ବରିକେଲ ଉଚ୍ଚ ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ପାଳିତ

0 2

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ପଦ୍ମପୁର ଅତିରିକ୍ତ ଜିଲ୍ଲା ଜଜ୍ ଅରବିନ୍ଦ ରଥ, ସିନିଅର୍ ସିଭିଲ୍ ଜଜ୍ ଦେବାଶିଷ ଦାସ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିନାୟକ ମିଶ୍ର ଓ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇଥିଲେ।

“ବର୍ତ୍ତମାନ ସାରା ବିଶ୍ବ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ସେସବୁ ବିପର୍ଯ୍ୟୟର ପ୍ରଭାବ ଆମ ଭାରତ ପରି ବିକାଶଶୀଳ ରାଷ୍ଟ୍ର ଉପରେ ଅଧିକ। ତେଣୁ ବିକାଶ ଓ ପ୍ରକୃତି ମଧ୍ୟରେ ସୁସମନ୍ବୟ ରକ୍ଷା କରିବା ପାଇଁ ବୃକ୍ଷ ରୋପଣ ହିଁ ଉଚିତ୍ ମାର୍ଗ। ଛାତ୍ର ଛାତ୍ରୀ ମାନେ ଆଗାମୀ କାଲିର ଦାୟିତ୍ଵ ଗ୍ରହଣ କରିବାକୁ ପ୍ରସ୍ତୁତ ରହି ଆଜିଠାରୁ ହିଁ ବୃକ୍ଷ ରୋପଣ ଓ ତାର ଯତ୍ନ ନିଅନ୍ତୁ। ତାହାହିଁ ଆସନ୍ତା କାଲିର ଭବିଷ୍ୟତକୁ ସୁନ୍ଦର କରିପାରିବ‌।”
ବରିକେଲ ସରକାରୀ ଉଚ୍ଚ ବିଦ୍ୟାଳୟର ସଭାଗୃହରେ ଏଭଳି ମତଦେଇ ସମସ୍ତ ଅତିଥି ମାନେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କ ସାମାଜିକ ଦାୟିତ୍ଵ ନିର୍ବାହ କରିବା ପାଇଁ ଉପଦେଶ ଦେଇଥିଲେ। ତାଲୁକ ସ୍ତରୀୟ ଆଇନ ସେବା କମିଟି ଓ ଜଙ୍ଗଲ ବିଭାଗ ପକ୍ଷରୁ ବିଦ୍ୟାଳୟରେ ବନମହୋତ୍ସବ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ସଭା ପରେ ଅତିଥି ମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ। ତାପରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍କୁଲ କମିଟି, ପ୍ରକୃତି ବନ୍ଧୁ ମୀନକେତନ ସାହୁ ଓ ସମାଜସେବୀ ନିରୋଜ ଦୋରା ବିଶେଷ ଭାବରେ ସାହାଯ୍ୟ କରିଥିଲେ।

Leave A Reply

Your email address will not be published.