ଧର୍ମଶାଳାରେ ଜନସମ୍ପର୍କ ଅଭିଯାନରେ ବିଦ୍ରୋହ ତେଜିଲା

0

ଯାଜପୁର(ଜୟଶଙ୍କର ଦାଶ) ନବୀନ ପଟ୍ଟନାୟକଙ୍କ ସୁଶାସନର ବିକଳ୍ପ ନାହିଁ । ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନ ହେଉଛି ନବୀନ ସରକାରର ମୂଳ ମନ୍ତ୍ର ଓ ସାମର୍ଥ୍ୟ । ଦୁର୍ନିତି ଓ ଭ୍ରଷ୍ଟାଚାରରେ ଥିବା ନେତା ନବୀନବାବୁଙ୍କ ନୀତି ବିରୋଧୀ ବୋଲି ଧର୍ମଶାଳାରେ ବି.ଜେ.ଡି ଜନସମ୍ପର୍କ ଯାତ୍ରା କରୁଥିବା ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଅଭିଯୋଗ କରି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ଷେପ କରିଛନ୍ତି । ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଅଂଜିରା ପଂଚାୟତରେ ଜନସମ୍ପର୍କ ଅଭିଯାନ ଅବସରରେ ଭେଜିଗୋଠରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସତୀଶ ଅଭିଯୋଗ କରିଥିଲେ ଯେ, ଧର୍ମଶାଳାରେ ଉନ୍ନୟନ କାର୍ଯ୍ୟରେ ଦୁର୍ନିତି, ଟେଣ୍ଡର ଫିକ୍ସିଂ, ପାହାଡ ପର୍ବତ ହରିଲୁଟ, ଧର୍ମଶାଳାର ବହୁ ଯୋଗ୍ୟ ନେତୃତ୍ୱଙ୍କୁ ଅଣଦେଖା କରାଯାଇ ବି.ଜେ.ଡି ନାମରେ ବାପା ପରେ ପୁଅ ବିଧାୟକ ହେବା ଏବଂ ଭାଇ ଚେୟାରମ୍ୟାନ ହେବା ଆଦି ପ୍ରସଙ୍ଗରେ ବିରୋଧୀ ଫାଇଦା ଉଠାଇବାକୁ ଉଦ୍ୟମ କରୁଛନ୍ତି । ସେହିପରି ବିଭିନ୍ନ ପ୍ରସଙ୍ଗରେ ବିଧାୟକଙ୍କୁ ସି.ବି.ଆଇ ଜେରା, ଜଙ୍ଗଲ ଜମି ଦଖଲ, ବିଭିନ୍ନ ଦୁର୍ନିତିରେ ସଂପୃକ୍ତି ନେଇ ଜନଅସନ୍ତୋଷ ପ୍ରକାଶ ପାଉଛି । ହେଲେ ନବୀନ ପଟ୍ଟନାୟକ କେବଳ ଓଡିଶାବାସୀଙ୍କ ଏବଂ ଦୁର୍ନିତିଗ୍ରସ୍ତଙ୍କ ବିରୋଧୀ । ତେଣୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୃଢ ଆସ୍ଥା ରଖି ପ୍ରତ୍ୟେକ ଓଡିଆ ଲୋକ କାର୍ଯ୍ୟ କରିବାକୁ ସତୀଶ ନିବେଦନ କରିଥିଲେ । ଅଂଜିରା ଅଂଚଳର ୨୦ ଟି ଗାଁର ଘରଢିଅ ଏବଂ ଭାତହାଣ୍ଡି ପରି ଚାଷଜମି ଅନ୍ୟାୟ ଭାବେ ଜଙ୍ଗଲ କିସମ ହେବା ନେଇ ଜନପ୍ରତିନିଧିଙ୍କ ନୀରବତାକୁ ସତୀଶ କଡା ସମାଲୋଚନା କରିବା ସହ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମତ ପ୍ରକାଶ କରିଥିଲେ । ପ୍ରକାଶ ଥାଉ କି, କଳ୍ପତରୁ ଦାସ ଜୀବିତ ଥିବା ବେଳେ ଗତ ୨୦୧୪ ନିର୍ବାଚନରେ ଧର୍ମଶାଳାର ବି.ଜେ.ଡି ଟିକେଟ ଦାବିଦାର ହୋଇ ଚର୍ଚ୍ଚାକୁ ଆସିଥିବା ସତୀଶ ବିଶ୍ୱାଳ ଛାତ୍ର ଜନତା, ବିଜୁ ଛାତ୍ର ଜନତା ଏବଂ ପରେ ବିଜୁ ଯୁବ ଜନତାର ରାଜ୍ୟ ସାଧାରଣ ସଂପାଦକ ଥିବା ସହ ବି.ଜେ.ଡିର ମଧ୍ୟ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ । ଏହି ପଥପ୍ରାନ୍ତ ସଭା ଏବଂ ଜନସମ୍ପର୍କଯାତ୍ରାରେ ସୁବାଷ ପ୍ରଧାନ, ଦେବ ପ୍ରସାଦ ଦେବ, ପବିତ୍ର ପଧାନ, ପ୍ରୀୟ ରଂଜନ, ମାନସ ରାଉତ, ବୀରବର ସ୍ୱାଇଁ, ରବିନ୍ଦ୍ର କୁମାର ଦାସ, କେଶବ ଖଟୁଆ, ସୁଧାଂଶୁ ପ୍ରଧାନ, ସୁଶାନ୍ତ କୁମାର, ଦିଲ୍ଲିପ ପ୍ରଧାନ, ହେମନ୍ତ ପ୍ରଧାନ, ପୂର୍ଣ୍ଣ ମଳିକ, ମକର ପ୍ରଧାନ, ପଙ୍କଜ ପ୍ରଧାନ, ବଳରାମ ମଲିକ, ପୀତବା ପ୍ରଧାନ, ଶତ୍ରୁଘ୍ନ ପ୍ରଧାନ, ଅକ୍ଷୟ ମଲିକ ପ୍ରମୁଖ ଶତାଧିକ ନବୀନ ପ୍ରେମୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.