ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଅସହାୟ ଶିଶୁଙ୍କୁ ବାଣ୍ଟିଲେ ଶୀତବସ୍ତ୍ର
ଝାରବନ୍ଧ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲ କ୍ୟାବିନେଟ ଛାତ୍ରଛାତ୍ରୀ ମାନେ ନିଜ ସମ ବୟସ୍କ ଅସହାୟ ଶିଶୁମାନଙ୍କୁ ସହାୟତା ଯୋଗାଇଦେଇ ଉଦାହରଣ ସୃଷ୍ଟି କରିଛନ୍ତି ।ସୂଚନା ଅନୁଯାୟୀ ବୈତାଳି ଗ୍ରାମରେ ଗତ କିଛି ଦିନ ହେବ ସୁଦୂର ଛତିଶଗଡ଼ ରାଜ୍ୟର କିଛି ଯାଯାବର ଜୀବନ ଯାପନ କରୁଥିବା ବ୍ୟକ୍ତି ଖେଳ ପଡ଼ିଆ ରେ ତମ୍ବୁ ମାରି ଜୀବନ କାଟୁଛନ୍ତି। ସେମାନେ ଖଜୁର ପତ୍ରରୁ ବିଭିନ୍ନ ହାତ ତିଆରି ସାମଗ୍ରୀ ତିଆରି କରିଥାନ୍ତି ଏବଂ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି।ସେମାନଙ୍କ ସାଙ୍ଗରେ ପ୍ରାୟ ୧୦ ରୁ ୧୫ ଜଣ ଶିଶୁମାନେ ମଧ୍ୟ ରହୁଛନ୍ତି। ଅତ୍ୟନ୍ତ ଦୟନୀୟ ଜୀବନଯାପନ କରୁଥିବା ଉକ୍ତ ଯାଯାବର ପରିବାର ଭଗବାନକୁ ଆଦରି ଏଭଳି ପ୍ରବଳ ଶୀତରେ ତମ୍ବୁ ତଳେ ଆଶ୍ରୟ ନେଉଥିବା ଦେଖିବାକୁ ପାଇଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ।ଗତ ଦୁଇଦିନ ଧରି ଝାରବନ୍ଧ ଅଞ୍ଚଳରେ ଲଗାଣ ବର୍ଷା ତଥା କୋହଲା ପାଗ ଯୋଗୁଁ ଛୋଟ ଛୋଟ ଶିଶୁମାନେ ଶୀତରେ ଥରୁଥିବା ଦେଖିବାକୁ ପାଇଥିଲେ ବିଦ୍ୟାଳୟ କ୍ୟାବିନେଟର ସଦସ୍ୟଗଣ।ସେମାନେ ବିଦ୍ୟାଳୟକୁ ଆସି ସିଆରସିସି ଶ୍ରୀ ଦିବସ କୁମାର ସାହୁଙ୍କୁ ଏକଥା ଜଣାଇଥିଲେ, ଶ୍ରୀ ସାହୁ ଉକ୍ତ ଜାଗାକୁ ଯାଇ ଘଟଣାଟି ସତ୍ୟ ହୋଇଥିବା ଅନୁଭବ କରିଥିଲେ ଏବଂ ସେମାନଙ୍କ ପାଇଁ କିଛି ଶୀତବସ୍ତ୍ର ଯୋଗାଇ ଦେବା ପାଇଁ ଚେଷ୍ଟା କରିଥିଲେ।କିଛି ଦିନ ପୂର୍ବରୁ ପାଇକମାଲ ଟିଭିଏସ ଶୋ ରୁମର ମାଲିକ ସୁମିତ କୁମାର ଅଗ୍ରୱାଲ ଏଭଳି ଲୋକଙ୍କ ସନ୍ଧାନ ପାଇଲେ ଯୋଗାଯୋଗ କରିବେ ବୋଲି କହିଥିଲେ।ତାଙ୍କ ଠାରୁ କିଛି ଶୀତବସ୍ତ୍ର ଆଣି ବିଦ୍ୟାଳୟ କ୍ୟାବିନେଟ ମନ୍ତ୍ରୀମଣ୍ଡଳଙ୍କ ମାଧ୍ୟମରେ ଛୋଟ ଛୋଟ ଶିଶୁମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା।
ଏହି କାମ କରି ବିଦ୍ୟାଳୟ କ୍ୟାବିନେଟ ମୁଖ୍ୟମନ୍ତ୍ରୀ ନିଳିମା ସାହୁ, ଉପ ମୁଖ୍ୟମନ୍ତ୍ରୀ ଶେଖର ସାହୁ ପ୍ରମୂଖ ଅତ୍ୟନ୍ତ ଖୁସି ଅନୁଭବ କରିବା ସହ ଉକ୍ତ ଶୀତବସ୍ତ୍ର ପ୍ରଦାନ କରିଥିବା ଦାତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ବାଗ, ସହକାରୀ ଶିକ୍ଷକ ଜଗନ୍ନାଥ ପ୍ରଧାନ, ଶିକ୍ଷୟିତ୍ରୀ ସୁଜାତା ସାହୁ ଏବଂ ଅର୍ଚ୍ଚନା ପ୍ରଧାନ ସହାୟତା କରିଥିଲେ।ସହାୟତା ପାଇବା ପରେ ଛତିଶଗଡ଼ର ଉକ୍ତ ପରିବାର ମାନେ ଖୁସି ହୋଇ ଧନ୍ୟବାଦ ଅର୍ପଣ କରିଥିଲେ।ଏଠାରେ ସୂଚନାଯୋଗ୍ୟ ଯେ ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ପାଇଁ ଅନେକ ଦୃଷ୍ଟାନ୍ତମୂଳକ କାମ କରାଯାଇଛି ଯାହା ମଧ୍ୟରେ ବିଦ୍ୟାଳୟ କ୍ୟାବିନେଟ ନିର୍ବାଚନ, ଜନଶୁଣାଣୀ ପ୍ରକ୍ରିୟା ଆଦି ଅନ୍ୟତମ।ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସିଆରସିସି ଶ୍ରୀ ଦିବସ କୁମାର ସାହୁଙ୍କ ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରସଂସା କରାଯାଇଛି