ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଲା ବିଶ୍ବ ପ୍ରସିଦ୍ଧ ଡେରାବେଶ

0

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଶ୍ବ ପ୍ରସିଦ୍ଧ ଡେରାବେଶ ଅନୁଷ୍ଠିତ ହୋଇଯାଇଛି।

ଗତ କାଲି ରାତ୍ର ଠାରୁ ଗ୍ରାମର ବଡଦାଣ୍ଡର ଉଭୟ ପାର୍ଶ୍ବରେ ଅବସ୍ଥିତ ଶ୍ରୀଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଶ୍ରୀ ଗୋପୀନାଥ ମନ୍ଦିର ତରଫରୁ କଳାକାର ଓ କାରିଗରମାନେ ବେଶ ଗୁଡିକୁ ଆଖଡା ଘରୁ ବାହାର କରି ଡେରିବା ଆରମ୍ଭ କରିଥିଲେ । ଆଜି ବଡି ଭୋରରୁ ଆଖ ପାଖ ଗ୍ରାମ ତଥା କଟକ,ବ୍ରହ୍ମପୁର,ପୁରୀ,ଭୁବନେଶ୍ବର ପରି ସହର, ଏପରିକି ରାଜ୍ୟ ବାହାରର ବହୁ ଶ୍ରଦ୍ଧାଳୁ ଏହି କଳା,ସଂସ୍କୃତି ଓ ଐତିହ୍ୟ ଭରା ଗ୍ରାମକୁ ପରିଦର୍ଶନରେ ଆସି ଦେବ ଦର୍ଶନ ସହ ଡେରାବେଶ ବୁଲି ଦେଖିଥିଲେ । ମନ୍ଦିର ମାଳିନୀ ଏହି ଗ୍ରାମର ଗ୍ରାମବାସୀଙ୍କ ତରଫରୁ ଏହି ଆଗନ୍ତୁକମାନଙ୍କୁ ଉତ୍ସାହିତ କରିବା ତଥା ଗ୍ରାମବାସୀଙ୍କ କଳା ନୈପୁଣ୍ୟ ପ୍ରଦର୍ଶନ ପାଇଁ ପ୍ରତି ବର୍ଷ ପରି ଏହି କାର୍ତ୍ତିକ ପୂର୍ଣ୍ଣିମାରେ ବହୁ ପୁରାତନ କାଳରୁ ପ୍ରଦର୍ଶିତ ହୋଇଆସୁଥିବା ଡେରାବେଶ ଅନୁଷ୍ଠିତ ହୋଇଥଲା । ବାଉଁଶ, ବେତ, କାଠ,କାଗଜ ,ଅଠା,ରଙ୍ଗୀନ୍ କପଡା,ଛୋଟ କାଚ ଦର୍ପଣ,ରଙ୍ଗ ବେରଙ୍ଗର ମାଳି,ପୋହଳା ଆଦିରେ ତିଆରି ହାତୀ,ଘୋଡା, ବାଘ, ସିଂହ,ନବଗୁଞ୍ଜର, କଳଘୋଡା, ବୃଷଭ,ରାମ, ଲକ୍ଷ୍ମଣ, ହନୁମାନ, ରାବଣ, ଇନ୍ଦ୍ରଜିତ,ମେଘନାଦ, ରାଜା,ରାଣୀ,ମୟୁର ଆଦିଙ୍କ ବଡ ବଡ କଣ୍ଢେଇ ମୂର୍ତ୍ତି ଶଗଡ ଉପରେ ରଖି ସର୍ବସାଧରଣଙ୍କ ନିମିତ୍ତ ପ୍ରଦର୍ଶନ କରାଯାଇଥିଲା ଆଉ ଏପରି ପ୍ରଦର୍ଶନ କରିବା ଏହି କାର୍ତ୍ତିକ ପୂର୍ଣ୍ଣିମାର ସ୍ବତନ୍ତ୍ର ବିଧି ରହିଛି ଯାହାକୁ କି ଡେରାବେଶ କୁହାଯାଏ । ବିଗତ କରୋନା କଟକଣା ସମୟରେ ଏହି ବେଶ ଅନୁଷ୍ଠିତ ହୋଇପାରୁନଥିଲା । କେବଳ ବିଧି ପାଳନ ପାଇଁ ଦୁଇ ତିନୋଟି ବେଶ ଡେରି କଟକଣା ମଧ୍ୟରେ ଏହି ନୀତି ପାଳନ କରାଯାଉଥିଲା ।କିନ୍ତୁ ଚଳିତ ବର୍ଷ କିଛି କଟକଣା ନଥିବାରୁ ସମସ୍ତ ବେଶ ପଟୁଆର ବାହାର କରାଯାଇଥିଲା ଓ ହଜାର ହଜାର ଜନସାଧାରଣ ଏହାକୁ ବୁଲି ଦେଖି ଖୁସି ବ୍ୟକ୍ତ କରିଥିଲେ ।କରୋନା କଟକଣା ସମୟରେ ବେଶ ଗୁଡିକୁ ପ୍ରଦର୍ଶନ କରାନଯିବାରୁ ଏବଂ ଉପଯୁକ୍ତ ରକ୍ଷଣା ବେକ୍ଷଣ ନିମିତ୍ତ ପାଣ୍ଠିର ଅଭାବ ହେତୁ ବହୁତ ବେଶ ନଷ୍ଟ ହେବା ପ୍ରାୟେ ଦେଖାଯାଇଥିଲା। ଏଣୁ ଗ୍ରାମର ବି.ଲକ୍ଷ୍ମୀନାରାୟଣ ପାତ୍ର,ଅଶୋକ ସାହୁ,ଅଜୟ ବିଷୋୟୀ,ବଳରାମ ବେହେରା,ତ୍ରିନାଥ ବେହେରା,ପାଣ ବାଡତ୍ୟା,ଭିକାରୀ ବାଡତ୍ୟା ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ଗଣ ଏପରି ଏକ ଅଦ୍ବିତୀୟ ଲୋକ କଳା ବଞ୍ଚାଇ ରଖିବାକୁ ହେଲେ ସରକାରୀ ସ୍ତରରୁ କିଛି ପ୍ରୋତ୍ସାହନ ପ୍ରଦାନ କରିବାକୁ ଦାବୀ କରିଛନ୍ତି ।ପ୍ରକାଶ ଥାଉକି ବଡକୋଦଣ୍ଡା ଗ୍ରାମ ହେଉଛି ସୂତା କଣ୍ଢେଇ ନାଚର ଏନ୍ତୁଡି ଶାଳ । ଏଠାକାର କାରିଗର ଓ କଳାକାର ଙ୍କ ପ୍ରଚେଷ୍ଟାରେ ଏପରି ଏକ ଲୋକ କଳା ବଞ୍ଚି ରହିଛି । ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଯଦି ଦୃଷ୍ଟି ଦିଅନ୍ତା ଏହି ଗ୍ରାମର କଳା ସର୍ବଜନବିଦିତ ହେବା ସହ ଐତିହ୍ୟ ଗ୍ରାମର ମାନ୍ୟତା ଲାଭ କରନ୍ତା ବୋଲି ଏହି ଅବସରରେ ବ୍ରହ୍ମପୁରରୁ ପରିଦର୍ଶନରେ ଆସିଥିବା ବାସ୍ତୁଶାସ୍ତ୍ର ବିଦ୍ ତଥା କଣ୍ଢେଇ ଗବେଷକ ଓ ସଂଗ୍ରାହକ ଡକ୍ଟର ସନ୍ନାସୀ ମହାରଣା ମତବ୍ୟକ୍ତ କରିଥିବା ଜଣାପଡିଛି ।

Leave A Reply

Your email address will not be published.