ଆକ୍ସନ ମୋଡ଼ରେ ଭୁବନ ନୂତନ ଥାନାଧିକାରୀ: ଗିରଫ ହେଲା ଗଣଦୁଷ୍କର୍ମ ମୁଖ୍ୟ ଅଭିଯୁକ୍ତ

0 2

ଢ଼େଙ୍କାନାଳ / ରବିନ୍ ଦାସ ; ଗତ ଅକ୍ଟୋବର ମାସ ୨୧ ତାରିଖ ଦିନ ଘଟି ଯାଇଥିବା କଳଙ୍କିତ ଗଣଦୁଷ୍କର୍ମ ଘଟଣାରେ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଭୁବନ ଥାନା । ଏହି ଦୁଇ ଅଭିଯୁକ୍ତ ଅଜ୍ଞାତବାସ କରୁଥିବାବେଳେ ଭୁବନ ଥାନାଧିକାରୀ ଓ କର୍ମଚାରୀଙ୍କ କଠିନ ପରିଶ୍ରମ ଦ୍ବାରା ଗିରଫ ହୋଇଛନ୍ତି । ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ଗଡନୃସିଂହପ୍ରସାଦ ଗ୍ରାମର ୩୧ ବର୍ଷୀୟ ପ୍ରଦୀପ ସାହୁ (ପଦିଆ) ଓ ଜଣେ ୧୬ ବର୍ଷୀୟ ନାବାଳକକୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ପଦିଆ ଅନୁଗୋଳ ଜିଲ୍ଲାର ଏକ ମଠରୁ ଗିରଫ ହୋଇଥିବାବେଳେ ନାବାଳକ ଜଣଙ୍କ ପାଣିକୋଇଲି ଅଞ୍ଚଳରୁ ଗିରଫ ହୋଇଛି । ଏହି ଦୁଇ ଅଭିଯୁକ୍ତ ଗିରଫ ହେବାପରେ କ୍ରାଇମବ୍ରାଞ୍ଚ ଦ୍ବାରା କୋର୍ଟ ଚାଲାଣ ହୋଇଥିବା ଭୁବନ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଉ ଜଣେ ଅଭିଯୁକ୍ତକୁ ଖୁବଶିଘ୍ର ଗିରଫ କରାଯିବ ବୋଲି ଭୁବନ ଥାନାଧିକାରୀ ନରେଶ କୁମାର ସାହୁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି ଏହି ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାରେ ପୂର୍ବରୁ ଜଣେ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଆଉ ତିନିଜଣ ଫେରାର ଥିଲେ । ଏବେ ଦୁଇ ଅଭିଯୁକ୍ତଙ୍କୁ ମିଶାଇ ତିନିଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଆଉଜଣେ ଫେରାର ଅଛି । ଏଭଳି ଜଘନ୍ୟ ଅପରାଧ କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ ବରଂ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ମହିଳା ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିବା ସହିତ ଭୟରେ ସ୍ଥାନୀୟ ମହିଳାମାନେ ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାଁନ୍ତି । ଏଭଳି ଶୋଚନୀୟ ପରିସ୍ଥିତିରେ ଆକ୍ସନ ମୁଡ଼୍ ରେ ଥିବା ଭୁବନ ଥାନାଧିକାରୀ ଏବେ ଜନସାଧାରଣଙ୍କୁ ଆଶ୍ବସ୍ତି ଦେଇଛନ୍ତି । ଏଭଳି ଅମାନବୀୟ କାଣ୍ଡ ଭିଆଇଥିବା ମୁଖ୍ୟ ଅଭିଯୁକ୍ତ ସହିତ ଦୁଇଜଣ ଗିରଫ ହେବାପରେ ସ୍ଥାନୀୟ ଅପରାଧୀ ମାନଙ୍କ ମନରେ ଛନକା ପଶିଯାଇଛି । ନୂତନ ଥାନାଧିକାରୀ ଶ୍ରୀ ସାହୁଙ୍କ ଦକ୍ଷତାରେ ଭୁବନ ଅଞ୍ଚଳରେ ଚୋରି, ଡକାୟତି ଆଦି ପ୍ରତ୍ୟେକ ଅପରାଧିକ କାର୍ଯ୍ୟକଳାପରେ ରୋକ ଲାଗିବ ବୋଲି ସ୍ଥାନୀୟ ବାସିନ୍ଦା ଆଶା ପ୍ରକଟ କରିଛନ୍ତି । ତିନି ଅଭିଯୁକ୍ତଙ୍କ ଗିରଫଦାରୀରେ ଭୁବନ ଥାନାଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ବୁଦ୍ଧିଜୀବି ମହଲରେ ଭୂରି ଭୂରି ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.