ତେ ସଂଗ୍ରହୀତ ତଥ୍ୟ ଅନୁଯାୟୀ ଆମ ରାଜ୍ୟରେ Drop-out ହାର ପ୍ରାୟ ୨୦ ପ୍ରତିଶତକୁ ହ୍ରାସ ପାଇଅଛି । ପୁନଶ୍ଚ, ଅନ୍ୟାନ୍ୟ ପାଠ୍ୟକ୍ରମର ଅଧ୍ୟୟନରତ ୧ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀଙ୍କର ତଥ୍ୟକୁ UDISE+ ରେ ସଠିକ୍ ଭାବେ ଉପସ୍ଥାପିତ କରାଗଲେ, ଏହା ପ୍ରାୟ ୧୫ ପ୍ରତିଶତକୁ ହ୍ରାସ ପାଇବ ।
ଏଣୁ, ରାଜ୍ୟର Drop-out ହାରକୁ ସଠିକ୍ ଭାବେ ଆକଳନ କରିବା ନିମିତ୍ତ ୨୦୨୨-୨୩ ଶିକ୍ଷା ବର୍ଷର UDISE+ ତଥ୍ୟକୁ ଯଥାଶିଘ୍ର ପ୍ରକାଶିତ କରିବା ପାଇଁ ଏବଂ UDISE+ ରେ ରାଜ୍ୟରେ ପ୍ରଚଳିତ ଅନ୍ୟାନ୍ୟ ଅନୁଷ୍ଠାନ ଓ ପତ୍ର ବିନିମୟ ପାଠକ୍ରମ ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ସବିଶେଷ ତଥ୍ୟ ସଂଗ୍ରହ କରିବାର ସୁଯୋଗ ପ୍ରଦାନ କରିବାପାଇଁ ମାନନୀୟ କେନ୍ଦ୍ର ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରାଯାଇଅଛି ।

 

Leave A Reply

Your email address will not be published.