ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଗୁଣପୁରସ୍ଥିତ ମହର୍ଷି ଗୁରୁକୁଳ (ଏ ଟେକ୍ନୋ କନ୍ସେପ୍ଟ ସ୍କୁଲ) ପକ୍ଷରୁ ଏକ ଶିକ୍ଷାମୂଳକ ଭ୍ରମଣର ଆୟୋଜନ କରାଯାଇଥିଲା। ଏହି ଭ୍ରମଣରେ ବିଦ୍ୟାଳୟର ୧୩୫ ଜଣ ଛାତ୍ରଛାତ୍ରୀଙ୍କ ସହ ୨୫ ଜଣ ଶିକ୍ଷକ ଓ କର୍ମଚାରୀ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନେ ରାୟଗଡ଼ାସ୍ଥିତ ନାଗାବଳୀ ପ୍ଲାନେଟୋରିୟମ୍ ପରିଦର୍ଶନ କରିବା ସହ ଲକ୍ଷ୍ମୀନାରାୟଣ ମନ୍ଦିର ଦର୍ଶନ କରିଥିଲେ।
ଏହି ଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କୁ ମହାକାଶ ବିଜ୍ଞାନ, ସୌରମଣ୍ଡଳ ଓ ବିଭିନ୍ନ ଜ୍ୟୋତିଷ୍କ ପିଣ୍ଡ ସମ୍ପର୍କରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରିବା ସହ ଆମ ଐତିହ୍ୟ, ପରମ୍ପରା ଓ ସଂସ୍କୃତି ସହ ପରିଚିତ କରାଇବା।
ସାଧାରଣତଃ ଛାତ୍ରଛାତ୍ରୀମାନେ ପରିବାର ସହିତ କାର୍ରେ ଯାତ୍ରା କରିଥାନ୍ତି। କିନ୍ତୁ ବିଦ୍ୟାଳୟର ସାଙ୍ଗସାଥୀଙ୍କ ସହ ବସ୍ରେ ଏକାଠି ଯାତ୍ରା କରିବାର ଅନୁଭୂତି ସେମାନଙ୍କ ପାଇଁ ଥିଲା ନିଆରା ଓ ଆନନ୍ଦଦାୟକ। ଯାତ୍ରା ସମୟରେ ହସ, ମଜା, ଗୀତ, ଖୁସି ଓ ବନ୍ଧୁତ୍ୱର ଅନେକ ସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା।
ଏହି ଶିକ୍ଷାମୂଳକ ଭ୍ରମଣଟି ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀମାନ୍ କୃଷ୍ଣଚନ୍ଦ୍ର ଶତପଥୀଙ୍କ ପରିଚାଳନାରେ ଏବଂ ଅଧ୍ୟକ୍ଷ ମଣ୍ଡଳୀର ସଦସ୍ୟ ମାନଙ୍କ ତତ୍ତ୍ୱାବଧାନରେ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ଗୁରୁ, ଉପାଧ୍ୟକ୍ଷ ଶ୍ରୀ ଲୋକନାଥ ମିଶ୍ର, ସହ-ସମ୍ପାଦକ ଶ୍ରୀ ରାଜେଶ କୁମାର ପଣ୍ଡା ଓ ଯୁଗ୍ମ ସମ୍ପାଦକ ଶ୍ରୀ କୃଷ୍ଣ ମାଧବ ଦାଶଙ୍କ ମାର୍ଗଦର୍ଶନ ଓ ତତ୍ତ୍ୱାବଧାନ ରହିଥିଲା। ଏହି ଯାତ୍ରାକୁ ସଫଳ କରିବାରେ ଅଧ୍ୟକ୍ଷଙ୍କ ସହ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ସମନ୍ୱିତ ସହଯୋଗ ଓ ନିଷ୍ଠାପର ଉଦ୍ୟମ ଉଲ୍ଲେଖନୀୟ ଥିଲା।
ବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଶିକ୍ଷା କେବଳ ପାଠ୍ୟପୁସ୍ତକ ଓ ଶ୍ରେଣୀଗୃହ ମଧ୍ୟରେ ସୀମିତ ନୁହେଁ। ଭ୍ରମଣ, ପର୍ଯ୍ୟବେକ୍ଷଣ ଓ ଅନୁଭୂତି ମାଧ୍ୟମରେ ମଧ୍ୟ ପିଲାମାନେ ଅନେକ କିଛି ଶିଖିଥାନ୍ତି। ଏହି ଯାତ୍ରା ଛାତ୍ରଛାତ୍ରୀଙ୍କ ଜ୍ଞାନ ବୃଦ୍ଧି ସହିତ ସାମାଜିକ ସମ୍ପର୍କ, ଆତ୍ମନିର୍ଭରଶୀଳତା ଓ ଦଳଗତ ମନୋଭାବ ବିକାଶରେ ସହାୟକ ହୋଇଥିଲା। ଏହି ଅନୁଷ୍ଠାନ ଦ୍ଵାରା ଆୟୋଜିତ ଶିକ୍ଷା ସହିତ ସଂସ୍କୃତି ଓ ଆନନ୍ଦର ଏହି ଯାତ୍ରା ଛାତ୍ରଛାତ୍ରୀଙ୍କ ମନରେ ଅଭୁଲା ସ୍ମୃତି ହୋଇ ରହିବ ବୋଲି ବୁଦ୍ଧି ଯିବି ମାନେ ମତବ୍ୟକ୍ତ କରିଛନ୍ତି।