ଜଳବାୟୁ, ଜଳ ଓ ଜୀବିକାର ଆନ୍ତଃସମ୍ପର୍କକୁ ସୁଦୃଢ଼ କରିବା ପାଇଁ ୧୫ତମ ସଂସ୍କରଣରେ ଓଡ଼ିଶା ସରକାର, ୟୁନିସେଫ୍, ଶିଳ୍ପ ଜଗତର ନେତୃବୃନ୍ଦ, ବିକାଶ ବିଶେଷଜ୍ଞ ଏବଂ ସମୁଦାୟର ପ୍ରତିନିଧିମାନେ ଏକତ୍ରିତ
ଭୁବନେଶ୍ୱର, ନଭେମ୍ବର ୧୭, ୨୦୨୬: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ପକ୍ଷରୁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକୀ) ସହଯୋଗରେ ଏହାର ବାର୍ଷିକ ବିଚାର ବିମର୍ଶ ଓ ଅଭିଯାନଭିତ୍ତିକ ସମ୍ମିଳନୀ ଆଇଡିଏଟ ର ୧୫ତମ ସଂସ୍କରଣ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା।
“ଗ୍ରାମୀଣ ରୂପାନ୍ତରଣ ପାଇଁ ଜଳ ସୁରକ୍ଷାର ପୁନଃଚିନ୍ତନ” ବିଷୟବସ୍ତୁକୁ ନେଇ ଆୟୋଜିତ ଆଇଡିଏଟ ୨୦୨୬ ରେ ନୀତି ନିର୍ଦ୍ଧାରକ, ଶିଳ୍ପ ଜଗତର ନେତୃବୃନ୍ଦ, ବିକାଶ କ୍ଷେତ୍ରର କର୍ମକର୍ତ୍ତା, ବୈଷୟିକ ବିଶେଷଜ୍ଞ ଏବଂ ସମୁଦାୟର ପ୍ରତିନିଧିମାନେ ଏକତ୍ରିତ ହୋଇ ଭାରତରେ ଗ୍ରାମୀଣ ଜଳ ସୁରକ୍ଷାର ପରିବର୍ତ୍ତିତ ଦିଗ ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ କେବଳ ଜଳ ଉପଲବ୍ଧତା ନୁହେଁ, ବରଂ ଦୀର୍ଘସ୍ଥାୟୀ ଜଳ ପରିଚାଳନା, ସମୁଦାୟର ଦାୟିତ୍ୱବୋଧ ବୃଦ୍ଧି, ଜଳ ଉତ୍ସର ସ୍ଥାୟିତ୍ୱ ସୁନିଶ୍ଚିତ କରିବା, ଭୂତଳ ଜଳର ସୁଶାସନ ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ସହନଶୀଳତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଜଳ, କୃଷି ଓ ଗ୍ରାମୀଣ ଜୀବିକା ମଧ୍ୟରେ ଥିବା ଅନ୍ତର୍ନିହିତ ସମ୍ପର୍କକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ରବି ନାରାୟଣ ନାଏକ, ମାନ୍ୟବର କ୍ୟାବିନେଟ୍ ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାର କହିଥିଲେ, “ଜଳ ସୁରକ୍ଷା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ପ୍ରଚୁର ଜଳ ସମ୍ପଦରେ ସମୃଦ୍ଧ ହୋଇଥିଲେ ମଧ୍ୟ ଜଙ୍ଗଲ ନଷ୍ଟ, ଜଳପ୍ରପାତ ଶୁଖିଯିବା ଏବଂ ଦୀର୍ଘମିଆଦୀ ସଂରକ୍ଷଣ ପ୍ରୟାସର ଅଭାବ ଯୋଗୁଁ ଆମେ ଜଳ ସଙ୍କଟର ସମ୍ମୁଖୀନ ହେଉଛୁ। ସରକାର ଏ ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବା ବେଳେ ଭବିଷ୍ୟତ ପିଢ଼ି ପାଇଁ ଆମ ଜଳ ସମ୍ପଦର ସୁରକ୍ଷା ନିମନ୍ତେ ସାମୂହିକ ଦାୟିତ୍ୱବୋଧ ଓ ଦୂରଦୃଷ୍ଟିର ଆବଶ୍ୟକତା ରହିଛି।”
“ଜଳ–ଜଳବାୟୁ–ଜୀବିକାର ଆନ୍ତଃସମ୍ପର୍କ: ବିଭିନ୍ନ କ୍ଷେତ୍ରର ସମନ୍ୱିତ ଆଲୋଚନା” ଶୀର୍ଷକ ପ୍ୟାନେଲ୍ ଆଲୋଚନାରେ ଶ୍ରୀ ପ୍ରଶାନ୍ତ କୁମାର ଦାଶ, ମୁଖ୍ୟ, ୟୁନିସେଫ୍ ଫିଲ୍ଡ ଅଫିସ୍; ଡ. ଶ୍ରମଣ ଝା, ସିଇଓ, ହିନ୍ଦୁସ୍ତାନ ୟୁନିଲିଭର ଫାଉଣ୍ଡେସନ୍; ଡ. ରାମ ବୁଜ୍, ସିଇଓ, ମୋବିୟସ୍ ଫାଉଣ୍ଡେସନ୍; ଏବଂ ଡ. ଭେଣୁ ମାର୍ଗମ୍, ନ୍ୟାସନାଲ୍ ପ୍ରୋଗ୍ରାମ୍ ଡାଇରେକ୍ଟର, ସଷ୍ଟେନେବଲ୍ ଫୁଡ୍, ଏମ୍.ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନାକୁ ଡ. ଅର୍ଜମଦତ୍ତ ସାରଙ୍ଗୀ, ନିର୍ଦ୍ଦେଶକ, ଆଇ.ସି .ଏ. ଆର. –ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଣ୍ଟ ପରିଚାଳନା କରିଥିଲେ।
ଏହି ଆଲୋଚନାରେ ଜଳବାୟୁର ଅନିଶ୍ଚିତତା ବୃଦ୍ଧି, ଜଳ ସମ୍ପଦ ଉପରେ ବଢ଼ୁଥିବା ଚାପ ଏବଂ ବିଭିନ୍ନ କ୍ଷେତ୍ରରେ ଜଳର ଚାହିଦା ଗ୍ରାମୀଣ ଜଳ ସୁରକ୍ଷାକୁ କିପରି ପ୍ରଭାବିତ କରୁଛି, ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଜଳ ସଂରକ୍ଷଣ ଓ ପରିଚାଳନାକୁ କୃଷି ଉତ୍ପାଦକତା, ପରିବେଶଗତ ସ୍ଥାୟିତ୍ୱ ଏବଂ ଜୀବିକାର ସ୍ଥିରତା ସହ ଯୋଡ଼ିବା ପାଇଁ ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ୟାନେଲିଷ୍ଟମାନେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ନୀତିଗତ ନିଷ୍ପତ୍ତିକୁ ତୃଣମୂଳ ସ୍ତରରେ ସ୍ଥାୟୀ ପରିଣାମରେ ପରିଣତ କରିବା ପାଇଁ ବିଭିନ୍ନ କ୍ଷେତ୍ର ମଧ୍ୟରେ ସହଭାଗିତା, ପ୍ରଯୁକ୍ତିବିଦ୍ୟା ଏବଂ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକର ଭୂମିକାକୁ ମଧ୍ୟ ଆଲୋକପାତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା “ପ୍ରତ୍ୟେକ ବୁନ୍ଦା ମୂଲ୍ୟବାନ – ସମୁଦାୟର ନେତୃତ୍ୱ ଓ ସ୍ଥାନୀୟ ସମାଧାନ” ଶୀର୍ଷକ ଫାୟାରସାଇଡ୍ ଆଲୋଚନା। ଏଥିରେ ଡକ୍ଟର ଭିନିତା ଏଚ୍. ଆପ୍ଟେ, ପ୍ରତିଷ୍ଠାତା ନିର୍ଦ୍ଦେଶିକା, ଟିଈଆରଈଈ (TEREE) ପଲିସି ସେଣ୍ଟର ଏବଂ ଶ୍ରୀ ନରେଶ କୁମାର ଅଗ୍ରୱାଲ, ସରପଞ୍ଚ, ଖୋଲାନ, ବଲାଙ୍ଗୀର ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନାକୁ ଶ୍ରୀମତୀ ଶୈଫାଳିକା ପଣ୍ଡା, ପ୍ରତିଷ୍ଠାତା ଓ ସିଇଓ, ବାଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ପରିଚାଳନା କରିଥିଲେ।
ଦୀର୍ଘସ୍ଥାୟୀ ଜଳ ସୁରକ୍ଷା ସୁନିଶ୍ଚିତ କରିବାରେ ସମୁଦାୟର ମାଲିକାନା ଭାବନା ଓ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀମତୀ ଶୈଫାଳିକା ପଣ୍ଡା କହିଥିଲେ, “ଗ୍ରାମୀଣ ଭାରତରେ ଜଳ କୃଷି, ଜୀବିକା, ସ୍ୱାସ୍ଥ୍ୟ ଏବଂ ପରିବାରର ଦୈନନ୍ଦିନ ଜୀବନ ସହ ଗଭୀର ଭାବେ ଜଡ଼ିତ। ଆମକୁ କେବଳ ଜଳ ସମ୍ବନ୍ଧୀୟ ସମାଧାନ ପ୍ରଦାନ କରିବାରୁ ଆଗକୁ ବଢ଼ି ସମୁଦାୟକୁ ନିଜ ଜଳ ସମ୍ପଦର ପରିଚାଳନା କରିବାରେ ସକ୍ଷମ କରିବାକୁ ହେବ। ଭବିଷ୍ୟତ ପିଢ଼ି ପାଇଁ ଜଳ ସଂରକ୍ଷଣକୁ ମୂଲ୍ୟବାନ ମନେ କରିବା ଏବଂ ଏହାର ସାମୂହିକ ଦାୟିତ୍ୱ ନେବା ଦିଗରେ ଆମ ଚିନ୍ତାଧାରାରେ ମୌଳିକ ପରିବର୍ତ୍ତନ ଆଣିବା ଆବଶ୍ୟକ।”
ହିନ୍ଦୁସ୍ତାନ ୟୁନିଲିଭର ଫାଉଣ୍ଡେସନ୍ର ସିଇଓ ଡ. ଶ୍ରମଣ ଝା କହିଥିଲେ, “ଜଳ ସୁରକ୍ଷା କୌଣସି ଗୋଟିଏ ବିଭାଗ, ଅନୁଷ୍ଠାନ କିମ୍ବା ସରକାରଙ୍କ ଦ୍ୱାରା ହାସଲ କରିବା ସମ୍ଭବ ନୁହେଁ। ଏଥିପାଇଁ ସାମୂହିକ ପ୍ରୟାସ, ମାପଯୋଗ୍ୟ ଫଳାଫଳ ଏବଂ ସମ୍ବଳର ଦକ୍ଷ ପରିଚାଳନା ଆବଶ୍ୟକ, ବିଶେଷକରି କୃଷି କ୍ଷେତ୍ରରେ, ଯେଉଁଠାରେ ସର୍ବାଧିକ ଜଳ ବ୍ୟବହାର ହୋଇଥାଏ। ପ୍ରକୃତ ସଫଳତା ସେତେବେଳେ ମିଳିବ, ଯେତେବେଳେ ଜଳ ସୁରକ୍ଷା ଆଉ ଏକ ଚିନ୍ତାର ବିଷୟ ହୋଇ ରହିବ ନାହିଁ, ବରଂ ସମସ୍ତଙ୍କ ପାଇଁ ଏକ ସ୍ଥାୟୀ ବାସ୍ତବତାରେ ପରିଣତ ହେବ।”
ଆଇଡିଏଟ ୨୦୨୬ ର ଏକ ପ୍ରମୁଖ ନିଷ୍କର୍ଷ ଥିଲା କେବଳ ଜଳ ଉପଲବ୍ଧତାରୁ ଆଗକୁ ବଢ଼ି ଜଳ ସୁରକ୍ଷା ଉପରେ ଗୁରୁତ୍ୱ ଦେବା। ଏଥିରେ କୁହାଯାଇଥିଲା ଯେ, ନିର୍ଭରଯୋଗ୍ୟ ଜଳ ଯୋଗାଣ ଭିତ୍ତିଭୂମି ସହ ଜଳ ଉତ୍ସର ସ୍ଥାୟିତ୍ୱ, ଭୂତଳ ଜଳର ଦାୟିତ୍ୱପୂର୍ଣ୍ଣ ପରିଚାଳନା, ଜଳବାୟୁ ଅନୁକୂଳ ଯୋଜନା ଏବଂ ସୁଦୃଢ଼ ସମୁଦାୟଭିତ୍ତିକ ଅନୁଷ୍ଠାନର ଆବଶ୍ୟକତା ରହିଛି। ଏଥିସହ ସ୍ଥାନୀୟ ଆବଶ୍ୟକତା ଅନୁକୂଳ, ସମାବେଶୀ ଏବଂ ବ୍ୟାପକ ଭାବେ କାର୍ଯ୍ୟକାରୀ ହୋଇପାରୁଥିବା ସମାଧାନ ବିକଶିତ କରିବା ପାଇଁ ସରକାର, ଶିଳ୍ପ, ନାଗରିକ ସମାଜ, ବୈଷୟିକ ଅନୁଷ୍ଠାନ ଏବଂ ସ୍ଥାନୀୟ ସମୁଦାୟ ମଧ୍ୟରେ ସମନ୍ୱୟର ଗୁରୁତ୍ୱକୁ ମଧ୍ୟ ଆଲୋଚନାରେ ଦୋହରାଯାଇଥିଲା।
ଆଇଡିଏଟ ଓ ବିଆଇପିଏଫ୍ ମାଧ୍ୟମରେ ବିଭିନ୍ନ ବିକାଶମୂଳକ ପ୍ରାଥମିକତା ଉପରେ ଅର୍ଥପୂର୍ଣ୍ଣ ଆଲୋଚନା ଓ ବିଭିନ୍ନ କ୍ଷେତ୍ର ମଧ୍ୟରେ ସହଯୋଗ ପାଇଁ ଏକ ମଞ୍ଚ ଯୋଗାଇ ଆସୁଛି। ବିଭିନ୍ନ କ୍ଷେତ୍ରର ଅଭିଜ୍ଞତା ଓ ମତାମତକୁ ଏକତ୍ରିତ କରି ସମୁଦାୟ ସ୍ତରରେ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିପାରୁଥିବା ସମାଧାନର ଦିଗ ନିର୍ଦ୍ଧାରଣ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।