ଅର୍ଣ୍ଣବ ବାତ୍ୟା ସମୟରେ ନିଷ୍ଠାପର ସେବା ପାଇଁ ୫ ପ୍ରଶାସନିକ ଅଧିକାରୀ ସମ୍ମାନିତ
ଘୁ.ଉଦୟଗିରି, ୧୬/୧୧:(ଅବନୀ କୁମାର ପ୍ରଧାନ ) ଜାତୀୟ ପ୍ରେସ ଦିବସ ଅବସରରେ ଘୁ.ଉଦୟଗିରି ମିଡିଆ କ୍ଲବ୍ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଅର୍ଣ୍ଣବ ବାତ୍ୟା ସମୟରେ ଅଞ୍ଚଳବାସୀଙ୍କ ଜୀବନ ସୁରକ୍ଷା ତଥା ବିପନ୍ନ ଲୋକଙ୍କୁ ସହାୟତା ପ୍ରଦାନ କରିବାରେ ନିଷ୍ଠା, ସାହସ ଓ ମାନବିକତାର ପରିଚୟ ଦେଇଥିବା ପାଞ୍ଚ ଜଣ ପ୍ରଶାସନିକ ଅଧିକାରୀଙ୍କୁ କ୍ଲବ୍ ପକ୍ଷରୁ ସମ୍ମାନପତ୍ର ପ୍ରଦାନ କରାଯାଇଛି। ସମ୍ମାନିତ ହୋଇଥିବା ଅଧିକାରୀମାନେ ହେଲେ ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର, ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମିଶ୍ର, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଆଦର୍ଶ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ଏବଂ ଅତିରିକ୍ତ ତହସିଲଦାର ଦେବାଶିଷ ଜେନା।ସୂଚନାଯୋଗ୍ୟ ଯେ, ଅର୍ଣ୍ଣବ ବାତ୍ୟା ସମୟରେ ଘୁ.ଉଦୟଗିରି ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା, ଭୂସ୍ଖଳନ, ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ସହ ଅନେକ ପରିବାର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ।ବିଶେଷକରି କିଲାପାଙ୍ଗା ଆଶ୍ରୟ ସ୍ଥଳରେ ରହିଥିବା ଗିଦିପାବାଲି ଗ୍ରାମର ଭୂସ୍ଖଳନରେ ୧୩ ଜଣ ନିଖୋଜଙ୍କ ଉଦ୍ଧାର କରିବା କାର୍ଯ୍ୟକ୍ରମରେ ଦିନରାତି ରହି ପରିଶ୍ରମ କରିଥିଲେ । ଏଭଳି ଜଟିଳ ପରିସ୍ଥିତିରେ ପ୍ରଶାସନିକ ଅଧିକାରୀମାନେ ଦିନରାତି ଏକ କରି ବିପନ୍ନ ଲୋକଙ୍କ ନିକଟରେ ପହଞ୍ଚିବା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସହଯୋଗ କରିବା, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ବିଭିନ୍ନ ସରକାରୀ ସହାୟତା ପହଞ୍ଚାଇବାରେ ନିଜର ଦାୟିତ୍ୱ ନିଷ୍ଠାର ସହ ତୁଲାଇଥିଲେ। ବିପଦପୂର୍ଣ୍ଣ ପରିସ୍ଥିତିରେ ନିଜ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ନଦେଇ ଲୋକଙ୍କ ସେବାରେ ନିୟୋଜିତ ରହିଥିବା ଏହି ଅଧିକାରୀମାନଙ୍କ କାର୍ଯ୍ୟକୁ ଘୁ.ଉଦୟଗିରି ମିଡିଆ କ୍ଲବ୍ ପକ୍ଷରୁ ପ୍ରଶଂସା କରାଯାଇଛି।