ନିଶ୍ଚିନ୍ତକୋଇଲି ବ୍ଲକର କର୍ତ୍ତବ୍ୟରେ ଚରମ ଅବହେଳା ପାଇଁ ଭତ୍ତା ପାଇବାରୁ ଦିବ୍ୟାଙ୍ଗ ମହିଳା ବଞ୍ଚିତ ; ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ l

0 2

 ନିଶ୍ଚିନ୍ତକୋଇଲି:  ନିଶ୍ଚିନ୍ତକୋଇଲି ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ଜଣେ ଦିବ୍ୟାଙ୍ଗ ମହିଳା ଏକ ବର୍ଷ ହେବ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଏହି ଦିବ୍ୟାଙ୍ଗ ମହିଳା ଜଣକ ଚଳିବା ପାଇଁ ଭତ୍ତା ଟଙ୍କା ଉପରେ ନିର୍ଭର କରୁଥିବା ବେଳେ ଏହି ଟଙ୍କା ନମିଳିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ପଞ୍ଚାୟତ ୭ନଂ ୱାର୍ଡ଼ ଛୁଆଳିଆ ଗ୍ରାମର ସବିତା କୁମାରୀ ସାହୁ ପ୍ରତ୍ୟେକ ମାସରେ ଦିବ୍ୟାଙ୍ଗ ଭତ୍ତା ପାଇଥାନ୍ତି। ହେଲେ ଗତ ୨୦୨୨ ମସିହାରେ ସରକାରଙ୍କ ନୂତନ ନିୟମ ଅନୁଯାୟୀ ଭତ୍ତା ଟଙ୍କା ବ୍ୟାଙ୍କ ଜମାଖାତାକୁ ପଠାଯିବା ନିମନ୍ତେ ସମ୍ପୃକ୍ତ ହିତାଧିକାରୀଙ୍କ ଠାରୁ ଜମାଖାତା ବହି ନଂ ଓ ଆଧାର କାର୍ଡ଼ ନିଆଯାଇଥିଲା । ଜମାଖାତାକୁ ସରକାରଙ୍କ ପକ୍ଷରୁ ତିନି ଚାରିମାସର ଭତ୍ତା ଟଙ୍କା ମଧ୍ୟ ପଠାଯାଇଥିଲା, ହେଲେ କାର୍ଯ୍ୟାଳୟ ତ୍ରୁଟି ପାଇଁ ଗତ ବର୍ଷ ଡିସେମ୍ବର ମାସ ଠାରୁ ସମ୍ପୃକ୍ତ ଦିବ୍ୟାଙ୍ଗ ମହିଳାଙ୍କ ଜମାଖାତାକୁ ଭତ୍ତା ଟଙ୍କା ଆସୁନଥିବା ସେ ଅଭିଯୋଗ କରିଛନ୍ତି । ବ୍ୟାଙ୍କ ଦ୍ଵାରା ଭତ୍ତା ଟଙ୍କା ପୈଠ କରିବାରେ ଅସୁବିଧା ହେଉଥିବା ବହୁ ହିତାଧିକାରୀ ଅଭିଯୋଗ କରିବା ପରେ ପରବର୍ତୀ ସମୟରେ ଏହାକୁ ପରିବର୍ତ୍ତନ କରାଯାଇ ପଂଚାୟତ ମାଧ୍ୟମରେ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିଲା l ହେଲେ ସମ୍ପୃକ୍ତ ଦିବ୍ୟାଙ୍ଗ ମହିଳାଙ୍କର ଭତ୍ତା ଟଙ୍କା ବ୍ୟାଙ୍କ ଖାତାକୁ ଆସୁନଥିବାବେଳେ ପଞ୍ଚାୟତ ତାଲିକାରେ ମଧ୍ୟ ନାଁ ନଥିବା ଜଣାଯାଇଛି । ପ୍ରତ୍ୟେକ ମାସରେ ଉକ୍ତ ମହିଳା ଜଣକ ପଞ୍ଚାୟତ କୁ ଯାଇ ଭତ୍ତା ଟଙ୍କା ନପାଇ ଫେରୁଥିବାବେଳେ ବ୍ୟାଙ୍କକୁ ଯାଇ ବୁଝିଥିଲେ ମଧ୍ୟ ଟଙ୍କା ଆସିନଥିବାରୁ ଫେରିଥାନ୍ତି । ଏ ସଂକ୍ରାନ୍ତରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସେ କହିଛନ୍ତି l ତୁରନ୍ତ ଏହି ଦିବ୍ୟାଙ୍ଗ ମହିଳାକୁ ଭତ୍ତା ଟଙ୍କା ଦେବାର ବ୍ୟବସ୍ଥା କରିବା ପାଇଁ ସେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି l

Leave A Reply

Your email address will not be published.